କୋରୋନା ବଢ଼ାଇଛି ଘରୋଇ କଳି
କୋରୋନା ପାଇଁ ଦେଶରେ ପାଳିତ ହେଉଛି ଲକଡାଉନ। ସ୍କୁଲ, କଲେଜ, ଅଫିସ, ବ୍ୟବସାୟ ପ୍ରତିଷ୍ଠାନ, ଉଦ୍ୟୋଗ, ପର୍ଯ୍ୟଟନ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ କର୍ମଚାରୀମାନେ ୨୪ ଘଣ୍ଟା x ୭ ଦିନ ଘରମାନଙ୍କରେ ନିଜକୁ ବନ୍ଦୀ କରି ରହୁଛନ୍ତି। କୋରୋନା ପାଇଁ ତାଲାବନ୍ଦ ସମୟରେ ବାହାରେ ସିନା ହିଂସାକାଣ୍ଡ ଓ ଅସାମାଜିକ କାର୍ଯ୍ୟକଳାପ ହ୍ରାସ ପାଇଛି, କିନ୍ତୁ ଘରୋଇ ହିଂସା ବୃଦ୍ଧି ପାଉଥିବା କୁହାଯାଉଛି। ଚୀନର ବିଭିନ୍ନ ସହରରେ ତାଲାବନ୍ଦ ପରିପ୍ରେକ୍ଷୀରେ ଛାଡ଼ପତ୍ର ଓ ଘରୋଇ ହିଂସା ଭଳି ମାମଲା ସଂଖ୍ୟା ବଢ଼ିଛି। କୋରୋନା ଭୂତାଣୁ ପାଇଁ ଜାରି ତାଲାବନ୍ଦକୁ ଉଠାଇ ଦିଆଯିବା ପରେ ଏହିସବୁ ମାମଲା ସେଠାରେ ବଢ଼ିଥିବା କୁହାଯାଉଛି। କେନ୍ଦ୍ରୀୟ ଚୀନର ସିଆନ ଓ ସିଚୁଆନ ପ୍ରଦେଶର ଡାଜହୌ ସହରରେ ଏସବୁ ମାମଲା ସଂଖ୍ୟା ସର୍ବାଧିକ ରହିଛି। ହୁନାନ ପ୍ରଦେଶର ମିୟୁଓ ରେ ଛାଡ଼ପତ୍ର ମାମଲା ରୁଜୁ କରିବାକୁ ଲୋକମାନେ ଏତେ ସଂଖ୍ୟାରେ ଭିଡ଼ ଲଗାଇଛନ୍ତି ଯେ ଏହାର କର୍ମଚାରୀମାନଙ୍କୁ ଖାଇବାକୁ ସମୟ ମିଳୁ ନାହିଁ। ସାଂଘାଇସ୍ଥିତ ଜଣେ ଓକିଲ ଷ୍ଟିଭ ଲି କହିଛନ୍ତି ଯେ ତାଙ୍କ ପାଖରେ ୨୫ ପ୍ରତିଶତ ଅଧିକ ମାମଲା ପହଞ୍ଚିଛି। ୨୦୦୩ରୁ ଚୀନ ସରକାର ଆଇନରେ ସରଳତା ଆଣିବା ପରଠାରୁ ଦେଶରେ ଛାଡ଼ପତ୍ର ମାମଲା ବଢ଼ିବାରେ ଲାଗିଛି। ଗତବର୍ଷ ଦେଶରେ ୪୧ ଲକ୍ଷ ଛାଡ଼ପତ୍ର ମାମଲା ରୁଜୁ ହୋଇଥିଲା। ଚୀନରେ ଛାଡ଼ପତ୍ର ଓ ଘରୋଇ ହିଂସା ମାମଲା ବୃଦ୍ଧି ପାଇବା ଅନ୍ୟ ଦେଶ ବିଶେଷ କରି ଆମେରିକା ଓ ଭାରତ ଭଳି ଦେଶ ପାଇଁ ଚିନ୍ତାର କାରଣ ହୋଇଛି। ଏହିସବୁ ଦେଶରେ ଏବେ କୋରୋନା ପାଇଁ ତାଲାବନ୍ଦ ଜାରି ହୋଇଛି। ଏଥିଯୋଗୁ ପତି-ପତ୍ନୀ ଦିନସାରା ଘରେ ରହୁଥିବାରୁ ସେମାନଙ୍କ ମଧ୍ୟରେ ମତପାର୍ଥକ୍ୟ ସ୍ବରୂପ ହିଂସା ଓ ଛାଡ଼ପତ୍ର ପରିସ୍ଥିତି ସୃଷ୍ଟି ହୋଇଛି।
ଭାରତରେ ଏଭଳି ମାମଲାର ନିର୍ଦ୍ଦିଷ୍ଟ ହିସାବ ମିଳି ନ ଥିଲେ ମଧ୍ୟ ଏ ନେଇ ବହୁ ରିପୋର୍ଟ ଗଣମାଧ୍ୟମ ତଥା ପ୍ରଶାସନର ଦୃଷ୍ଟିକୁ ଆସୁଛି। ପୁରୁଷମାନେ ଘରେ ରହିବା ଫଳରେ ସେମାନଙ୍କ ମାନସିକ ବିତସ୍ପୃହତାର ପ୍ରଭାବ ମହିଳାଙ୍କ ଉପରେ ପଡ଼ୁଛି। ଘରର ସବୁ ସଦସ୍ୟ ଦିନରାତି ଘରେ ରହୁଥିବାରୁ ଖାଦ୍ୟପେୟ ପ୍ରସ୍ତୁତି ଓ ଘରକାମର ଚାପ ପରିବାରର ମହିଳାମାନଙ୍କ ଉପରେ ପଡ଼ୁଛି। ଏବେ ଭାରତୀୟ ପରିବାର ଗୁଡ଼ିକରେ ମହିଳାଙ୍କ ତୁଳନାରେ ଅଧିକ ପୁରୁଷ ଥିବା ବେଳେ ମହିଳାଙ୍କ ଉପରେ ଘରକାମର ଅତିରିକ୍ତ ବୋଝ ଲଦି ହୋଇଯାଉଛି। ଏହାକୁ ପୂର୍ବାନୁମାନ କରି ଲକଡାଉନ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀ ସମସ୍ତ ପୁରୁଷ ଓ ମହିଳାମାନଙ୍କୁ ଶୃଙ୍ଖଳିତ ଓ ସଂଯମୀ ହୋଇ ଘରକାମ ମିଳିମିଶି କରିବା ଦିଗରେ ପରାମର୍ଶ ଦେଇଥିଲେ। କିନ୍ତୁ ଏବେ ମହିଳାମାନେ ଅତିରିକ୍ତ କାମ କରିବା ସହିତ ସ୍ବାମୀମାନଙ୍କ ଗାଳିଗୁଲଜ ଶୁଣୁଥିବା ଚର୍ଚ୍ଚାକୁ ଆସିଛି।
ଜାତୀୟ ମହିଳା ଆୟୋଗ ମଧ୍ୟ ସ୍ବୀକାର କରିଛନ୍ତି ଯେ କୋରୋନା ମହାମାରୀ ଭୂତାଣୁ ବିରୋଧରେ ଲକଡାଉନ ଭଳି ଯୁଦ୍ଧ ଘୋଷଣା ହୋଇଥିବା ବେଳେ ପାରବାରିକ ହିଂସା ବଢ଼ିବା ଚିନ୍ତାର ବିଷୟ। ଗତ ଜାନୁଆରୀ ମାସରେ ଜାତୀୟ ମହିଳା ଆୟୋଗଙ୍କ ନିକଟରେ ୨୭୦ ଓ ଫେବ୍ରୁଆରୀରେ ୩୦୨ଟି ଅଭିଯୋଗ ଆସିଥିବା ବେଳେ ମାର୍ଚ୍ଚ ୨୩ ପୂର୍ବରୁ ମୋଟ ୨୯୧ଟି ଅଭିଯୋଗ ମିଳିଥିଲା। କିନ୍ତୁ ମାର୍ଚ୍ଚ ୨୩ରୁ ୩୦ ମଧ୍ୟରେ ଆୟୋଗଙ୍କ ନିକଟରେ ଏଭଳି ୫୮ଟି ଅଭିଯୋଗ ପହଞ୍ଚିଛି। ସେଥିମଧ୍ୟରୁ ଅଧିକାଂଶ ପଞ୍ଜାବର। ଅନ୍ୟ ରାଜ୍ୟରେ ଏହି ସଂଖ୍ୟା ମଧ୍ୟ ବଢ଼ୁଛି। ତାଲାବନ୍ଦ ଯୋଗୁ ଅନଲାଇନ ଓ ଡାକ ଯୋଗେ ମାମଲାମାନ ଆସୁଥିବା ଜାତୀୟ ମହିଳା ଆୟୋଗଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ଅପରପକ୍ଷରେ ତାଲାବନ୍ଦ ସମୟରେ ଘରୋଇ ହିଂସା ରୋକିବା ପାଇଁ ମାଲେସିଆ ସରକାର ଏକ ନିଆରା ପଦକ୍ଷେପ ନେଇଛନ୍ତି। ସ୍ବାମୀ ଘରେ ରହୁଥିବାରୁ ସ୍ତ୍ରୀମାନେ ନିଜକୁ ଅଧିକ ସଜେଇବା, ଭଲ ପୋଷାକ ପିନ୍ଧିବା, ସ୍ବାମୀଙ୍କ ସହିତ ମଧୁର ଆଳାପ କରିବା ଆଦି ଭଳି ମହିଳାମାନଙ୍କୁ କେତୋଟି ପରାମର୍ଶ ଦେଇଛନ୍ତି। ଏହାଦ୍ବାରା ସ୍ବାମୀ-ସ୍ତ୍ରୀ ଝଗଡ଼ା ହେବ ନାହିଁ କିମ୍ବା ସ୍ବାମୀ ଚିଡ଼ଚିଡ଼ା ହେବେ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜାରି ଉପଦେଶାବଳୀରେ କୁହାଯାଇଛି। ଏ ସମ୍ପର୍କିତ ଏକ ପୋଷ୍ଟର ମଧ୍ୟ ଦେଶର ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜାରି କରାଯାଇଛି। ଘରର ଚାରିକାନ୍ଥ ମଧ୍ୟରେ ବାନ୍ଧିହୋଇ ରହିବା ଜନିତ ଯୁକ୍ତିତର୍କ ଓ ଥଟ୍ଟା ପରିହାସରୁ ଦୂରେଇ ରହିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି।
ତେବେ ବିଭିନ୍ନ ମହଲରୁ ଏହି ପୋଷ୍ଟରକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ତାଲାବନ୍ଦ କାରଣରୁ ଲୋକେ ପରିବାରରେ ଅଧିକ ସମୟ ଦେଇ ପରିବାରର ପ୍ରେମରେ ବାନ୍ଧି ହୋଇଛନ୍ତି। ପରସ୍ପର ମଧ୍ୟରେ ଆଳାପ ଆଲୋଚନା ଓ ସମ୍ପର୍କକୁ ନିବିଡ଼ କରାଇଛି ଏହି ସମୟ। କୋରୋନାର ତାଲାବନ୍ଦ ନିଷ୍ପତ୍ତିରେ ପାରିବାରିକ ହିଂସା ନୁହେଁ ବରଂ ଶାନ୍ତି ଓ ସଦ୍ଭାବ ସଂପ୍ରୀତି ବଢ଼ିଛି ବୋଲି କେତେକ ବ୍ୟକ୍ତ କରନ୍ତି। କିନ୍ତୁ ଏକଥା ସତ ଯେ ଦିନକୁ ୮ ଘଣ୍ଟାରୁ ୧୨ ଘଣ୍ଟା ଘରଠାରୁ ଦୂରରେ ତିବା ପୁରୁଷମାନେ ଘରେ ରହିବା ଫଳରେ ଘରର ମହିଳାମାନଙ୍କ ଉପରେ କାମର ଚାପ ବଢ଼ିଛି। ଏହାକୁ ପୁରୁଷମାନେ ହୃଦୟଙ୍ଗମ କରି ଘରୋଇ କାମରେ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମାନସିକ ରୋଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଯଦି ପ୍ରତ୍ୟେକ ପରିବାରରେ ଘରର କାମରେ ପୁରୁଷମାନେ ସହଯୋଗ କରିବେ, ତେବେ କୋରୋନା ବିରୋଧୀ ଯୁଦ୍ଧ ପରିବାରକୁ ମଧ୍ୟ ଅଶାନ୍ତିରୁ ଦୂର କରିପାରିବ।