କୋରୋନା ଲକ୍ଡାଉନ୍ : କ’ଣ କରୁଛନ୍ତି ସିନେତାରକା
ସାରା ବିଶ୍ବ କୋରୋନା ବିରୋଧରେ ଯୁଦ୍ଧ ଲଢ଼ୁଛି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାଭାରତ ଯୁଦ୍ଧ ୧୮ ଦିନ ଚାଲିଥଲା। ହେଲେ ଏ ଯୁଦ୍ଧ ୨୧ ଦିନ ଲଢ଼ାଯିବ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନାମୀ ଦାମୀ ଲୋକସବୁ ନିଜ ନିଜ ଘରେ ବନ୍ଦୀ। ସାରା ଦେଶରେ ଲକଡାଉନ ଘୋଷଣା ହେବା ପରେ ଏ ପ୍ରକାର ସ୍ଥିତି। ସିନେତାରକା ମାନଙ୍କ କଥା ଯଦି କୁହାଯିବ, ସେମାନେ ବି ଏକ ପ୍ରକାର ହାତ ବାନ୍ଧି ବସିଛନ୍ତି। ଲକଡାଉନ କାରଣରୁ ସିନେମା ରିଲିଜ ହୋଇପାରୁନି। ବିଶ୍ବ ସାରା ଶୁଟିଂରେ ବସ୍ତ ବଡ଼ ବଡ଼ କଳାକାରମାନେ ଏବେ ନିଜ ନିଜ ଘରମାନଙ୍କରେ ଛୁଟି କଟାଉଛନ୍ତି। କେତେକ ସିନେତାରକା ନିଜ ପରିବାରରେ ସମୟ ଦେଉଥବା ବେଳେ କେତେକ କଳାକାର ଦିନ ମଜୁରିଆଙ୍କୁ ଏଭଳି ଦୁର୍ଦ୍ଦିନରେ ସହାୟତା କରିବାକୁ ପାଣ୍ଠି ଯୋଗାଡ଼ରେ ଲାଗିଛନ୍ତି ଓ ଆଉ କେତେକ ଜନସଚେତନତା ସୃଷ୍ଟି କରିବାରେ ନିଜକୁ ନିୟୋଜିତ କରିଛନ୍ତି।
ସିନେ ନିର୍ମାତା ରାଜକୁମାର ହିରାନୀ ଦିନ ମଜୁରିଆ ଶ୍ରମିକଙ୍କ ଦୁର୍ଦ୍ଦିନରେ ସହାୟତା କରିବାକୁ ପାଣ୍ଠି ଯୋଗାଡ଼ରେ ଲାଗିଛନ୍ତି। ନିଜ ଟ୍ବିଟର ଜରିଆରେ ସେ ନିଜ ସର୍କଲରେ ନିବେଦନ କରି ସଫଳତା ପାଇଛନ୍ତି। ଦିନ ମଜୁରିଆମାନେ ଲକଡାଉନ କାରଣରୁ କାମଧନ୍ଦାକୁ ଯାଇପାରୁ ନାହାନ୍ତି। କ୍ଷୁଧା ଦୂର ପାଇଁ ସେମାନଙ୍କ ନିକଟରେ ବିକଳ୍ପ କିଛି ନାହିଁ। ରୋଗରେ ମ୍ତ୍ୟୁ ହେବା ପୂର୍ବରୁ କ୍ଷୁଧା ସେମାନଙ୍କୁ ମାରି ନ ଦେଉ ବୋଲି ସେ ନିଜ ଟ୍ବିଟରରେ ନିବେଦନ କରୁଥବା ଦେଖାଯାଇଛି। ଅଭିନେତ୍ରୀ ସୋନମ କପୁର ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ମୋର ଯୋଗଦାନ ନିଶ୍ଚିତତା କରିଦେଇଛି। ଆଉ ଆପଣମାନେ ଦିଅନ୍ତୁ। ପ୍ରିୟଙ୍କା ଚୋପ୍ରା ହାତକୁ କିଭଳି ଧୋଇବେ ତା’ର ଏକ ଭିଡିଓ ଅପ୍ଲୋଡ଼ କରିଛନ୍ତି। ପରିଷ୍କାର ହାତ ଭୂତାଣୁ ସଂକ୍ରମଣକୁ ପ୍ରତିହତ କରୁଥବାରୁ ଭଲଭାବେ ବାରମ୍ବାର ହାତ ଧୋଇବା କୌଶଳକୁ ପ୍ରିୟଙ୍କା ପ୍ରଦର୍ଶିତ କରିଛନ୍ତି। ନିଜେ ଓ ନିଜର ପରିବାର ସଦସ୍ୟମାନେ ୨୦-୨୫ ସେକେଣ୍ଡ କିଭଳି ଭଲଭାବେ ହାତ ଧୋଇବେ ତାହା ପ୍ରଦର୍ଶିତ କରିଛନ୍ତି। ଫିଲ୍ମମେକର ଅନୁରାଗ କଶ୍ୟପ ଟ୍ବିଟର ଏବଂ ଇନଷ୍ଟାଗ୍ରାମରେ ଲୋକଙ୍କୁ ଘରେ ଥିବା ବେଳେ କେତେକ ଭଲ ଭଲ ଫିଲ୍ମ ଦେଖିବା ପାଇଁ ପରାମର୍ଶ ଦେଇଛନ୍ତି। ମହାମାରୀକୁ ନେଇ ସାରା ବିଶ୍ବ ଲଢ଼ୁଥବା ବେଳେ ଏହାକୁ ନେଇ ଆଦୌ ଆତଙ୍କିତ ନ ହେବା ପାଇଁ ଅନୁରାଗ କହିଛନ୍ତି। ଲକଡାଉନ ପରେ ସଡ଼କ ଉପରେ ବୁଲାବୁଲି କରୁଥବା ଲୋକଙ୍କ ଉପରେ ପୋଲିସର ଲାଠିମାଡ଼ ଭିଡିଓ ଭାଇରାଲ ହେଉଥିବା ଦେଖାଯାଇଛି। ଆର୍ଟିକଲ-୧୫ ଏବଂ ମୁଲ୍କ ପରି ସିନେମା ପ୍ରଦାନ କରିଥିବା ଅନୁଭବ ସିହ୍ନା ଟ୍ବିଟ କରି କହିଛନ୍ତି ଯେ ପୋଲିସଙ୍କୁ ଲକ୍ଷେ ଗାଳି ଦେଲେ ବି ସେମାନେ ଏବେ ଯେଉଁଭଳି କାମ କରୁଛନ୍ତି, ତାଳି ଶୁଣିବା ପାଇଁ ହକ୍ଦାର। ଗାଳି ନୁହେଁ। ଆମର ଶହ ଶହ ଭୁଲକୁ ସୁଧାରିବା ଦିଗରେ ସ୍ବାସ୍ଥ୍ୟକର୍ମୀ ପୋଲିସ, ବିଦ୍ୟୁତ ଓ ଜଳଯୋଗାଣ ତଥା ଅନାନ୍ୟ ଜରୁରୀ ସୁବିଧା ଓ ସେବା ପ୍ରଦାନକାରୀ ମାନେ ନିଜ ଜୀବନକୁ ବାଜି ଲଗାଇ ଲଢ଼ୁଛନ୍ତି। ଲେଖକ ବରୁଣ ଗ୍ରୋଭର ୨୧ ଦିନର ଏକାନ୍ତବାସକୁ ଚିତ୍ରକଥା ମାଧ୍ୟମରେ ଲୋକଙ୍କ ସାମ୍ନାକୁ ଆଣିଛନ୍ତି। ମାର୍ଚ୍ଚ ୨୨ରେ ଅଭିନେତା ଶାହରୁଖ ଖାନ ଏକ ଭିଡିଓ ରିଲିଜ କରି ଟ୍ବିଟ କରିଥଲେ। ସୂଚାଇଥିଲେ ଯେ କୋରୋନା ଭୂତାଣୁ ବିରୋଧରେ ବିଜୟ ହାସଲ କରିବାକୁ ହେଲେ ଏକାନ୍ତବାସ ଅତ୍ୟନ୍ତ ଜରୁରୀ। ପ୍ରସିଦ୍ଧ ସିନେ ଅଭିନେତା ଅମିତାଭ ବଚ୍ଚନ ନିଜ ଟ୍ବିଟରରେ କୋରୋନାକୁ ନେଇ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି। ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଦିନ ସନ୍ଧ୍ୟା ୫ଟାରେ ବିଜୟ ଉଦ୍ଘୋଷ ସ୍ବରୂପ ଅମିତାଭ, ଐଶ୍ବର୍ଯ୍ୟା ପ୍ରମୁଖ ଘଣ୍ଟ ଓ ଥାଳି ବଜାଇଥିବା ଦେଖାଯାଇଥଲା। ବିଭିନ୍ନ ସାମାଜିକ ପ୍ରସଙ୍ଗରେ ସକ୍ରିୟ ରହୁଥବା ଆମୀର ଖାନ ଗୋଟିଏ ଟ୍ବିଟକୁ ବାଦ୍ ଦେଲେ ଆଉ ବିଶେଷ କିଛି ଆଗ୍ରହ ପ୍ରକାଶ କରିନାହାନ୍ତି। କ୍ୟାଟ୍ରିନା କୈଫ ଇନଷ୍ଟାଗ୍ରାମରେ ଘରେ ଝାଡ଼ୁଦେବା ଓ ବାସନ ମାଜିବା ଆଦି କାମରେ ନିୟୋଜିତ ଥିବାର ଭିଡିଓ ଶେୟାର କରିଛନ୍ତି। ଅନୁଷ୍କା ଶର୍ମା ଓ ବିରାଟ କୋହଲି ଗୋଟିଏ ସେଲଫି ଶେୟାର କରି ଏକାନ୍ତବାସ ଆମ ଦୁହିଁଙ୍କ ପ୍ରେମ ଭାବନାକୁ ବିସ୍ତାରିତ କରାଇବ ବୋଲି ଉଲ୍ଲେଖ କରିଛନ୍ତି। ପିଟିଆଇ ସୂତ୍ରରୁ ଜଣାପଡ଼ିଛି ଯେ ବଙ୍ଗଳାଦେଶର କ୍ରିକେଟ ଖେଳାଳିମାନେ କୋରୋନା ବିରୋଧରେ ଲଢ଼େଇ ପାଇଁ ନିଜ ନିଜର ଗୋଟିଏ ମାସର ଦରମା ପ୍ରଦାନ କରିଛନ୍ତି। ଆମର ନାମୀ ଦାମୀ ଖେଳାଳିମାନଙ୍କ ମଧ୍ୟରୁ ସଚିନ ତେନ୍ଦୁଲକର ଓ ବିରାଟ କୋହଲି ଟ୍ବିଟର ଜରିଆରେ ଏକାନ୍ତବାସ ସପକ୍ଷରେ ସଚେତନତା ସୃଷ୍ଟିକାରୀ ଭିଡିଓ ଅପ୍ଲୋଡ କରିବା ଦେଖାଯାଇଛି। କୌଣସି ସିନେତାରକା ଓ କ୍ରିକେଟ ଖେଳାଳି ଆର୍ଥିକ ସହାୟତା ପାଇଁ ଆଗକୁ ଆସିନାହାନ୍ତି। ରୋଜର ଫେଡେରର ଏକ ମୋଟା ଅଙ୍କର ଅର୍ଥରାଶି ଦାନ କରିଥିବା ଜଣାଯାଇଛି। ଭାରତରତ୍ନ ସଚିନ ତେନ୍ଦୁଲକର, ବିରାଟ କୋହଲି ଏବଂ ମହେନ୍ଦ୍ର ସିଂ ଧୋନି ବିଜ୍ଞାପନରୁ କୋଟି କୋଟି ଟଙ୍କା ସଂଗ୍ରହ କରୁଥିବାବେଳେ କୋରୋନା ଲଢ଼େଇ ପାଇଁ ଦାନ କରିବାର ଆବଶ୍ୟକତା ଥିବା ଆଲୋଚନା ହେଉଛି। ମହେନ୍ଦ୍ର ସିଂ ଧୋନି ଫେବ୍ରୁଆରୀ ୧୪ରୁ ଟ୍ବିଟର ପୃଷ୍ଠାରୁ ବିରତି ନେଇଛନ୍ତି। ପଡ଼ିଆରୁ ମଧ୍ୟ।


