କୋରୋନା ସଂକ୍ରମଣ ପାଇଁ ଚୀନ୍ ବିରୋଧରେ ମାମଲା ଦାଏର୍
ୱାଶିଂଟନ୍ ଡିସି: ଗତ ବର୍ଷ ଡିସେମ୍ବରରେ ଚୀନ୍ର ହୁବେଇ ପ୍ରଦେଶ ଅନ୍ତର୍ଗତ ଉହାନ୍ ସହରରୁ ସର୍ବପ୍ରଥମେ କୋରୋନା ଭୂତାଣୁ ବ୍ୟାପିବା ଆରମ୍ଭ କରିଥିଲା। ଅଦ୍ୟାବଧି ଏହି ଭୂତାଣୁ କବଳରେ ବିଶ୍ବର ୧୯୦ରୁ ଊର୍ଦ୍ଧ୍ବ ଦେଶ ଆସିସାରିଛନ୍ତି। ଚୀନ୍ ଏହି ଘାତକ ଭୂତାଣୁର ଜନକ ହୋଇଥିବା ଦର୍ଶାଇ ଆମେରିକାର ଜଣେ ଆଇନଜୀବୀ ଏହି ଦେଶ ବିରୋଧରେ ଏକ ମାମଲା ଦରଜ କରିଛନ୍ତି। ୱାଶିଂଟନ୍ ନିବାସୀ ଲାରି କ୍ଲେମାନ୍ ନାମକ ଏହି ଆଇନଜୀବୀ ୨୦ ଟ୍ରିଲିଅନ୍ ଆମେରିକୀୟ ଡଲାର୍ର କ୍ଷତିପୂରଣ ମାମଲା ଦାଏର୍ କରିଥିବା ବେଳେ ଚୀନ୍ ଏହି ଘାତକ ଭୂତାଣୁର ସୃଷ୍ଟିକର୍ତ୍ତା ଓ ଏଠାରୁ କୋରୋନା ଭୂତାଣୁ ବ୍ୟାପିଥିବା ସେ ଦର୍ଶାଇଛନ୍ତି। ଅଦ୍ୟାବଧି ସମଗ୍ର ବିଶ୍ବର ପାଖାପାଖି ସାଢ଼େ ୩ ଲକ୍ଷ ଲୋକଙ୍କଠାରେ ଏହି ଭୂତାଣୁ ବ୍ୟାପିଯାଇଛି। ଚୀନ୍ ନିଜର ଜୈବିକ ଅସ୍ତ୍ର ଭାବେ ପ୍ରୟୋଗ କରିବା ସକାଶେ କୋରୋନା ଭୂତାଣୁକୁ ତିଆରି କରିଛି ବୋଲି କ୍ଲେମାନ୍ ଓ ତାଙ୍କ ଟେକ୍ସାସ୍ସ୍ଥିତ ଆଇନଜୀବୀ ଗୋଷ୍ଠୀ ‘ଫ୍ରିଡମ୍ ୱାଚ୍ ଏଣ୍ଡ୍ ବଜ୍ ଫୋଟୋସ୍’ ପକ୍ଷରୁ ଆମେରିକା ଡିଷ୍ଟ୍ରିକ୍ଟ କୋର୍ଟରେ ଦାଖଲ ମାମଲାରେ ଅଭିଯୋଗ କରାଯାଇଛି। ଚୀନ୍ କୋରୋନା ଭୂତାଣୁକୁ ତିଆରି କରି ଆମେରିକୀୟ ଆଇନ ସହ ଅନ୍ତର୍ଜାତୀୟ ଆଇନ, ଚୁକ୍ତି ଓ ଅନ୍ୟାନ୍ୟ ନିର୍ଦେଶାବଳୀର ଉଲ୍ଲଙ୍ଘନ କରିଛି ବୋଲି କ୍ଲେମାନ୍ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।
କ୍ଲେମାନ୍ଙ୍କ କହିବା କଥା ଯେ ଚୀନ୍ ପକ୍ଷରୁ ଗବେଷଣାଗାରରେ କୋରୋନା ଭୂତାଣୁକୁ ବିକଶିତ କରାଯାଇଛି ଏବଂ ଏହା କେବଳ ଆମେରିକା ଓ ଚୀନ୍ର ବିରୋଧୀ ରାଷ୍ଟ୍ର ବିପକ୍ଷରେ ଉପଯୋଗ କରାଯିବା ସକାଶେ ବିକଶିତ କରାଯାଇଥିଲା। ଏହି ବିଶ୍ବ ମହାମାରୀରେ ସମଗ୍ର ବିଶ୍ବରେ ହଜାର ହଜାର କୋଟି ଟଙ୍କାର କ୍ଷତି ହୋଇଥିବାରୁ ଚୀନ୍ ଏଥିପାଇଁ ୨୦ ଟ୍ରିଲିଅନ୍ ଆମେରିକୀୟ ଡଲାର୍ କ୍ଷତିପୂରଣ ପ୍ରଦାନ କରିବା ସକାଶେ କ୍ଲେମାନ୍ ତାଙ୍କ ଆବେଦନପତ୍ରରେ ଦାବି କରିଛନ୍ତି। କୋରୋନା ଭୂତାଣୁକୁ କ୍ଲେମାନ୍ ଚୀନ୍ ସରକାରଙ୍କର ଏକ ବେଆଇନ ଜୈବିକ ଅସ୍ତ୍ର ବୋଲି ଦର୍ଶାଇବା ସହ ଉହାନ୍ ୟୁନିଭର୍ସିଟି ଅଫ୍ ଭାଇରୋଲୋଜି ପକ୍ଷରୁ ଏହି ଭୂତାଣୁକୁ ଅନ୍ୟ ଦେଶକୁ ଉଦ୍ଦେଶ୍ୟମୂଳକ ଭାବେ ସଂକ୍ରମଣ କରାଯାଇଥିବା କହିଛନ୍ତି। ଯଦିଓ ଯୋଜନାହୀନ ଓ ଅପ୍ରତ୍ୟାଶିତ ଭାବେ ଏହି ଭୂତାଣୁ ଅନ୍ୟାନ୍ୟ ଦେଶକୁ ବ୍ୟାପିଛି, କିନ୍ତୁ ଏହାର ପ୍ରସ୍ତୁତି ସମ୍ପୂର୍ଣ୍ଣ ଭାବେ ବେଆଇନ ଓ ଚୀନ୍ କେବଳ ଆମେରିକା ଓ ନିଜର ଶତ୍ରୁ ରାଷ୍ଟ୍ରକୁ କ୍ଷତି ପହଞ୍ଚାଇବା ସକାଶେ ଏପରି ଏକ ଜୈବିକ ଅସ୍ତ୍ର ପ୍ରସ୍ତୁତ କରିଥିବା କ୍ଲେମାନ୍ ତାଙ୍କ ଆବେଦନପତ୍ରରେ ଦର୍ଶାଇଛନ୍ତି।


