କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ପୁନଃ ଥଇଥାନ ଯୋଜନାରେ ମିଳିଲାନି ନିଯୁକ୍ତି
ବାଲେଶ୍ୱର, (ସରୋଜ ପଣ୍ଡା):ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଭାଗୀୟ ଉଦାସୀନତା ଯୋଗୁଁ ପୁନଃ ଥଇଥାନ ଯୋଜନାରେ ନିଯୁକ୍ତି ନ ପାଇ ପରିବାର ବର୍ଗଙ୍କ ସହ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବକ ଅନଶନରେ ବସିବା ସମସ୍ତଙ୍କୁ ଅଶ୍ଚର୍ଯ୍ୟାନ୍ୱିତ କରିଛି । ଅନଶନକାରୀଙ୍କ ସୂଚନା ଅନୁସାରେ ବାଲିଆପାଳ ବ୍ଲକର କୁଶଡିହା ଗ୍ରାମ ସ୍ୱର୍ଗତଃ ଅନନ୍ତ କୁମାର ପରିଡ଼ା କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ଥାଇ ମୃତ୍ୟୁବରଣ କରିଥିଲେ । ପିତାଙ୍କ ସ୍ୱର୍ଗବାସ ପରେ ପୁତ୍ର ଧୀରେନ୍ଦ୍ର ପରିଡ଼ା ପୁନଃ ଥଇଥାନ ଯୋଜନାରେ ଚାକିରି ପାଇଁ ଆବେଦନ କରିଥିଲେ । ମାତ୍ର ବିଭାଗୀୟ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁଁ ବାଧ୍ୟ ହୋଇ ସେ ଅଦାଲତର ଆଶ୍ରୟ ନେଇଥିଲେ । ଦୀର୍ଘ ୯ ବର୍ଷକାଳ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ମାମଲାର ବିଚାର ପରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଧୀରେନ୍ଦ୍ରଙ୍କ ନିଯୁକ୍ତି ପାଇଁ ଜଳସେଚନ ବିଭାଗ ଓ କ୍ଷୁଦ୍ର ଜଳସେଚନ ବିଭାଗକୁ ନର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନେଇ ବାରମ୍ବାର ଭୂବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟକୁ ଦୌଡ଼ିବା ସତ୍ତ୍ୱେ ନିଯୁକ୍ତିକୁ ନେଇ ଧୀରେନ୍ଦ୍ରଙ୍କୁ କୌଣସି ସୁଫଳ ମିଳିନଥିଲା । ଏମିତିକି ଗତ ଜୁଲାଇ ମାସ ୧୧ ତାରିଖରେ ଆତ୍ମାହୁତି କରିବା ନେଇ ଚେତାବନୀ ଦେବା ପରେ ୧ ମାସ ମଧ୍ୟରେ ଧୀରେନ୍ଦ୍ରଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି କ୍ଷୁଦ୍ର ଜଳସେଚନ ବିଭାଗ ମୁଖ୍ୟଯନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଇତିମଧ୍ୟରେ ୫ଥର ଭୁବନେଶ୍ୱର ଯାଇ ଧୀରେନ୍ଦ୍ର ମୁଖ୍ୟଯନ୍ତ୍ରୀଙ୍କୁ ଭେଟିଥିବା ବେଳେ ‘ତୁମ କଥା ବୁଝା ଯାଉଛି’ କହି ତାଙ୍କୁ ଫେରାଇ ଦିଆଯାଇଥିବା ସେ କହିଛନ୍ତି । ଅନ୍ୟ ଉପାୟ ନ ପାଇ ଶେଷରେ ପରିବାର ସହ କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି ବୋଲି ଧୀରେନ୍ଦ୍ର କହିଛନ୍ତି । ତାଙ୍କ ସହ ତାଙ୍କ ସ୍ତ୍ରୀ ରୀତାରାଣୀ ପରିଡ଼ା, ମା’ ଶାନ୍ତିଲତା ପରଡ଼ା ଓ ପୁତ୍ର ସାଇରାମ ପରିଡା ଏହି ଆମରଣ ଅନଶନରେ ବସିଥିଲେ । ତେବେ ଏ ସମ୍ପର୍କରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଷ୍ଣୁପଦ ପଟ୍ଟାୟତଙ୍କୁ ପଚାରିବାରୁ ସେ ଅସହାୟତା ପ୍ରକାଶ କରିଛନ୍ତି । ବିଭିନ୍ନ ସମୟରେ ସରକାରୀ ଚାକିରୀରେ ପୁନଃ ଥଇଥାନ ଯୋଜନା ପରିବର୍ତ୍ତନ ହେଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ କାର୍ଯ୍ୟ ଚାଲିଥିବା ସେ କହିଥିଲେ ।