କୋଲକତା ନିର୍ଭୟାଙ୍କୁ ନ୍ୟାୟ

ଦେଶବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି କରିଥିବା ପଶ୍ଚିମବଙ୍ଗ ସରକାରଙ୍କ ନିୟନ୍ତ୍ରଣାଧୀନ ଆରଜିକର ମେଡିକାଲ କଲେଜ ଏବଂ ହସ୍‌ପିଟାଲରେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ମାତ୍ର ୧୬୧ ଦିନରେ ଘୋଷଣା କରି ଜିଲ୍ଲା ଦୌରା ଅଦାଲତ ଦୋଷୀ ସଂଜୟ ରୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ଦେବା ସ୍ୱାଗତଯୋଗ୍ୟ ଏବଂ ଦେଶର ବିଚାର ପଦ୍ଧତି ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସକୁ ସୁଦୃଢ କରିବାରେ ସହାୟକ ହୋଇପାରିଛି ବୋଲି କୁହାଯାଇପାରିବ । ଆମ ଦେଶରେ ବିଚାର ପ୍ରକ୍ରୀୟାରେ ମନ୍ଥରତା ଚିନ୍ତାର କାରଣ ହୋଇଥିବାବେଳେ ଟ୍ରେନିଂ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତଦନ୍ତ ଓ ଚାର୍ଜସିଟ୍ ଦାଖଲ ଯୋଗୁଁ ପିଡିତାଙ୍କୁ ତୁରନ୍ତ ନ୍ୟାୟା ମିଳିବାରେ ସହାୟକ ହୋଇଛି । ଅବଶ୍ୟ ଅଭିଯୁକ୍ତ ଉଚ୍ଚ ନ୍ୟାୟାଳୟରେ ତଳକୋର୍ଟର ରାୟ ବିରୁଦ୍ଧରେ ଅପିଲ କରିପାରେ । ତେବେ ଏହାର ଶୁଣାଣୀ କେତେ ସମୟ ନେବ, ତାହା ଭବିଷ୍ୟତ ହିଁ କହିବ । କିନ୍ତୁ ଏହା ନିସନ୍ଦେହ ଯେ, ଏହି ସମ୍ବେଦନଶୀଳ ସମଗ୍ର ମାମଲାର ରାୟ ଅପ୍ରତ୍ୟାଶୀତ ନଥିଲା । ଦୋଷୀଙ୍କୁ ଫାଶୀଦଣ୍ଡ ଦେବା ଲାଗି ଉଭୟ ଜନସାଧାରଣ ଓ ସିବିଆଇ ଦାବି କରିଥିବାବେଳେ ବିଚାରପତି ତାଙ୍କ ନିଷ୍ପତିର ଯଥାର୍ଥତା ପ୍ରତିପାଦନ କରି କହିଛନ୍ତି ଯେ, ଏହି ମାମଲା ବିରଳରୁ ବିରଳତାର ପରିସରଭୁକ୍ତ ନୁହେଁ । ଏହା ବ୍ୟତୀତ ଦୋଷୀଙ୍କୁ ୫୦୦୦ ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଥିବାବେଳେ ପିଡିତାଙ୍କ ପରିବାରକୁ ୧୭ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ତ୍ୱରିତ ରାୟ ପିଡିତାଙ୍କ ପିତାମାତା, ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଜନସାଧାରଣ ପାଇଁ ଆଶ୍ୱସ୍ତି ଆଣିଦେବା ଆଶା କରାଯାଏ । ଉଲ୍ଲେଖଯୋଗ୍ୟ ଯେ, ବହୁ ଚର୍ଚ୍ଚିତ ୨୦୧୨ ଦିଲ୍ଲୀ ‘ନିର୍ଭୟ’ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପରେ କୋଲକତା ଘଟଣା ଥିଲା, ଦେଶରେ ସର୍ବବୃହତ ଉତେଜନା ସୃଷ୍ଟିକାରୀ ଘଟଣା । କୋଲକତା ଘଟଣା ଦେଶବ୍ୟାପୀ ଯେଉଁଭଳି ଉତେଜନା ସୃଷ୍ଟି କରିଥିଲା, ଦିଲ୍ଲୀ ନିର୍ଭୟା ଘଟଣାର ପ୍ରଭାବ ସେପରି ବ୍ୟାପକ ନଥିଲା । କୋଲକତା ଘଟଣାରେ ପୋଲିସ ଓ ରାଜ୍ୟସରକାରଙ୍କ ଶିଥିଳତା ପ୍ରତିବାଦରେ ମାମଲା ତ୍ୱରିତ ଶୁଣାଣୀ, ପିଡିତାଙ୍କୁ ତୁରନ୍ତ ନ୍ୟାୟା ଓ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାବିରେ ଯେଉଁଭଳି ଦେଶବ୍ୟାପୀ ଡାକ୍ତରୀ ଛାତ୍ରଛାତ୍ରୀମାନେ ଧର୍ମଘଟ ଚଳାଇଥିଲେ, ତାହା ଅଦ୍‌ଭୂତପୂର୍ବ ଥିଲା । ଯାହାର ପରିଣତି ସ୍ୱରୁପ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇର ତଦନ୍ତ ପ୍ରକ୍ରୀୟା ମଧ୍ୟ ତ୍ୱରିତ ଥିଲା । ମାମଲାର ପ୍ରଭାବ ଏବେ ସୁଦୂର ପ୍ରସାରୀ ଥିଲା ଯେ, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କେବଳ କଲେଜର ପ୍ରିନସ୍‌ଲ୍ଲଙ୍କ ନିଷ୍କ୍ରିୟତାକୁ ପଦାରେ ପକାଇ ନଥିଲା, ତାଙ୍କର ଦୁର୍ନୀତିର ପର୍ଦ୍ଦାଫାସ କରିଥିଲା, ଯେଉଁଥିପାଇଁ କି ତାଙ୍କୁ ଜେଲ ଯିବାକୁ ପଡିଥିଲା । ପ୍ରିନସ୍‌ପାଲଙ୍କ କାର୍ଯ୍ୟକଳାପ ମଧ୍ୟ କିଛି କମ୍ ସନ୍ଦେହଜନକ ନଥିଲା । ପ୍ରିନସ୍‌ପାଲଙ୍କ କାର୍ଯ୍ୟକଳାପ ମଧ୍ୟ କିଛି କମ୍ ସନ୍ଦେହଜନକ ନଥିଲା । ଆହୁରି ମଧ୍ୟ ମାମଲାରେ କୋଲକତା ଉଚ୍ଚ ନ୍ୟାୟାଳୟ ଏବଂ ସୁପ୍ରିମକୋର୍ଟଙ୍କୁ ନିଜ ଆଡୁ ହସ୍ତକ୍ଷେପ କରିବାକୁ ପଡିଥିଲା । ମାମଲାର ତ୍ୱରିତ ଶୁଣାଣୀ କରି ପଶ୍ଚିମବଙ୍ଗର ସିଆଲଦା ଜିଲ୍ଲା ଓ ଦୌରାଜଜ ଭାରତୀୟ ନ୍ୟାୟା ସଂହିତା (ବିଏନଏସ)ର ଦଫା ୬୪(ଦୁଷ୍କର୍ମ) ଦଫା ୬୬ (ମୃତ୍ୟୁର କାରଣ) ଏବଂ ୧୦୩(୧୦ (ହତ୍ୟା) ଧାରାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ମୃତ୍ୟୁ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ ଭୋଗିବାକୁ ତ୍ୱରିତ ରାୟ ଦେବା ପିଡିତାଙ୍କ ଯଥାର୍ଥ ନ୍ୟାୟା ପ୍ରଦାନ କରିଛି ବୋଲି କୁହାଯାଇପାରେ । ଏହି ଘଟଣା ପରେ ମଧ୍ୟ ପଶ୍ଚିମବଙ୍ଗ ସରକାର ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ‘ଅପରାଜିତା ମହିଳା ଓ ଶିଶୁ ବିଲ୍‌’ ବିଧାନସଭାରେ ଗୃହୀତ କରାଇଛନ୍ତି । ଯେଉଁ ଆଇନରେ କଠୋର ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ତେବେ ଏହାର ସଫଳ ଏବଂ ସକ୍ରୀୟ କାର୍ଯ୍ୟକାରୀତା ଭବିଷ୍ୟତ ହିଁ କହିବ । ଉଲ୍ଲେଖଯୋଗ୍ୟ ଯେ, ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଦେଶରେ ମହିଳାଙ୍କ ସୁରକ୍ଷା ପାଇଁ କଠୋର ଆଇନ ପ୍ରଣୟନ କରାଯାଇଥିଲା । ଅଭିଯୁକ୍ତମାନଙ୍କୁ ମଧ୍ୟ ଫାଶୀ ଖୁଂଟରେ ଝୁଲାଇ ଦିଆଯାଇଥିଲା । ଏହା ସତ୍ୱେ ମଧ୍ୟ ଦେଶରେ ଦେଶରେ ଗତ ୧୨ବର୍ଷ ମଧ୍ୟରେ ଯେଉଁଭଳି ଭାବେ ମହିଳା ବିରୋଧି ହିଂସା, ଦୁଷ୍କର୍ମ ଓ ହତ୍ୟା ଘଟଣାମାନ ବଢିଚାଲିଛି, ତାହା ଆଇନ ପ୍ରତି ଉପହାସ ତଥା ଧର୍ମକୁ ଆଖିଠାର ସଦୃଶ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶରେ ମହିଳା ବିରୋଧ ହିଂସାର ମୂଳୋତ୍ପାଟନ ନହେବା ପର୍ଯ୍ୟନ୍ତ ଏଭଳି ଘଟଣା ଅସାମହିତ ହୋଇରହିଛି ଏବଂ ବଢି ଚାଲିବ । ଏହା ନିସନ୍ଦେହ ଯେ, ଦେଶରେ ପ୍ରତ୍ୟେକ ଝିଅର ନିରାପତାକୁ ସୁନିଶ୍ଚିତ କରିବାକୁ ହେବ । ଅନ୍ୟଥା ମହିଳା ବିରୋଧି ହିଂସା, ଦୁଷ୍କର୍ମ, ହତ୍ୟା ଘଟଣାକୁ ରୋକିବା ଅସମ୍ଭବ ହୋଇପଡିବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ