କୋଶମ୍ୱ-୨୦୨୪ ଆୟୋଜନର ପ୍ରସ୍ତୁତି ଚୂଡାନ୍ତ

ବାଲେଶ୍ୱର,(ସରୋଜ ପଣ୍ଡା) : ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ତଥା କୃଷି ଯନ୍ତ୍ରୀକରଣ ମେଳା,”କୋଶମ୍ୱ -୨୦୨୪” ଚଳିତ ଜାନୁଆରୀ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୫ ଦିନ ବ୍ୟାପୀ ସ୍ଥାନୀୟ ପୋଲିସ ଲାଇନ୍ ପଡିଆରେ ଆୟୋଜିତ ହେବାକୁ ଯାଉଛି। ଏଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଏକ ଚୂଡାନ୍ତ ପ୍ରସ୍ତୁତି ବୈଠକ ସ୍ଥାନୀୟ ମହାତ୍ମା ଗାନ୍ଧୀ ଯୋଜନା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଭାଗ ନେଇ କୋଶମ୍ୱ ମେଳା ଆୟୋଜନର ସଫଳ ରୂପାୟନ ସଂପର୍କରେ ଆଲୋଚନା କରିଥିଲେ। ସଭାରେ କୃଷି, ମିଶନ ଶକ୍ତି,ଶିକ୍ଷା, କ୍ରୀଡ଼ା,ସଂସ୍କୃତି,ନିୟୋଜନ,ସମାଜ ମଙ୍ଗଳ, ବିଭିନ୍ନ ଇଂଜିନିୟରିଂ ବିଭାଗ , ଲିଡ ବ୍ୟାଙ୍କ୍ ଏବଂ ଅନ୍ୟାନ୍ୟ ଲାଇନ୍ ବିଭାଗ ଯୋଗ ଦେଇ ମେଳା ଆୟୋଜନର ବିଭିନ୍ନ ଦିଗ ଉପରେ ମତାମତ ଓ ପ୍ରସ୍ତାବନା ଜିଲ୍ଲାପାଳଙ୍କ ସମ୍ମୁଖରେ ରଖିଥିଲେ। ଏହି ମେଳାରେ ବିଭିନ୍ନ ବିଭାଗୀୟ ପ୍ରାୟ ୨୦୦ ଷ୍ଟଲ୍ ଏବଂ କୃଷି ଯନ୍ତ୍ରୀକରଣ ଉପରେ ଆହୁରି ୧୦୦ ଷ୍ଟଲ୍ ଖୋଲିବାର ବ୍ୟବସ୍ଥା ରହିଛି। ଦିନର ପୂର୍ବାହ୍ନ ଏବଂ ଅପରାହ୍ନ ସମୟରେ ବିଭିନ୍ନ କର୍ମଶାଳା ମାନ ଆୟୋଜିତ ହେବ। ବିଭିନ୍ନ କୃଷିଜାତ, ଗ୍ରାମୀଣ,ହସ୍ତଶିଳ୍ପ,କୁଟୀର ଶିଳ୍ପ ଆଦି ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀ ର ପ୍ରଦର୍ଶନ ସହ ବିକ୍ରୟ ଚାଲିବ। ସଂଧ୍ୟାରେ ସ୍ଥାନୀୟ, ଓଡ଼ିଶା, ତଥା ମୁମ୍ବାଇ କଳାକାର ମାନଙ୍କ ଦ୍ବାରା ଉଚ୍ଚକୋଟୀର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ। ନୁଆ-ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାର ବିଜେତା ଦଳ ମାନେ ମଧ୍ଯ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିବେ।ପୁରସ୍କାର,ସମ୍ବର୍ଦ୍ଧନା, ସମ୍ମାନ ପ୍ରଦାନ ଆଦି ପର୍ବ ସହ ନିଯୁକ୍ତି ମେଳା, କୃଷକ ମେଳା ଆଦି ଏହି ଅବସରରେ ଆୟୋଜିତ ହେବ। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ବ ରଞ୍ଜନ ନାୟକ, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବ୍ରଜେଶ୍ଵରି ବଳ, ଅନ୍ୟ ସମସ୍ତ ଲାଇନ୍ ବିଭାଗ ଅଧିକାରୀ ଯୋଗ ଦେଇଥିଲେ। ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆୟୋଜନ ହେଉଥିବା ଏହି ବିଶାଳ ମେଳା କୋଶମ୍ୱ-୨୦୨୪ ଆୟୋଜନର ପ୍ରସ୍ତୁତି ପରିଚାଳନା କରିଥିଲେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ କୌସିକ ପାତ୍ର।ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଏହି ମେଳାରେ ନୂତନତା, ଉତ୍କର୍ଷ, ଆକର୍ଷଣୀୟ ସାଜସଜ୍ଜା, ସାମଗ୍ରୀର ବ୍ୟବହାରିକତା, ଉଚ୍ଚକୋଟୀର ପ୍ରଦର୍ଶନ, ଶିକ୍ଷଣୀୟ କର୍ମଶାଳା, ବହୁଳ ଭାଗିଦାରୀତା ଆଦି ଉପରେ ସମସ୍ତେ ଗୁରୁତ୍ଵ ଆରୋପ କରି ଏହାକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ