କୋଷ୍ଟ କେନାଲ ପୁନରୁଦ୍ଧାର ଦାବି ଅଭିଯାତ୍ରୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଐତିହାସିକ କୋଷ୍ଟ କେନାଲର ଦାବିରେ ଭୋଗରାଇରୁ ବାହାରିଥିବା ‘ଓଡ଼ିଶା କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚ’ର ମୋଟର ସାଇକଲ ଶୋଭାଯାତ୍ରା ଅଭିଯାତ୍ରୀଙ୍କୁ ବାଲେଶ୍ୱରରେ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର ସଂଧ୍ୟାରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ସମ୍ମୁଖରେ ଆୟୋଜିତ ସାଧାରଣ ସଭାରେ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀ ଅଧ୍ୟକ୍ଷତା କରିବା ସହିତ ଓଡ଼ିଶା ପାଇଁ କୋଷ୍ଟ କେନାଲ ପୁନରୁଦ୍ଧାରର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରା, ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସମ୍ପାଦକ ଇଂ.ବନମାଳି ନାୟକ, ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ସଭାପତି ମମତା ମହାପାତ୍ର, ସିଭିଲ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ‘ମୋନା’ର ଜିଲା ସଭାପତି ପ୍ରଭାକର ସାହୁ, ଶ୍ରମିକନେତା ପ୍ରେମରଞ୍ଜନ ପାତ୍ର, ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ର ସଭାପତି ଇଂ. ସୁରେନ୍ଦ୍ରନାଥ ଦାସ ଓ କୃଷକ ନେତା ଅରୁଣ ଜେନା ପ୍ରମୁଖ ଏଥିରେ ଯୋଗଦେଇ ଅବିଭକ୍ତ ବାଲେଶ୍ୱର ଜିଲାର କୃଷିର ବିକାଶ ପାଇଁ କେନାଲର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ ବୋଲି କହିଥିଲେ । କେନାଲ ପୁନରୁଦ୍ଧାର ଜଳସେଚନ, ଜଳପଥରେ ମାଲ ପରିବହନ, ମତ୍ସ୍ୟଚାଷ, ପରିବେଶ ସୁରକ୍ଷା ଓ ଭୂତଳ ମଧୁରଜଳ ସ୍ତର ବୃଦ୍ଧିରେ ଏହା ସହାୟକ ହୋଇ ପାରିବ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । କୋଷ୍ଟକେନାଲକୁ ୫ନମ୍ବର ଜାତୀୟ ଜଳପଥ ଯୋଜନାରେ ସଂଯୋଗ କରିବାର ଏହି ଦାବିକୁ ଏକ ଜନଦାବିରେ ପରିଣତ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ବକ୍ତାମାନେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅଭିଯାତ୍ରୀ ଦଳର ନେତୃତ୍ୱ ନେଇ ଅଭ୍ୟର୍ଥନା ସଭାରେ ପହଞ୍ôଚଥିବା ଡ. ଅଦୈତ ପ୍ରସାଦ ପାତ୍ର, ସଂଗଠନର ସଂଯୋଜକ ପ୍ରତାପ ଚନ୍ଦ୍ର ନାୟକ, ଆବାହକ ଶୁଭଙ୍କର ମହାପାତ୍ର, ଯୁବ ବିକାଶର ମୁଖ୍ୟ ଗୋବିନ୍ଦ ଚନ୍ଦ୍ର ଦଳାଇ, ଶିଳ୍ପୀ କେଶୁଦାସ, ବିଜୟ କୁମାର ଦାସଅଧିକାରୀ ପ୍ରମୁଖଙ୍କ ସମେତ ଅଭିଯାତ୍ରୀ ଦଳଙ୍କୁ ପରିକ୍ରମା ଅଞ୍ଚଳରେ ଜନସାଧାରଣ ବିପୁଳ ସଂଖ୍ୟାରେ ସ୍ୱାଗତ କରି ଥିଲେ । ସବୁଠି କୋଷ୍ଟ କେନାଲ ପୁନଃ ଉଦ୍ଧାର ଦାବିକୁ ସମର୍ଥନ ମିଳିଥିଲା । ବାଲେଶ୍ୱରର ବିଭିନ୍ନ ଗଣସଂଗଠନ ପକ୍ଷରୁ ଦିଆଯାଇଥିବା ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଅଭିଯାତ୍ରୀମାନେ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଆସନ୍ତାକାଲି ପ୍ରଭାତରୁ ଅଭିଯାତ୍ରୀମାନେ ଭଦ୍ରକ ଜିଲାର ମନ୍ତେଇ ନଦୀ ଓ ଚାରିବାଟିଆ ଅଭିମୁଖେ ଯାତ୍ରା କରିବେ ବୋଲି ସେମାନେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ସେକ୍ ଆଲାଉଦ୍ଦିନ୍, ରବିନାରାୟଣ ମିଶ୍ର, ବନ୍ଦନା ବିଶ୍ୱାସ, ରମେଶ ଚନ୍ଦ୍ର ଜେନା ଓ ଯତୀନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ବରିଷ୍ଠ ଆଇନଜୀବୀ ନିରଞ୍ଜନ ପରିଡ଼ା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସକାଳେ ଭୋଗରାଇର ମାନକୁଣ୍ଡାଠାରୁ ଏକ ଅଭିଯାତ୍ରୀ ଦଳ ଥାନା ଛକ, ଭୋଗରାଇ ଲକ୍, ଜାମକୁଣ୍ଡା, ବାଲିଆପାଳର ସିମୁଳିଆ, ମାନଧାତା, ଲଙ୍ଗଳେଶ୍ୱର, ଗଞ୍ଜା, ସୋଲପଟା, ଟିଆଖିଆ ଓ ସିନ୍ଧିଆ ଅତିକ୍ରମ କରି ବାଲେଶ୍ୱର ସହରର ଗାନ୍ଧିସ୍ମୃତି ଭବନଠାରେ ପହଞ୍ଚିଥିଲେ । ଆସନ୍ତାକାଲି ସକାଳେ ହିଡ଼ିଗାଁ, ନୂଆନଈଘାଟ, ଗୁଡ଼ୁପାହି, ବର୍ଦ୍ଧନପୁର, ଇଞ୍ଚୁଡ଼ି, ଶ୍ରୀଜଙ୍ଗ ତାଳପଦା, ଅଟାସପୁ, ଅନନ୍ତପୁର, ବାଲିଛନ୍ଦାଘାଟ, ଇରମ ପ୍ରଭୃତି ଅତିକ୍ରମ କରି ଅପରାହ୍ନ ୨ଟାରେ ଚାରବାଟିଆରେ ଅଭିିଯାତ୍ରୀ ଦଳ ପହଞ୍ଚିବେ । ଅପରାହ୍ନ ୪ଟାରେ ବାସୁଦେବପୁରରେ ନାଗରିକ ସମ୍ବର୍ଦ୍ଧନା ଓ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ମଞ୍ଚର କାର୍ଯ୍ୟକର୍ତ୍ତାମାନେ ସୂଚନା ଦେଇଛନ୍ତି ।


