କୋଷ୍ଟ କେନାଲ ପୁନରୁଦ୍ଧାର ଦାବିରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା) :-ଐତିହାସିକ କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ‘ଓଡ଼ିଶା କୋଷ୍ଟ କେନାଲ ମଞ୍ଚ’ ପକ୍ଷରୁ କେନ୍ଦ୍ର ଜାହାଜ ଚଳାଚଳ, ପରିବହନ, ବନ୍ଦର ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମଞ୍ଚର କର୍ମକର୍ତ୍ତା ଶୁଭଙ୍କର ମହାପାତ୍ର ଓ ଗୋବିନ୍ଦ ବଲ୍ଲଭ ଦଳାଇ ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ପଶ୍ଚିମବଙ୍ଗର ଗେଓଖାଲିଠାରୁ ଭଦ୍ରକର ଚାରବାଟିଆ ପର୍ଯ୍ୟନ୍ତ ୨୧୭ କିମି ମଧ୍ୟରୁ ଲମ୍ବର ଏହି କେନାଲର ପୁନୁରୁଦ୍ଧାର ଏକାନ୍ତ ଆବଶ୍ୟକ ହୋଇନଥିବା ସେମାନେ ମନ୍ତ୍ରୀଙ୍କୁ ଅବଗତ କରିଥିଲେ । ଜାତୀୟ ଜଳପଥ ନଂ ୫ରେ ୬୨୩ କି:ମି: ମଧ୍ୟରୁ ତାଳଚେର-ଧାମରା ୨୬୫ କି:ମି: ଓ ମଙ୍ଗଳାଯୋଡ଼ିରୁ ପାରାଦ୍ୱୀପ ୧୦୧ କି:ମି: ଜଳପଥର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିଲାବେଳେ ଗେଓଖାଲିରୁ-ଚାରବାଟିଆ ପର୍ଯ୍ୟନ୍ତ କୋଷ୍ଟ କେନାଲର ପୁନରୁଦ୍ଧାର ପ୍ରକଳ୍ପ ଏବେ ଶୀତଳ ଭଣ୍ଡାରରେ ପଡ଼ି ରହିଛି । ତେବେ ଉପକୂଳ ଓଡ଼ିଶାର ଅର୍ଥନୈତିକ ବିକାଶରେ ଏକଦା ସହାୟକ ହୋଇ ଆସିଥିବା ଏହି କୋଷ୍ଟ କେନାଲର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ମଞ୍ଜୁରି ପାଇଁ ମନ୍ତ୍ରୀ ଶ୍ରୀ ସୋନୱାଲଙ୍କୁ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି । ମନ୍ତ୍ରୀ ମଧ୍ୟ କୋଷ୍ଟ କେନାଲର ପୁନରୁଦ୍ଧାର ବାବଦରେ ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଭୂତଳ ଜଳସ୍ତରର ନିମ୍ନଗାମୀ ହୋଇ ଚାଲିଥିବା ବେଳେ ପରିବହନ ଓ ପରିବେଶ ନିମନ୍ତେ ଓଡ଼ିଶା କୋଷ୍ଟ କେନାଲର ପୁନରୁଦ୍ଧାରର ଆବଶ୍ୟକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହାର ପୁନରୁଦ୍ଧାରରେ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ଉପକୂଳ ଅଞ୍ଚଳର ବିକାଶ ହୋଇପାରନ୍ତା । ବାଲେଶ୍ୱର ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସମେତ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ମଧ୍ୟ ଏ ସମ୍ପର୍କରେ ସଂସଦରେ ଦାବି ଉପସ୍ଥାପନ କରିିଛନ୍ତି । ସେହିଭଳି ପଶ୍ଚିମବଙ୍ଗ ସାଂସଦ ଦିଲୀପ ଘୋଷଙ୍କୁ ମଧ୍ୟ ମଞ୍ଚର କର୍ମକର୍ତ୍ତା ସାକ୍ଷାତ ସହ କୋଷ୍ଟକେନାଲ ପୁନରୁଦ୍ଧାର ବାବଦରେ ପଦକ୍ଷେପ ନେବା ପାଇଁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ