କ୍ରସର ରେ ଗୁଣ୍ଡାଗର୍ଦ୍ଦି ଶ୍ରମିକ ଙ୍କୁ ନିସ୍ତୁକ ମାଡ଼
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ନିକଟ ଚୁଡ଼ୁଙ୍ଗପୁର – ତିତିଖଣ୍ଡି ଗ୍ରାମ ରାସ୍ତାରେ ଥିବା ଷ୍ଟୋନ କ୍ରସର ୟୁନିଟ ରେ ଚୁଡ଼ୁଙ୍ଗପୁର ଗ୍ରାମର କିଛି ଅସାମାଜିକ ଯୁବକ ନିୟମିତ ବ୍ୟବଧାନରେ ଦାଦା ବଟି ପାଇଁ ଗୁଣ୍ଡା ଗର୍ଦ୍ଦି କରୁଥିବା ଅଭିଯୋଗ ହୋଇଛି। ଶ୍ରମିକ ଭାବେ କାମ କରୁଥିବା ଚୁଡୁଙ୍ଗପୁର ଗ୍ରାମର ପି.ମାଲେସୁ ଦୋରା ଙ୍କୁ କିଛି ଅସାମାଜିକ ଯୁବକ ସଂଘବଦ୍ଧ ଭାବେ ଘାତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ୩ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁନଥିବା ଜଣାପଡିଛି। ଗତ ୧୨ ତାରିଖ ପୂର୍ବାହ୍ନରେ ମାଲେସୁ କ୍ରସର ୟୁନିଟ ରେ ଥିବା ବେଳେ ଅଭିଯୁକ୍ତ ବି.ଶିବ ପାତ୍ର ଏବଂ ତାଙ୍କ ସହଯୋଗୀ ମାନେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆହାତ ମାଲେସୁ ଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ଅଭିଯୁକ୍ତ ମାନଙ୍କ ନାଁ ରେ ଦିଗପହଣ୍ଡି ଥାନାରେ ଏକାଧିକ ମାମଲା ରହିଛି। ଏନେଇ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଙ୍କୁ ପଚାରିବାରୁ ଆକ୍ରମଣ ର ଶିକାର ହୋଇଥିବା ମାଲେସୁ ଙ୍କ ଏତଲା କୁ ଭିତ୍ତିକରି ଥାନା ମାମଲା ନଂ.୩୯୩/୨୪ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରାଯାଇଛି। ଘଟଣାର ତଦନ୍ତ ପାଇଁ ଏଏସଆଇ ନିଗମ ଚନ୍ଦ୍ର ପ୍ରଧାନ ଙ୍କୁ ଦାୟିତ୍ଵ ଦିଆଯାଇଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।