କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ବୋର୍ଡର ସମୂହ ଇସ୍ତଫା

ନୂଆଦିଲ୍ଲୀ: ଲମ୍ବା ସମୟ ଧରି ଆଭ୍ୟନ୍ତରୀଣ କନ୍ଦଳ ଏବଂ ସଙ୍କଟ ଭିତରେ ଗତି କରୁଥିବା କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର ସମ୍ପୂର୍ଣ୍ଣ ୧୦ ଜଣିଆ ବୋର୍ଡ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି। ଫଳରେ ଦେଶର ଅଲିମ୍ପିକ୍ ସମିତି ଏହାର ପୁନର୍ଗଠନ କରି ଅନ୍ତରୀଣ ପ୍ରଶାସନିକ ବ୍ୟବସ୍ଥା ଗଢ଼ିବାର ସମ୍ଭାବନା ଦେଖାଦେଇଛି। ରବିବାର ସିଏସଏର ବୈଠକ ପରେ କାର୍ଯ୍ୟକାରୀ ସଭାପତି ବେରେସଫୋର୍ଡ ୱିଲିୟମ୍ସଙ୍କ ସହ ୬ ନିର୍ଦେଶକ ଇସ୍ତଫା ପ୍ରଦାନ କରିଥିଲେ। ଅବଶିଷ୍ଟ ୪ ଜଣ ସୋମବାର ଇସ୍ତଫା ପ୍ରଦାନ କରିଛନ୍ତି। ରବିବାରର ବୈଠକ ପରେ ଦକ୍ଷିଣ ଆଫ୍ରିକାର କ୍ରିକେଟର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ବୋର୍ଡ ସଦସ୍ୟ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଇଛି। ନଭେମ୍ବର ୨ରୁ ଘରୋଇ କ୍ରିକେଟ୍‌ ଋତୁ ଆରମ୍ଭ ପୂର୍ବରୁ ଏହି ଘଟଣା ଅନେକ ଆଶା ସଞ୍ଚାର କରିଛି। ଆସନ୍ତା ମାସରେ ମଧ୍ୟ ଇଂଲଣ୍ଡ ଦଳ ୩ ଲେଖାଏଁ ଦିନିକିଆ ଓ ଟି-୨୦ ଖେଳିବାକୁ ଆସିବ ବୋଲି ସମ୍ମତି ଦେଇ ସାରିଛି। ଏବେ ରହାନ୍ ରିଚାର୍ଡସଙ୍କୁ ସିଏସ୍‌ଏ ଦାୟିତ୍ବ ଦିଆଯାଇଛି। ଦକ୍ଷିଣ ଆଫ୍ରିକା କ୍ରୀଡ଼ା ମହାସଂଘ ଓ ଅଲିମ୍ପିକ୍ କମିଟି (ଏସଏଏସସିଓସି) ନିର୍ଦେଶକ୍ରମେ ଖୁବ୍ ଶୀଘ୍ର ଏକ ଅନ୍ତରୀଣ ପରିଚାଳନା ପରିଷଦ ଗଠନ ହେବ ବୋଲି ମଧ୍ୟ ସୂଚନା ମିଳିଛି। ସୂଚନାଯୋଗ୍ୟ, ବର୍ଣ୍ଣବୈଷମ୍ୟ ଏବଂ ଅନ୍ୟ ବହୁ ପ୍ରସଙ୍ଗକୁ ନେଇ ଗତ ୬ ମାସ ହେବ ସିଏସଏରେ କନ୍ଦଳ ଲାଗି ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ