କ୍ରିକେଟ ପଡ଼ିଆରେ ବଜ୍ରାଘାତ ମାଟ୍ରିକ ଛାତ୍ରଙ୍କ ଅକାଳ ମୃତ୍ୟୁ
ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁମରଡ଼ା ଗ୍ରାମ ରେ କ୍ରିକେଟ ଖେଳ ଚାଲିଥିବା ବେଳେ ବଜ୍ରାଘାତ ରେ ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ର ଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ ବୋମକେଇ ପଞ୍ଚାୟତ ନାରାୟଣପୁର ଗ୍ରାମର ରାଜେଶ ଗୌଡ଼। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଏହି ଦୁଃଖଦ ଘଟଣା ଘଟିଛି।ରାଜେଶ ଗ୍ରାମ ନିକଟସ୍ଥ ବୋମକେଇ ଗ୍ରାମ ଶିବାନନ୍ଦ ନୋଡାଲ ହାଇସ୍କୁଲ ରେ ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ।ଚଳିତବର୍ଷ ସେ ପଦ୍ମନାଭପୁର ଗ୍ରାମ ରାଧା ଦାମୋଦର ଗାର୍ଲ୍ସ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି।ସକାଳେ ସାଙ୍ଗମାନଙ୍କ ସହ ନିକଟସ୍ଥ କୁମରଡ଼ା ଗ୍ରାମରେ ଅନୁଷ୍ଠିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ ଖେଳିବାକୁ ଯାଇଥିଲେ। ରାସ୍ତାକଡ ର ଏକ ଚାଷଜମି କୁ ସମତୁଲ କରି ଗ୍ରାମର ଯୁବକ ମାନେ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରିଥିଲେ। ମ୍ୟାଚ ଚାଲିଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଆକସ୍ମିକ କାଳ ବୈଶାଖୀ ସହ ବଜ୍ରପାତ ହୋଇଥିଲା।ବଜ୍ରାଘାତ ରେ ରାଜେଶ ଖେଳୁଥିବା ବେଳେ ଟଳି ପଡ଼ିଥିଲେ। ଅନ୍ୟ ଖେଳାଳି ମାନେ ଭୟଭୀତ ହୋଇ ଖେଳ ଛାଡ଼ି ଦୌଡ଼ି ପଳାଇଥିଲେ।ଗ୍ରାମବାସୀ ଖବର ପାଇ ରାଜେଶ ଙ୍କୁ ଉଦ୍ଧାର କରି ବମୋକେଇ ଗ୍ରାମ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବରପାଇ ପରିବାର ଲୋକେ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚିଥିଲେ।ଏନେଇ ସୂଚନା ପାଇବା ପରେ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଜଗବନ୍ଧୁ ବାର୍ଲା ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ଛାତ୍ରଙ୍କ ମୃତଦେହ ଜବତ କରି କେ.ନୂଆଗାଁ ଥାନା ଅପମୃତ୍ୟୁ ମାମଲା ନଂ.୩/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।