କ୍ରିୟାନୁଷ୍ଠାନ କମିଟିର ଜନ ସଚେତନତା ଯାତ୍ରା ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲାବାସୀଙ୍କୁ ଉନ୍ନତ ତଥା ଆବଶ୍ୟକୀୟ ସରକାରୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦାବିରେ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଜନସଚେତନତା ଯାତ୍ରା ଶୁକ୍ରବାର କବିତୀର୍ଥ ଶାନ୍ତିକାନନରୁ ଜିଲ୍ଲା ପରିକ୍ରମା ଆରମ୍ଭ କରିଛି । ଅଭିଯାତ୍ରୀଙ୍କୁ ଫକୀରମୋହନ ସାହିତ୍ୟ ପରିଷଦ, ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ, ସିଭିଲ ସୋସାଇଟି, ସହାୟକ, ମଠସାହି କ୍ରିୟାନୁଷ୍ଠାନ କମିଟି, ରିକ୍ସାଚାଳକ ସଂଘଙ୍କ ସମେତ ସ୍ଥାନୀୟ ବାସିନ୍ଦା ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି । କ୍ରିୟାନୁଷ୍ଠାନ କମିଟିର ଜିଲା କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଓ ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ନେତୃତ୍ୱରେ ବାହାରିଥିବା ୧୫ ଜଣିଆ ଅଭିଯାତ୍ରୀ ଦଳଙ୍କୁ ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡ୍ ନିକଟରେ ଘରୋଇ ବସ୍ ମାଲିକ ସଂଘ, ପରିବହନ ଶ୍ରମିକ ସଂଘ ଏବଂ ଆନନ୍ଦ ବଜାରରେ ସହଦେବଖୁଣ୍ଟା, ଫିରଙ୍ଗିପାଟଣା ଓ ଚାନ୍ଦମାରୀ ପଡ଼ିଆର ମହିଳା ସଂଗଠନମାନେ ଫୁଲ, ଚନ୍ଦନ, ସିନ୍ଦୂର, ଲଗାଇ ଯାତ୍ରାର ଶୁଭକାମନା କରିଥିଲେ । ସେହିପରି ଫୁଲାଡ଼ିଛକ ଠାରେ ନଗ୍ରମ କ୍ରିୟାନୁଷ୍ଠାନ କମିଟି ଓ ବଜାର କମିଟି ପକ୍ଷରୁ ଅଭିଯାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି । ଏହି ଅଭିଯାତ୍ରୀ ଦଳ ହଳଦିପଦା, ରୁପ୍ସା, ବସ୍ତାର ଗାନ୍ଧିଛକ ଅତିକ୍ରମ କରି ବାଲିଆପାଳରେ ପଥପ୍ରାନ୍ତ ସଭାପରେ ଶୁକ୍ରବାର ରାତ୍ରିଯାପନ କରିବେ । ଶନିବାର ଦିନ ଚନ୍ଦନେଶ୍ୱର, ଥାନାଛକ, କମର୍ଦ୍ଦା, ନାମ୍ପୋ, ଲକ୍ଷ୍ମଣନାଥ ଓ ଜଳେଶ୍ୱର ଷ୍ଟେସନଛକରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରବିବାର ରେମୁଣା, ମିତ୍ରପୁର, ନୀଳଗିରି, ଔପଦା, ସିମୁଳିଆ, ଖଇରା ଓ ସୋର ଅତିକ୍ରମ କରି ସୋମବାର ପୂର୍ବାହ୍ନ ୧୦ଟାରେ ବାଲେଶ୍ୱର ଜିଲାପାଳଙ୍କ ଦପ୍ତର ସମ୍ମୁଖ ଗଣଧାରଣାସ୍ଥଳରେ ପହଞ୍ôଚବେ । ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯିବ । ବାଲେଶ୍ୱର ଜିଲାରେ ସମସ୍ତ ସରକାରୀ ଡାକ୍ତରଖାନାରେ ଖାଲିପଡ଼ିଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଫକୀରମୋହନ ମେଡିକାଲ୍ କଲେଜରେ ସମସ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ମେଡିକାଲ୍ କଲେଜରେ ହୃଦରୋଗ, ସ୍ନାୟୁରୋଗ ପ୍ରଭୃତି ବିଭାଗ ଖୋଲିବା, ଏମ୍ସ ହସପିଟାଲ୍‌ର ବହିଃବିଭାଗକୁ ସପ୍ତାହ ସାରା କାର୍ଯ୍ୟକ୍ଷମ କରିବା ଏବଂ ସମସ୍ତ ନିଦାନର ପରୀକ୍ଷାଗାର କାର୍ଯ୍ୟକ୍ଷମ କରିବା, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ୍ ନିର୍ମାଣ କାର୍ଯ୍ୟାରମ୍ଭ କରିବା, ମଞ୍ଜୁରୀପ୍ରାପ୍ତ ଆୟୁଷ ହସପିଟାଲ ନିର୍ମାଣ କରିବା ପ୍ରଭୃତି ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଉଦ୍ୟମ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ