କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି ୰ ଡା. ହରିଶ୍ଚନ୍ଦ୍ର ଜେନାଙ୍କ ଜୟନ୍ତୀ ଓ ନବବର୍ଷରେ ବନ୍ଧୁମିଳନ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ପ୍ରାକ୍ତନ ସଭାପତି ସ୍ୱର୍ଗତ ଡା. ହରିଶ୍ଚନ୍ଦ୍ର ଜେନାଙ୍କ ୯୧ତମ ଜୟନ୍ତୀ ଓ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନବବର୍ଷର ବନ୍ଧୁମିଳନ ଉତ୍ସବ ବୁଧବାରଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଡା. ଜେନାଙ୍କ ବାସଭବନ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ନିରଞ୍ଜନ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ସାଧାରଣ ସଂପାଦକ ପ୍ରଦୀପ ଦାସ ସ୍ୱର୍ଗତ ଡାକ୍ତର ଜେନାଙ୍କ ସ୍ମୃତିଚାରଣ କରି କ୍ରିୟାନୁଷ୍ଠାନ କମିଟିର ଗତ ବାର୍ଷିକ ସମ୍ମିଳନୀରେ ଗୃହୀତ ୧୭ ଦଫା ଦାବିପତ୍ର ପାଠ କରି ଜିଲ୍ଲାବାସୀଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସରକାରଙ୍କ ଚରମ ବିଫଳତା ବିରୋଧରେ ପୁନଶ୍ଚ ଜିଲ୍ଲାବାସୀ ଗଣତାନ୍ତ୍ରିକ ଧାରାରେ ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ିବ ବୋଲି ମତ ଦେଇଥିଲେ ।ସମସ୍ତ ଅତିଥି ଓ ବକ୍ତାମାନେ ଡାକ୍ତର ଜେନାଙ୍କ ବହୁବିଧ ପ୍ରତିଭା ଓ ସମାଜପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ପ୍ରତି ଗଭୀର ସମ୍ମାନ ଜଣାଇ ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱର୍ଗତ ଡା. ଜେନାଙ୍କ ଫଟୋଚିତ୍ରରେ ଓ ଡାକ୍ତର ଦମ୍ପତିଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣର ବରିଷ୍ଠ ସହ ସଂପାଦକ ଶଶିରଞ୍ଜନ ମଲ୍ଲିକ ଓ ‘ଧ୍ୱନି ପ୍ରତିଧ୍ୱନୀ’ର ମୁଖ୍ୟ ସୃଷ୍ଟିଧର ପରିଡ଼ା, କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ଉପଦେଷ୍ଟା ବୈଦ୍ୟନାଥ ଷଡ଼ଙ୍ଗୀ, ଶମ୍ଭୁନାଥ ମହାନ୍ତି, ମମତା ମହାପାତ୍ର, ଗିରିଶ ଚନ୍ଦ୍ର ଦାଶ, କୁମୁଦରଞ୍ଜନ ଗିରି, ଗୌରୀଶଙ୍କର ପ୍ରଧାନ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, ଇଂ. ବନମାଳୀ ନାୟକ, କମଲ ଚକ୍ରବର୍ତ୍ତୀଙ୍କ ସମେତ ନିରଞ୍ଜନ ରାଉତ, ଇଂ. ହୃଷିକେଶ ସାହୁ, ଭାରତୀ ପଣ୍ଡା, ସୀତାରାମ ପ୍ରଧାନ, ପଦ୍ମଲୋଚନ ଦତ୍ତ, ପ୍ରଭାକର ସାହୁ, ଡ. କେଶବ ଚରଣ ପଣ୍ଡା, ଅନିଲ କୁମାର ପଟ୍ଟନାୟକ, ଦୀନବନ୍ଧୁ ଲେଙ୍କା, ସରସ୍ୱତୀ ପଣ୍ଡା, ରମେଶ ଚନ୍ଦ୍ର ଜେନା, କଲ୍ୟାଣୀ ନନ୍ଦ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା, ପ୍ରଫୁଲ୍ଲ କୁମାର ଦାସ, ଡ. କ୍ଷିତିଶ୍ୱର ଦାଶ, କେଶବ ଚନ୍ଦ୍ର ଆଚାର୍ଯ୍ୟ, ଅଗସ୍ତି ନାୟକ, ଯଶୋଦା ନନ୍ଦନ ଆଶ୍ ଓ ପ୍ରତିମା ପଣ୍ଡା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଡା. ଜେନାଙ୍କ ସ୍ମୃତିଚାରଣ ସହ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତାବିତ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ । ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ । ସ୍ୱର୍ଗତ ଡା. ଜେନାଙ୍କ ନାତି ଆଶୀଷ କୁମାର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟିର ବହୁ ସଦସ୍ୟ ଓ ଡା. ଜେନାଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ