କ୍ରୁଶବିଦ୍ଧ କୃଷିସଂସ୍କୃତି
ମାୟାଧର ନାୟକ
କୃଷିହିଁକୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦ କୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମିଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ ଅଧିବାସୀ, ବନବାସୀ ଓ ଦ୍ରାବିଡ ମାନଙ୍କ ସହିତ ସାମିଲ ହୋଇଗଲେ ଏକ ମହାଭାରତୀୟ ଜନସ୍ରୋତରେ । ଚାରଣ କ୍ଷେତ୍ରରୁ କୃଷିକ୍ଷେତ୍ର – ସଭ୍ୟତାରୁସଂସ୍କୃତି – ଏଇଠି ଭାରତ ହେଲା ଆଗାମୀ ମାନବ ସଭ୍ୟତାର ଏନ୍ତୁଡିଶାଳ । ଚୀନ୍ ଓ ଜାପାନ୍ ମଧ୍ୟ ଏଇ କୃଷିକୁ କେନ୍ଦ୍ର ବିନ୍ଦୁକରି କୃଷ୍ଟିଚରନା କଲେ । ଏସିଆମହାଦେଶର ଏଇ ଏନ୍ତୁଡିଶାଳକୁ ଅନ୍ୟ ମହାଦେଶୀୟ, ବିଦେଶୀୟ ବଣିକ ତନ୍ତ୍ରରବିତ ବୁଭୁକ୍ଷୁ ଶିଳ୍ପ ସଂସ୍ଥାନ ଗୁଡିକ ଆଜି କିନ୍ତୁ ମଶାଣିପଦା କରିବା ମତଲବରେ ବ୍ୟସ୍ତ । ଆମର ଦେଶୀ ଶିଳ୍ପର ସୌଦାଗରମାନେ ମଧ୍ୟ ସେମାନଙ୍କ ମାୟାରେ ବାୟା – ମଣିଷ ଓ ମୂଲ୍ୟବୋଧ ଉପରୁ ଆଖି ଫେରାଇ ସେମାନେ ମୁନାଫା ଓ ମୂଲ୍ୟ ଉପରେ ଲାଖ ବିନ୍ଧୁଛନ୍ତି ।
ସମୟ ଥିଲା, ଏତେକଳକାରଖାନାକି ଯନ୍ତ୍ରଶିଳ୍ପ ନ ଥିଲା – ଥିଲା କେବଳ କୌଳିକ କର୍ମ ଆଧାରିତକୁଟୀର ଶିଳ୍ପ । ଲୋକେ ସେତେବେଳେ ମଣିଷ ଥିଲେ । ମାଟିକୁମା’ ମଣିଚାଷକରିଖାଦ୍ୟ ଉତ୍ପାଦନ କରି ବଂଚୁଥିଲେ । ଶିଳ୍ପବିପ୍ଲବ ପରେକୃଷି ଧୀରେ ଧୀରେ କ୍ଷୟିଷ୍ଣୁ ହେବାକୁ ଆରମ୍ଭ କଲା । ଯନ୍ତ୍ର ସାହାଯ୍ୟରେ କୃତ୍ରିମ ଉପାୟରେ ଖାଦ୍ୟ ଉତ୍ପାଦନ ହେଲା । କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମଜୀବୀ ମାନେ ବାଧ୍ୟ ହୋଇ ଶିଳ୍ପକ୍ଷେତ୍ରରେ ନିଯୁକ୍ତିପ୍ରାପ୍ତି ପାଇଁ ସହରାଭିମୁଖୀ ହେଲେ । ଗାଁ ହେଲା ଖାଁ ଖାଁ । ହୁଡା, ହିଡ, ହାଡରହାହାକାର ଆଉହା’ ଅନ୍ନର ଆର୍ତନାଦରେ ହଜିଗଲା ସରଳ ସବୁଜ ସ୍ୱପ୍ନ – ସ୍ୱଚ୍ଛନ୍ଦ, ସ୍ୱତଃସ୍ପୂର୍ତଜୀବନ ।
ଧୀରେ ଧୀରେ ଦେଶୀବିହନ, ଜୈବିକସାରଲୋପପାଇବିଦେଶୀବିହନ, ବିଦେଶୀସାର ପ୍ରବେଶକଲା । ସବୁ ଜବିପ୍ଲବର ମେଢ ଦେଖାଇ ଦିଆଗଲା । ଅଧିକ ଅମଳ ପାଇଁ କୀଟନାଶକ, ବିଷାକ୍ତ ସାର ଜମିରେ ପ୍ରୟୋଗ କରାଗଲା – ମାଟି ହରାଇ ବସିଲା ନିଜରମହଜୁଦ ଉର୍ବରତା । ଫସଲ ହେଲାବିଷାକ୍ତ । ଏତେରୋଗ ନ ଥିଲା – ବିଷାକ୍ତଖାଦ୍ୟ ଖାଇ ଲୋକେ ରୋଗାକ୍ରାନ୍ତ ହେଲେ, ଏଣେ ଲୋକ ଜୀବନ ଓ ଲୋକ ସଂସ୍କୃତିର ଲୋକସାନି କରାଇ ତେଣେ ଦେଶୀବିଦେଶୀ କମ୍ପାନୀ ମାନେ କୋଟି କୋଟି ଟଙ୍କା ଲାଭ କଲେ । କୃଷି ଭିତିକ ସଂସ୍କୃତିର ମେରୁହାଡ ଦୋହଲିଗଲା – ମାନସିକତା ଭାଙ୍ଗି ଗଲା । କୃଷକ ହେଲା କରାଳକ୍ଲେଶର କଂଟକ ରେକ୍ରୁଶବିଦ୍ଧ ।
ଆଜି ଅସଲ ଚାଷୀକାନ୍ଦୁଛି ଫୁଙ୍ଗୁଳା ଫଟାଭୂଇଁରେ ଆଉ ଶୁନଶାନ୍ କ୍ଷେତରେ । ଉପରେ ଧୂମଛାୟାଚ୍ଛନ୍ନ ଆକାଶ, ତଳେ ଚୁଲି ନାହିଁ କିଚାଳ ନାହିଁ – ଚାଷୀ ବସିଛି ବାଟ ଚାହିଁ । ନକଲି ଚିନାବାଦାମ, ଧାନ ଓ ଗହମ, ମକା, ସୂର୍ଯ୍ୟମୁଖୀ, ହଳଦୀ, ଅଦା, ସୋରିଷ, ବିରି, ମୁଗ – ବିହନ ଦୁର୍ନୀତିରୁ ଆରମ୍ଭ କରି ଅଭାବୀ ଧାନରବିକ୍ରି ପର୍ଯ୍ୟନ୍ତ ସରକାରୀ ମହାଦୁର୍ନୀତି ର ନାଗଫାଶ ରେ ଓଡିଶା ଚାଷୀର ଭବିଷ୍ୟତ ନୟାନ୍ତଭାବରେ ଅଣନିଃଶ୍ୱାସୀ । କମଳାରଙ୍ଗର ଗ୍ରହ ଆମର ଏ ପୃଥିବୀରେ ଚାଷୀର ଜୀବନ ଆଜିକାମଳଗ୍ରସ୍ତ । ଶୀତଳ ଭଣ୍ଡାର ରେ ଶସ୍ୟ ସଂରକ୍ଷଣ ବେଳେ ବିଚରା ଅରକ୍ଷିତ ଚାଷୀ ରଜୀବନ ଗ୍ୟାସ୍ ଚାମ୍ବରରେ ।
ମଣ୍ଡି ଖୋଲୁନି, ବିହନ ଯୋଗାଣରେ ହେରଫେର, ଫସଲବୀମା କ୍ଷତି ପୂରଣ ପାଇବାରୁ ବଂଚିତ, ଜଳସେଚନର ଅଭାବ, ପ୍ରାକୃତିକବିପର୍ଯ୍ୟୟ ପ୍ରମୁଖ ବିଷୟ ବସ୍ତୁ ଉପରେ ବାସ୍ତବଜ୍ଞାନ ଅଭାବରୁ ଜନପ୍ରତିନିଧିମାନେ ମୂଳ ସମସ୍ୟା ର ସମାଧାନ ସୂତ୍ର ବାହାର କରିପାରୁ ନାହାଁନ୍ତି । ଏପର୍ଯ୍ୟନ୍ତ ସରକାର ମଧ୍ୟ ଆଦର୍ଶ କୃଷି ନୀତିଟିଏ ପ୍ରଣୟନ କରିପାରିଲେ ନାହିଁ ।
ଗରିବ ମାନଙ୍କ ଗଡଜାତ, ଗାଉଁଲୀ ମାନଙ୍କ ଗାଆଁ, ମୁର୍ଖମାନଙ୍କମଫସଲ, ମୂଢ ମାନଙ୍କ ମୋଗଲବନ୍ଦି, ଜନଜାତି ମାନଙ୍କ ଜଙ୍ଗଲ ଜମିକୁ ନେଇ ସମୁଦ୍ରଠାରୁ ପାହାଡ ପର୍ଯ୍ୟନ୍ତ ପ୍ରସାରିତ ଏକ ପ୍ରବଂଚିତ ପ୍ରକୃତିପ୍ରତିମା ଏ ଓଡିଶାଭୂଇଁ । କେନ୍ଦୁପତ୍ର ଠୁ କୁନ୍ଦ ପୁଷ୍ପଯାଏଁ, ତାଳ ବଣେଇ ଠୁଶାଳ ବଣଯାଏଁ, ଘାଟଘେରି ଠୁ ଘାଟିମୁଲକ ଯାଏଁ ବାଟିବାଟି ବିଲ ବାସ୍ନାର ବିହ୍ୱଳ ଭୂଚିତ୍ରଟିଏ ଏ ଓଡିଶା । ଏଠିଖଣି ଅଛି, ମଣି ଅଛି, କ୍ଷେତ ଅଛି, ନେତ ଅଛି, ନଦୀ ଅଛି, ବେଦୀ ଅଛି, ମଠ ଅଛି, ପୀଠ ଅଛି, ମୂର୍ତି ଅଛି, କୀର୍ତି ଅଛି – ନାହିଁ କ’ଣ? ନାହିଁଖାଲି ମନ । ଓଡିଶାକୁ ଓଡିଆ ମାନଙ୍କର ବୁକୁଭରି ଭଲପାଇବାର ଭରପୁର ମନ ।
ଓଡିଶାକୁ ମହାଜନମାନେ ଏବେବି ଅଣ୍ଡାଳିଚାଲିଛନ୍ତି ଖାତକର ଖତଗଦାରେ । ବେଠି-ବେକାରି-ବେରୋଜ ଗାରିରେ ବେଦମ୍ ଏ ବାଦାମୀଭୂଇଁ । ଝଡି-ବଢି-ମରୁଡି ରେ ଝୋଲାମେରା ଏ ଖୋଲାମାଟି । ବନ୍ଧ ନାହିଁ, ବାଡ ନାହିଁ – ନଈନାଳର ଏ ନୁଆଣିଆ ନୈରାଜ୍ୟରେ । କେନ୍ଦ୍ରର କବାଟ ସାମ୍ନାରେ କରୁଣ କେନ୍ଦରା ବଜାଉଥିବା ନାଥଯୋଗୀର ଅନାଥ ଅନ୍ତଃସ୍ୱର ପରିମନେହୁଏ ଆମର ରାଜନୀତିକ ‘ରୁଦାଲି’ ମାନଙ୍କର ବାହୁନାସବୁ । ଆମର ଏ ଅନ୍ନପୂର୍ଣ୍ଣା ମାଆ ଓଡିଶା ମାଟି ୧୪୭ ବିଧାୟକଙ୍କ ସୌଖିନ ଡ୍ରଇଂରୁମର କାନ୍ଥରେ କ’ଣ କେବଳ ଫିମ୍ପିମରା ପଟ୍ଟଚିତ୍ର? ମହାପାତ୍ରମାନଙ୍କ ମାର୍ବଲ ମହଲ ଗୁଡାକରେ ଟଙ୍ଗା ହୋଇ ଜଳକା ଜନତାର ଆଖିଆଗେ ଝୁଲି ରହି ଥିବା ମୌନ ମାନଚିତ୍ର? ଭୋକରଭୂ-ଚିତ୍ର?
ଖଣିଜସଂପଦକୁ ସଫଳ ପରିଚାଳନା କଲେ ଆମ ଓଡିଶା ଯେଭଳି ଏକ ନମ୍ବର ଧନୀ ରାଜ୍ୟରେ ପରିଣତହୁଅନ୍ତା, ସେଇଭଳି ଆମ ଫଟାଭୂଇଁରେ ପାଣିଢାଳିଲେ, ଚାଷ ଓ ଚାଷୀଙ୍କୁସମସ୍ତ ପ୍ରକାରସୁବିଧା ସୁଯୋଗ ଯୋଗାଇଦେଲେ – ନିଶ୍ଚିତ ଏକ ନମ୍ବର ସ୍ୱାବଲମ୍ବୀ ରାଜ୍ୟ ହୋଇପାରନ୍ତା । ଏ ସବୁକରିନପାରିଲେ, ଚାଷଉଜୁଡିଗଲେ, ଚାଷଜମିଜୋରଜବରଦସ୍ତ ବନ୍ଧୁକମୂନରେ ଦଖଲ କରି ମାଳମାଳ କାରଖାନା ଗଢିତୋଳିଲେ କେବଳ କେଇଖଣ୍ଡିକୁଟୀର ଥିବ; କିନ୍ତୁ ନଥିବକୁଟୀରଶିଳ୍ପ । ବିସ୍ଥାପିତବର୍ଗ ଥିବେ, ମାତ୍ର ନ ଥିବେଶ୍ରମ-ସଂସ୍କୃତିର କର୍ମ କୁଶଳୀ ସ୍ଥାପୟିତାବର୍ଗ ।
ଏବେ କଳ କାରଖାନା ଗୁଡିକରେ ଛଟେଇ ର ଛାଟ ମାଡ ସାଙ୍ଗକୁ ଶିଳ୍ପରେ ମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇ ଥିବାରୁ ପୁରା ସହରାଭିମୁଖୀ ଶ୍ରମଜୀବୀ କୃଷିକାର୍ଯ୍ୟକୁ ଆପଣାଇ ନେବା ହଠାତ୍ ସମ୍ଭବ ନୁହେଁ । ତେବେ ବଂଚିବା ପାଇଁ ପରିସ୍ଥିତିକୁ ଆପଣେଇ ନେଇ ସରକାରଙ୍କୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜା ଅର୍ଥ ମୁକୁଳାଇକୃଷିଜଳସେଚନରେଖର୍ଚ୍ଚକର । ନୂଆକେନାଲଖୋଳ, ପୁରୁଣାକେନାଲ, ପୋତିହୋଇ ଯାଇଥିବା ନଦୀନାଳକୁସଜାଡ । ଜଳସେଚନ ହେଲେ ଟାଙ୍ଗରା ଭୂଇଁ ସବୁଜ ହୋଇଉଠିବ ପୁରି । ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ ହୋଇ ଅନ୍ତତଃଲୋକେ ଦି’ଓଳି ଦି’ମୁଠାଖାଇବାକୁ ପାଇବେ ।
ଯଦି ଏକ ସୁସ୍ଥସ ମାଜର କେନ୍ଦ୍ର ବିନ୍ଦୁ କୃଷକର କୃତିକୁ ନେଇସୃଷ୍ଟି କରାଯାଏ, ତା’ହେଲେସଭ୍ୟତା ଓ ସଂସ୍କୃତିସୁରକ୍ଷିତରହିବା ଦିଗରେ କୌଣସି ଶ୍ରେଣୀ ଶତ୍ରୁର ସଇତାନି ସକ୍ରିୟ ହୋଇପାରିବ ନାହିଁ । କୃଷକମାନେ ମାଟିରମଣିଷକେବଳ ନୁହଁନ୍ତି, ସେମାନେ ସ୍ୱାଭାବିକ ଭାବେ ଜନସମାଜର ଜାଗ୍ରର ପ୍ରହରୀ ।
ଏହି ମହାଭାରତୀୟ ସନ୍ଦେଶରେ ଆମ ପାଇଁ ପ୍ରଚ୍ଛନ୍ନ ରହିଛି ସଂସ୍କୃତି ନିର୍ମାଣର ସୂକ୍ଷ୍ମସୂତ୍ର । କଳକାରଖାନାକୁ ଜମିଯୋଗାଣ ନାଆଁରେ ଚାଷଜମିକୁ ଚଳୁକରିନଦେଲେ, ଔଷଧୀୟ ବୃକ୍ଷଲତାର ବିରଳ ଭୂକ୍ଷେତ୍ର ଗୁଡିକୁବଳି ନ ପକାଇ, ଧାନ-ପାନ-ମୀନର ମହା ଧରିତ୍ରୀକୁ କମ୍ପାନୀ – କୁବେର ମାନଙ୍କ ହାତକୁବଢାଇ ନ ଦେଇ ରାଷ୍ଟ୍ର ଶାସକ ଶିଳ୍ପବିସ୍ତାର ନିମନ୍ତେ ଅନ୍ୟୋପାୟ ଅବଲମ୍ବନ କରନ୍ତୁ । ଚାଷ ନାଶ ନ ହେଉ – ଚାଷୀଛିନ୍ନବାସୀ ନ ହେଉ – ଦେଶକୁବିଦେଶରୁ ଅନ୍ନବସ୍ତ୍ର ଆମଦାନୀ କରିବାର ଲଜ୍ଜା ଓ ଲାଂଛନାର ଦୁର୍ଯୋଗ ଭୋଗିବାକୁ ନ ପଡୁ । ପରିବେଶ ପ୍ରଦୂଷିତହୋଇ ଦେଶବାସୀ ବ୍ୟାଧିତ ବିଭୀଷିକାର ବିଷାକ୍ତ ବାତାବରଣରେ ଅକାଳ ବାର୍ଦ୍ଧକ୍ୟ ଗ୍ରସ୍ତହୋଇ ନ ପଡନ୍ତୁ । ବିଦେଶରୁ ଆଗେଖାଦ୍ୟ ଆସିବାସହିତ ପରେ ପଥ୍ୟ ବି ଆସିବ, ଇଏ ବି କଣ କମ୍ଲାଂଛନା ! ବିଦେଶୀ କମ୍ପାନୀ ଗୁଡିକର ଔଷଧ କ୍ରୟ ପାଇଁ କଂକାଳସାର ଦେଶବାସୀଗରାଖ ଧାଡିରେଛିଡାହୋଇ ଅପେକ୍ଷା କରିବାର ଆସନ୍ନ ଅଭିଶାପରୁ ଦୂରରେରହନ୍ତୁ ।
ଆମେ କିନ୍ତୁ ଏବେ କେଉଁଠି? ଏ ଦେଶରେ ଦେଶୀବିହନ ଖୋଜନ୍ତୁ – କାଁ ଭାଁ କେଉଁଠିକେଉଁ ନାଁ – ନଜଣାଗାଁକି ଦୂର ମୁଲକରେ ମିଳିଲେ ମିଳିପାରେ – ନ ହେଲେ ଆଦିବାସୀର କରୁଣ କୁଡିଆଘରେ !ବିଦେଶୀବିହନ, ବିଦେଶୀ ରାସାୟନିକ ସାରର ଚକ୍ରବ୍ୟୂହରେ ଆମ ଦେଶୀଚାଷର ଦୁଃସ୍ଥ ଦୁନିଆ ପ୍ରାୟଛିନ୍ଛତ୍ର, ତଳିତଳାନ୍ତ !ସୁତରାଂକୃଷିସଂସ୍କୃତିର ଆଶୁ ପୁନରୁଦ୍ଧାରହିଁ ଆଜିର ଆହ୍ୱାନ – ଫସଲର ଫଟାଭୂଇଁରେ ଏ ଆହ୍ୱାନ ଅମୃତଧାରାସିଂଚନ କରିବାରେ ଅସଲ ଅନ୍ତଃସ୍ୱର । କ୍ରୁଶବିଦ୍ଧ କୃଷକଶ୍ରେଣୀ ଯେପରିରକ୍ତାକ୍ତ ଯୀଶୁର ଯନ୍ତ୍ରଣାଭିତରେବି ଆମପରି ଅପର୍ଯ୍ୟାପ୍ତ ଅପକର୍ମୀ ବର୍ଗଙ୍କୁ କ୍ଷମା କରିଚାଲିଛି – ଆମର କୃଷିବିମୁଖ ଆଜିର ସମାଜ ବ୍ୟବସ୍ଥା ମଧ୍ୟରେ ଆମେ କ’ଣ ଏତିକି ସୁଦ୍ଧାବୁଝିବାରେ ଅପାରଗ ନା ଜାଣିସିଆଣି ଆଜହ୍ଲାଦ ବର୍ଗ?କୃଷି ସହିତ କୃଷ୍ଟିରମହା ମଙ୍ଗଳକର ମିଶ୍ର ରାଗ ମୂର୍ଚ୍ଛିତ ହେଉ ଏଇ ମୁହୂର୍ତରୁ – ବିଳମ୍ବରେବିପର୍ଯ୍ୟୟ!
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩