କ୍ଷତିଗ୍ରସ୍ତ ପାନଚାଷୀଙ୍କୁ ସହାୟତା ଦାବି
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡା, କାକଟପୁର, ଅସ୍ତରଙ୍ଗ, ଗୋପ ଅଞ୍ଚଳ ପାନ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି।ଏହି ଅଞ୍ଚଳ ର ହଜାର ହଜାର ଚାଷୀ ପାନ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ଗତ କିଛି ବର୍ଷ ହେଲା ଉପକୂଳ ଅଞ୍ଚଳ ରେ ବାତ୍ୟା,ବନ୍ୟା ହୋଇ ପାନବରଜ ର ବ୍ୟାପକ କ୍ଷତି ଘଟିଥିବାରୁ ପାନ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପାନଚାଷୀମାନେ ଅଣ୍ଟା ସଳଖି ଆସୁଥିବାବେଳେ ଚଳିତ ବର୍ଷ ର ବନ୍ୟା ଯୋଗୁଁ ବ୍ୟାପକ ବରଜ ରେ ପାଣି ଜମି ରହି ପାନ ଲଟା କୁ ସଢାଇ ଦେବା ଫଳରେ ପାନ ଚାଷୀ ମାନେ ମୁଣ୍ଡରେ ହାତ ଦେଇବସିଛନ୍ତି। ପୁଣିଥରେ ପାନଲଟା ସଂଗ୍ରହ କରି ନୂତନ ଭାବେ ରୋପଣ କରିବାକୁ ପଡ଼ିବ। ୩/୪ ମାସ ପରେ ପାନ ଲଟା ବଞ୍ଚିଲେ ପୁଣି ଥରେ ପାନ ପତ୍ର ଅମଳ ହୋଇପାରିବ। ବାରମ୍ବାର ପାନ ଚାଷୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ରେ କ୍ଷତିଗ୍ରସ୍ତ ହୋଇ ଆସୁଥିଲେ ମଧ୍ୟ ସରକାରୀ ସାହାଯ୍ୟ ପାଇପାରୁ ନାହାଁନ୍ତି। ଏଥିପାଇଁ ପୁରୀଜିଲ୍ଲା ଉପକୂଳ ଅଞ୍ଚଳ ରେ ପାନ ଚାଷ କରିବାକୁ ଆଉ ଚାଷୀମାନେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ଚଳିତ ବର୍ଷ ବନ୍ୟା ରେ କ୍ଷତିଗ୍ରସ୍ତ ପାନଚାଷୀ ଙ୍କୁ ଚିହ୍ନଟ କରି ତୁରନ୍ତ ସରକାର ସହାୟତା ଯୋଗାଇ ଦେବାକୁ ନିମାପଡ଼ା କଂଗ୍ରେସ ର ଯୁବ ନେତା କେଶବ ପ୍ରଧାନ ଦାବି କରିଛନ୍ତି।


