କ୍ଷଦ୍ର ଟେଲି ଚଳଚ୍ଚିତ୍ର ‘ଦେବଦୂତ-ଦି ସମାରିଟାନ’ ଲୋକାର୍ପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଉଦୀୟମାନ ଯୁବଛାତ୍ର ସ୍ୱର୍ଗତ ଗିରିଜା ଶଙ୍କରଙ୍କ ସ୍ମୃତିରେ ଗଢି ଉଠିଥିବା ମାଷ୍ଟର ଗିରିଜା ମେମୋରିଆଲ ଟ୍ରଷ୍ଟର ତୃତୀୟ ପ୍ରତିଷ୍ଠା ଦିବସ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶଥାଉକି, ମାଷ୍ଟର ଗିରିଜା ଶଙ୍କର ବିଶିଷ୍ଟ ସମାଜସେବୀ ତଥା ଅଧ୍ୟାପିକା ଅମୀୟବାଳା ପରିଡ଼ା ଓ ସ୍ୱର୍ଗତ ଚଣ୍ଡିପ୍ରସାଦଙ୍କର ଏକମାତ୍ର ପୁତ୍ର ଥିଲେ । ଏକମାତ୍ର ପୁତ୍ରର ଦୁର୍ଘଟଣାଜନିତ ଅକାଳ ମୃତ୍ୟୁରେ ମ୍ରିୟମାଣ ହୋଇଥିଲେ ମଧ୍ୟ ଧୈର୍ଯ୍ୟହରା ନହୋଇ ସେହି ଦିନଠାରୁ ସଡ଼କ ସୁରକ୍ଷା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି, ଆଇଏସ୍ଡ଼ିର ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ ଓ ସୁର୍ ଭାଇବ୍ରେସନର ଅଧ୍ୟକ୍ଷା ଜୟଶ୍ରୀ ଧଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ଓଡ଼ିଶାରେ ସଡ଼କ ସୁରକ୍ଷାର ସ୍ଥିତି’ ସମ୍ପର୍କିତ ଆଲୋଚନାଚକ୍ରରେ ଭାଗ ନେଇଥିଲେ । ଏହି ଅବସରରେ ଦୁର୍ଘଟଣା ଓ ଜୀବନ ରକ୍ଷା ସମ୍ପର୍କିତ ଏକ କ୍ଷୁଦ୍ର ଟେଲି ଚଳଚ୍ଚିତ୍ର ‘ଦେବଦୂତ ସମାରିଟାନ’ ଲୋକାର୍ପିତ ହୋଇଥିଲା । ସମାରିଟାନ ରାଧା ଗୋବିନ୍ଦ ସାହୁଙ୍କୁ ଟ୍ରଷ୍ଟ ତରଫରୁ ୨୦୦୦ ଟଙ୍କା ଓ ଫାଷ୍ଟଏଡ୍ ବକ୍ସ ପ୍ରଦାନ କରାଯିବା ସହିତ ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟ ଜଗନ୍ନାଥ ଆକ୍ସିଡ଼େଣ୍ଟାଲ ହେଲ୍ଥ ୟୁନିଟ୍କୁ ‘ତୃତୀୟ ଗିରିଜା ସ୍ମୃତି ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ଅମିୟବାଳା ପରିଡ଼ା ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଟ୍ରଷ୍ଟର ଅଧ୍ୟକ୍ଷା ଶ୍ରୀମତୀ ମୀତା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଶ୍ରୀଯୁକ୍ତ ବିକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଗିରିଜାର ‘ଅନ୍ନ ଦାନ ମହା ପୂଣ୍ୟ’ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଓ ଅତିଥିମାନେ ସାମିଲ୍ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମଳୟ ରାଉତରାୟ, ସାଗର ଦାସ, ରୋଜା ଘୋଷ, ଶୁଭମ୍ ପରିଡ଼ା, ଚିରଞ୍ଜୀବ ଦାସ, ଆକାଶ କୁମାର ମୁନି ଉପସ୍ଥିତ ରହି ସହୟତା କରିଥିଲେ ।


