କ୍ଷମତା ପ୍ରଚାର ଓ ସେବାର ପ୍ରକୃତ ଅର୍ଥ

ସମ୍ପ୍ରତି କିଛି ମହଲରେ ଏକ ଧାରଣା ପ୍ରଚାର କରାଯାଉଛି—କିଛି ଲୋକ କ୍ଷମତା ପଛରେ ଦୌଡ଼ୁଛନ୍ତି, କେହି କେବଳ ସୋସିଆଲ ମିଡ଼ିଆରେ ବଞ୍ଚୁଛନ୍ତି, ଆଉ ସମାଜସେବା ମଧ୍ୟ ଏବେ କେବଳ ପ୍ରଚାରର ଉପକରଣ ହୋଇଯାଇଛି। ଏପରି ସାଧାରଣୀକୃତ ଅଭିଯୋଗର ଉତ୍ତର ନିଜ ଭାବନାରେ ନୁହେଁ, ବରଂ ଶାନ୍ତ ଓ ସତ୍ୟନିଷ୍ଠ ଆତ୍ମମନନରେ ଦେବା ଉଚିତ। ପ୍ରଥମେ ପ୍ରଚାରର କଥା କହିବା। ଆଜିର ଡିଜିଟାଲ ଯୁଗରେ ନିଜ କାମକୁ ସମାଜ ସାମ୍ନାରେ ଆଣିବା ଏକ ଗର୍ବ ନୁହେଁ, ଏହା ଏକ ସଂଯୋଗ। ଯେତେବେଳେ ଭଲ କାମ ଲୋକମାନଙ୍କ ନଜରକୁ ଆସେ, ସେମାନେ କେବଳ ଏକ ଧାରଣା ସୃଷ୍ଟି କରନ୍ତି ନାହିଁ—ବରଂ ସେମାନେ ପ୍ରେରଣା ସୃଷ୍ଟି କରନ୍ତି । ଗୋଟିଏ ସକାରାତ୍ମକ ସୋସିଆଲ ମିଡିଆ ପୋଷ୍ଟ ଦଶଜଣକୁ ଭଲ କିଛି କରିବାକୁ ପ୍ରେରିତ କରିପାରେ। ଯଦି ଭଲ କାମର କଥା କହିବାକୁ ପ୍ରଚାର ବୋଲି ଧରାଯାଏ, ତେବେ ଆମକୁ ପାରଦର୍ଶିତାର ପରିଭାଷା ବିଷୟରେ ପୁନଃଚିନ୍ତା କରିବାକୁ ପଡ଼ିବ।
ଦ୍ୱିତୀୟତଃ, ନେତୃତ୍ୱକୁ ଅନେକ ସମୟରେ ଭୁଲ୍‌ ବୁଝାଯାଏ। ପ୍ରକୃତ ନେତୃତ୍ୱ ମାନେ କୌଣସି ଏକ କ୍ଷମତାକୁ ଧରି ରହିବା ପାଇଁ ନୁହେଁ, ବରଂ ଅନ୍ୟମାନଙ୍କୁ ସୁଯୋଗ ଦେବା, ସେମାନଙ୍କୁ ଗଢ଼ିବା ଏବଂ ସେମାନଙ୍କୁ ଆଗକୁ ବଢ଼ୁଥିବା ଦେଖିବାରେ ବିଶ୍ୱାସ କରନ୍ତି। ଆଜି ଯେଉଁମାନେ ଆତ୍ମବିଶ୍ୱାସର ସହ କଥା କହୁଛନ୍ତି, ସେମାନଙ୍କ ମଧ୍ୟରୁ ଅନେକେ କେବେ କାହାରି ହାତଧରି ଆଗକୁ ବଢ଼ିଥିଲେ, ଆଉ ଆଜି ସେହି ଲୋକଙ୍କୁ ହିଁ ନିନ୍ଦା କରିବାକୁ ପଛାଉନାହାନ୍ତି । ଉନ୍ନତିର ପରିଣାମ କୃତଜ୍ଞତା ହେବା ଉଚିତ, ପଛରୁ ଛୁରିକାଘାତ ତ କେବେ ବି ନୁହେଁ। ଯେଉଁ ଗଛ ଦିନେ ଛାୟା ଦେଇଥିଲା, ସେହି ଗଛକୁ ପଥର ମାରିବା ସବୁଠୁ ସହଜ। ଆଉ ଗୋଟିଏ ଅପ୍ରିୟ ସତ୍ୟ ହେଉଛି—କେବଳ ପଢ଼ାଲେଖା କିମ୍ବା ପୁରସ୍କାର ପାଇଲେ କେହି ନୀତିବାନ ହୋଇଯାଏ ନାହିଁ। ଡିଗ୍ରୀ, ସ୍ୱର୍ଣ୍ଣ ପଦକ ଉତ୍ତମ ଚରିତ୍ରର ପରିଚାୟକ ନୁହେଁ। ସମାଜ ମଣିଷକୁ ତାହାର ମେଧାରେ ନୁହେଁ, ବରଂ ତାର ସତ୍ୟତାରେ ମୂଲ୍ୟାୟନ କରେ—ବିଶେଷକରି ସେତେବେଳେ, ଯେତେବେଳେ ଦେଖିବାକୁ କେହି ନଥାଏ। ସେବା କରିବା ଓ ସେବାକୁ ବ୍ୟବହାର କରିବା ମଧ୍ୟରେ ଏକ ସୂକ୍ଷ୍ମ ସୀମାରେଖା ରହିଛି। ଯେତେବେଳେ ସାମାଜିକ ମଞ୍ଚଗୁଡ଼ିକୁ ବ୍ୟକ୍ତିଗତ ଲାଭ ପାଇଁ ଦୁର୍ବ୍ୟବହାର କରାଯାଏ, କିମ୍ବା କାହାରି ସୁନାମକୁ ସନ୍ଦେହଜନକ କାର୍ଯ୍ୟରେ ବ୍ୟବହାର କରାଯାଏ, ସେତେବେଳେ କ୍ଷତି କେବଳ ବ୍ୟକ୍ତିଗତ ସ୍ତରରେ ରହେ ନାହିଁ—ଭାଙ୍ଗିଯାଏ ଲୋକବିଶ୍ୱାସ, ସମାଜ ହୁଏ କ୍ଷତିଗ୍ରସ୍ତ । କିନ୍ତୁ ସମୟ ହେଉଛି ସବୁଠୁ ବଡ଼ ନିରୀକ୍ଷକ। ସେଇ ସମୟ ଶେଷରେ ନିର୍ଣ୍ଣୟ କରେ —କିଏ ସତରେ ସେବା କଲା, ଆଉ କିଏ କେବଳ ଅଭିନୟ କଲା। ଶକ୍ତି ପଦରେ ନଥାଏ, ପ୍ରଭାବ ଶବ୍ଦରେ ଗଢ଼ାଯାଏ ନାହିଁ। ଉତ୍ତରାଧିକାର ‘ଲାଇକ୍‌ – କମେଣ୍ଟ – ସେୟାର୍’ ରେ ତିଆରି ହୁଏ ନାହିଁ। ପ୍ରକୃତ ପ୍ରଭାବ ଗଢ଼ାଯାଏ—ନିୟମିତ ଉତ୍ତମ ଆଚରଣରେ, ନୀତିଗତ ଓ ମିଳିତ ନିଷ୍ପତ୍ତିରେ ଓ ସେଇ ସାହସରେ, ଯାହା ଭ୍ରାନ୍ତ କଥାକୁ ଏଡାଇ ମଣିଷକୁ ମଣିଷ ଭଳି ବଞ୍ଚିବାକୁ ଦିଏ । ଯେମାନେ ପ୍ରତିଷ୍ଠାନ ଗଢ଼ନ୍ତି, ସେମାନେ ମନେ ରଖିବା ଉଚିତ—ଯେଉଁ ହାତ ଯଦି କାହାକୁ ଉଠାଇଛି, ସେଇ ହାତ ଜାଣେ କେବେ ପଛକୁ ହଟିବାକୁ ହେବ। ଆଉ ଯେଉଁ ମାନେ ଉପରକୁ ଉଠିଛନ୍ତି, ସେମାନେ ମଧ୍ୟ ବୁଝିବା ଦରକାର—ଅତ୍ୟଧିକ ଚାଲାକି କିଛି ସମୟ ପାଇଁ ଚମକେ, କିନ୍ତୁ ଚରିତ୍ର ସଦାବେଳେ ସ୍ଥାୟୀ ରହେ। ଶେଷରେ ଇତିହାସ ପଚାରିବ ନାହିଁ—କିଏ ମଞ୍ଚ ରେ ବସିଲା, କିଏ ଆଲୋଚନାରେ ନିଜ ପ୍ରଭୁତ୍ୱ ଦେଖାଇଲା। ଇତିହାସ କେବଳ ଗୋଟିଏ ପ୍ରଶ୍ନ କରିବ— କିଏ ସତରେ ସେବା କଲା, ଆଉ କିଏ କେବଳ ସେବା କରୁଥିବା ପରି ଦେଖାଉଥିଲା?

ଦୁର୍ଗାମାଧବ ପାଣିଗ୍ରାହୀ
ସାମ୍ବାଦିକ
ଦୁର୍ଗାଦେବୀ ସାହି,ଗଞ୍ଜାମ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ