କ୍ଷୁଦ୍ର ଗଳ୍ପ “କେଉଁ କଥା ଜରୁରୀ” : ଶ୍ରୀ ବଂଶୀଧର ପଣ୍ଡା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କୋଭିଡର ଦ୍ଵିତୀୟ ଲହର l ସରକାର ଘୋଷଣା କଲେ ଲକଡ଼ାଉନ l ଦୋକାନ ବଜାର ବନ୍ଦ l କେବଳ ସରକାରଙ୍କ ଘୋଷଣା ପ୍ରକାରେ କେତୋଟି ଦୋକାନ ଖୋଲା l ତାହା ପୁଣି ଦିନ ବାରଟା କି ଦୁଇଟାରେ ବନ୍ଦ l ଆମ ଗାଁ ମନ୍ଦିର ପାଖରେ ଛୋଟ ଚା ଦୋକାନଟିଏ କରି ଗୁଜୁରାଣ ମେଣ୍ଟାଉ ଥିବା ସଇତା ମୁଣ୍ଡରେ ଚଡକ ପଡିଲା l ଚାରି ପ୍ରାଣୀ କୁଟୁମ୍ବ l କଣ କରିବ? କରିବ କଣ? ଏମିତି ସମୟରେ ବୁଦ୍ଧିମତୀ ସ୍ତ୍ରୀ ତାକୁ ଗୋଟେ ବୁଦ୍ଧି ବତେଇ ଦେଲା l ସ୍ୱାମୀକୁ କହିଲା -“ଏ କଥା ପାଇଁ ଏତେ ଚିନ୍ତା କାହିଁକି? ଫ୍ଲାସରେ ଚା ଧରି ମନ୍ଦିର ପାଖ ଗଳିରେ ବସିବା ଆଉ ଲୋକଙ୍କୁ ଚା ବିକ୍ରି କରିବା l ବଡ ଝିଅଟି ପଢେ ସପ୍ତମ ଶ୍ରେଣୀରେ l ସାନ ଝିଅ ପଢେ ପଞ୍ଚମ ଶ୍ରେଣୀରେ l ମା’ କହିବା ପ୍ରକାରେ ଦୁଇ ଝିଅ ଫ୍ଲାସରେ ଚା ନେଇ ମନ୍ଦିର ପାଖ ଗଳିରେ ବସି ଚା ବିକ୍ରି କଲେ l ଯଦି ପୋଲିସ ଗାଡିର ସାଇରନ ଶୁଭିଲା ତେବେ ସଂଗେ ସଂଗେ ଅନ୍ଧାରରେ ଲୁଚିଯାଉଥିଲେ l ଆମ ପରି କେତେକ ସଇତାର ନିୟମିତ ଗ୍ରାହକ ସେଠାରେ ପହଞ୍ଚି ଅନ୍ଧାରରେ ହେଉ ପଛେ ଚା ଟିକିଏ ପିଇଦେଲେ ଆମ ଆତ୍ମା ଶାନ୍ତ ହେଉଥିଲା l ଏମିତି କେତେଦିନ ଚାଲିଲା l ଦିନେ ବଡ଼ଝିଅ ଚା ବିକ୍ରି କରୁଛି l ମନରେ ତାର ହରସ ନାହିଁ l ତର ତର ବି ହେଉଛି l କିଏ ପାଞ୍ଚ ଟଙ୍କା ବଢ଼େଇ ଦେଲେ ସେ ବଡ଼ କଫି ପିଇବା ଗ୍ଳାସରେ ଦଶ ଟଙ୍କାର ଚା ଦେଇଦେଉଛି l ଆମେ ଦି ଚାରିଜଣ ଚା ପିଇଲୁ l ମୁଁ ପଚାରିଲି କଥା କଣ? ଆଜି ଏତେ ଚା’ ପାଞ୍ଚ ଟଙ୍କାରେ ଦେଉଛୁ l ସେ ଯାହା କହିଲା, ମୋ ମୁଣ୍ଡ ଘୁରିଗଲା l କହିଲା,-” ଆଜି ଟି. ଭି ରେ ଗଣିତ ବିଷୟରେ ସାର ପାଠ ପଢ଼େଇବେ l ମୋର ତ ମୋବଇଲ ନାହିଁ l ତେଣୁ….. ଏ ଚା ବେଗି ନ ସରିଲେ ମୁଁ ଘରକୁ ଯିବି କେମିତି? ତେଣୁ ବେଗି ବେଗି ଚା ସରିବା ଦରକାର l ଚା ବିକ୍ରି ନ କରି ମୁଁ ଯଦି ଘରକୁ ଯିବି ତେବେ ମାଆ ମୋତେ କିଛି କହିବେନି ସତ କିନ୍ତୁ ଆମ ଘର ଚଳିବ କେମିତି ? ସତରେ ଆଜ୍ଞା, ଆପଣ କୁହନ୍ତୁ ଏଥିପାଇଁ ଦାୟୀ କିଏ? ପାଠ ପଢିବା ଅତି ଜରୁରୀ ନା ବଞ୍ଚିବା ଜରୁରୀ l


