କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସମ୍ପାଦକ ସଂଘର ପ୍ରଥମ ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ସଂଘର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ରର ସମ୍ପାଦକମାନଙ୍କୁ ସାଧୁବାଦ ଜ୍ଞାପନ କରିବା ସହିତ ସେ ନିଜେ ଜଣେ ସାମ୍ବାଦିକ ଏବଂ ସାମ୍ବାଦିକ ପରିବାରରେ ତାଙ୍କର ଜନ୍ମ ବୋଲି କହିବା ସହିତ ସବୁବେଳେ ନିରପେକ୍ଷ ଭାବରେ ନିଜ ନଜର କଲମ ଚାଳନା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ମୁମ୍ବାଇ ଓଡ଼ିଆ ସମାଜର ସଭାପତି ତଥା ମୁମ୍ବାଇ ଓଡ଼ିଆ ଖବରକାଗଜର ମୁଖ୍ୟ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର ଯୋଗଦେଇ ସମସ୍ତ ସମ୍ପାଦକ ଏବଂ ସାମ୍ବାଦିକମାନେ କିପରି ସରକାରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ ଓ ଏଥିପାଇଁ ସେମାନଙ୍କୁ ସରକାରଙ୍କ ସମସ୍ତ ନିତିନିୟମ ଅନୁସରଣ ପୂର୍ବକ ଅସୁବିଧାଗୁଡ଼ିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅର୍ଗସ ନ୍ୟୁଜର ସହକାରୀ ସମ୍ପାଦକ ଶକ୍ତିସାଇ ମିଶ୍ର, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ଭୁବନେଶ୍ୱର ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାସ ପଣ୍ଡା ପ୍ରମୁଖ ଯୋଗଦେଇ ନିଜ ନିଜର ସକରାତ୍ମକ ବକ୍ତବ୍ୟ ରଖିଥିଲେ ।ଅନୁଷ୍ଠାନର ସଭାପତି ସୌଭାଗ୍ୟ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସାଧାରଣ ସମ୍ପାଦକ ମଦନ ମୋହନ ସାହୁ କ୍ଷୁଦ୍ର ମଧ୍ୟମ ଖବର କାଗଜର ଦୁର୍ଦ୍ଦିନ ଏବଂ ଅସୁବିଧା ସମ୍ପର୍କିତ ଦାବି ଉତ୍‌ଥାପନ କରିଥିଲେ । ବରିଷ୍ଠ ସାମ୍ବାଦିକ ଧୀରମୋହନ ରାୟ ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୫୦ରୁ ଉର୍ଦ୍ଧ୍ୱ ଛାତ୍ର, ସାମ୍ବାଦିକ, ସମାଜସେବୀ, ଗାଳ୍ପିକ ଓ ସ୍ୱନାମଧନ୍ୟ ଡାକ୍ତରମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ମାନପତ୍ର ଓ ମୋମେଣ୍ଟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ