କ୍ଷେତ୍ର ପରିଦର୍ଶନ କଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର ପାଇ ମହୁରା ଛକ ଠାରେ ଏକ ଗଳା ପୋଲ ନିର୍ମାଣ ପାଇଁ ଅନେକ ବାର ବିଭିନ୍ନ ଦଳର ନେତା ମାନେ ଦାବି ଜଣାଇଛନ୍ତି। ଇତିମଧ୍ୟରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ସରିଥିବା ବେଳେ ଏଠାରେ ଗଳା ପୋଲ ନିର୍ମାଣ ହୋଇପାରିନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ ବିଜେପି ନେତା ପଞ୍ଚାନନ ରାଉତ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କରିବା ସହ ପାଇ ମହୁରା ଠାରେ ଗଳା ପୋଲ ନିର୍ମାଣ ପାଇଁ ଆଲୋଚନା କରିଥିଲେ। ଏପରିକି ଶ୍ରୀ ରାଉତ ପତ୍ର ମାଧ୍ୟମରେ ପୂର୍ବ ଦାବିକୁ ମନ୍ତ୍ରୀଙ୍କ ନିକଟରେ ଦୋହରାଇଥିଲେ। କେନ୍ଦ୍ରମନ୍ତ୍ରୀ ଦାବିକୁ ବିଚାରକୁ ନେଇ ଗଳା ପୋଲ ନିର୍ମାଣ ପାଇଁ ସବୁଜ ସଙ୍କେତ ଦେଇଥିବା ବେଳେ ଆଜି ଜାତୀୟ ରାଜପଥ ଆଞ୍ଚଳିକ ପ୍ରକଳ୍ପ ନିର୍ଦେଶକ ଜୟପ୍ରକାଶ ବର୍ମା କ୍ଷେତ୍ର ପରିଦର୍ଶନ କରିଛନ୍ତି। ସେ ପାଇ ମହୁରା ଠାରେ ପହଞ୍ଚି ଗଳା ପୋଲ ପାଇଁ ସମସ୍ତ ଭିତ୍ତିଭୂମି ଅନୁଧ୍ୟାନ କରିଥିବା ବେଳେ ଯଥାଶୀଘ୍ର ଏନେଇ ଟେଣ୍ଡର ପ୍ରସ୍ତୁତ କରିବା ସହ କାର୍ଯ୍ୟ ଆରମ୍ଭ କରିବେ ବୋଲି କହିଥିଲେ। ପରିଦର୍ଶନ ସମୟରେ ବିଜେପି ନେତା ଶ୍ରୀ ରାଉତଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ସୁବାଷ ଚନ୍ଦ୍ର ପାତ୍ର, କେଶବ ଚନ୍ଦ୍ର ନାୟକ, ଅଶୋକ ସ୍ୱାଇଁ, ନିରଞ୍ଜନ ବେହେରା, ଦେବେନ୍ଦ୍ର କୁମାର ନାୟକ, ଦୁଷ୍ମନ୍ତ ବାରିକ, ପ୍ରକାଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ନିକଟ ସିଟି ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଧିକାରୀଙ୍କୁ ଭେଟି ଗଳା ପୋଲ ନିର୍ମାଣ ପାଇଁ ନିବେଦନ କରିଥିଲେ।