କ୍ୟାଡ଼ର ରୁଲ୍ ପୁନର୍ଗଠନ ନେଇ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବହୁ ପ୍ରତୀକ୍ଷିତ କ୍ୟାଡ଼ର ରୁଲ୍ ସଂଶୋଧିତ ହୋଇ ପୁନର୍ଗଠନ ହେବା ପରେ ଆଜି ନବୀନ ନିବାସ ସମ୍ମୁଖରେ ଏକ ଆୟୋଜିତ ସଭାରେ ଶିକ୍ଷକ ସଂଗଠନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ ଜ୍ଞାପନ କରାଯାଇଥିଲା । ୨୦୧୪ ମସିହା ଜୁଲାଇ ୧ ତାରିଖ ସଂଶୋଧିତ କ୍ୟାଡ଼ର ରୁଲ୍ ତ୍ରୁଟିପୂର୍ଣ୍ଣ ଥିବାରୁ ଶିକ୍ଷକ ସଂଗଠନ ତରଫରୁ ବାରମ୍ବାର ସଂଶୋଧନ କରାଯିବା ନିମନ୍ତେ ଦାବି କରାଯାଇଥିଲା ଏବଂ ନୂତନ ଯୋଜନାଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଦରମାର ବୃଦ୍ଧି ନିମନ୍ତେ ବାରମ୍ବାର ଦାବି କରି ଆସୁଥିଲେ । ସମସ୍ତଙ୍କ ମତାମତୁ ନେଇ ସରକାର ଯେଉଁ ସଂଶୋଧିତ କ୍ୟାଡ଼ର ରୁଲ୍ ପୁନର୍ଗଠନ କଲେ, ସେଥିରେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ସିଧାସଳଖ ଉପକୃତ ହେବା ସହ ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ପଦୋନ୍ନତି ଏବଂ ଏଥି ସଂଲଗ୍ନ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇପାରିବେ ବୋଲି ସଂଗଠନ ତରଫରୁ କୁହାଯାଇଅଛି । ଯାହାଫଳରେ ଶୈକ୍ଷିକ ବାତାବରଣ ଅଧିକ ଭାବେ ଉତ୍ସାହପ୍ରଦ ହେବା ସହ ଶିକ୍ଷକ ମହଲରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇପାରିବ ଏବଂ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ହୋଇପାରିବ ।
ଉକ୍ତ ସମ୍ବର୍ଦ୍ଧନା ସଭାରେ ବିଭାଗୀୟ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ସଂଗଠନର ଉପଦେଷ୍ଟା ତଥା ନିର୍ମାଣ ଶ୍ରମିକ ବୋର୍ଡ଼ ଅଧ୍ୟକ୍ଷ ସୁବାସ ସିଂ, ଯୁବନେତା ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କ ଆକୁଣ୍ଠ ସହଯୋଗିତା ହେତୁ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ବୋଲି ଉଭୟ ସଂଗଠନର ସଭାପତି ହୃଦାନନ୍ଦ ଦ୍ୱିବେଦୀ, ରାଜେଶ ମହାନ୍ତି, ମହାସଚିବ ଅମୀୟ କୁମାର ଦାସ, ଖଗେନ୍ଦ୍ର ପାଲ, ·ରୁଲତା ମହାପାତ୍ର, ବିକ୍ରମ ରଥ, ବିଜୟ କୁମାର ଜେନା, ବିଜୟ କୁମାର ମହାନ୍ତି, ରାଜଲକ୍ଷ୍ମୀ ମହାପାତ୍ର, ଶେଖ୍ ଅବଦୁଲ ଖଲିକ୍, ସହସ୍ରାଂଶୁ ମହାନ୍ତି, ରମାକାନ୍ତ ମହାନ୍ତି, ପବିତ୍ର ମୋହନ ଜେନା ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।