କ୍ୟୁଆର୍ କୋଡ୍ ସ୍କାନ୍ କଲେ ଖୋଲେ ଏୟାରପୋର୍ଟର ବିଶ୍ରାମକକ୍ଷ
ଏୟାରପୋର୍ଟରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଏମିତି ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଯେଉଁଠି ସମସ୍ତ ସୁବିଧା ଉପଲବ୍ଧ । ଆରାମରେ ବସିବା ସହିତ ଇଣ୍ଟରନେଟ୍ ସୁବିଧା ମଧ୍ୟ ରହିଛି । ଏମିତି ଆରାମଦାୟକ ବିଶ୍ରାମକକ୍ଷ ନିର୍ମାଣ କରାଯାଇଛି ଚାଇନାର ଜୋଝିୟାଙ୍ଗସ୍ଥିତ ହଙ୍ଗଝୋହୁ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ । ଏହା ବେଶୀ ବଡ଼ ମଧ୍ୟ ନୁହେଁ । ଏଠାରେ କ୍ୟାପସୁଲ ସଦୃଶ ୮ଟି ବିଶ୍ରାମକକ୍ଷ ରହିଛି । ଏୟାରପୋର୍ଟର ଅଧିକାରୀ କୁହନ୍ତି, ଗୋଟିଏ ବିଶ୍ରାମକକ୍ଷ ୩ ମିଟରବର୍ଗର ନିର୍ମାଣ କରାଯାଇଛି । କ୍ୟୁଆର କୋଡ୍ ସ୍କାନ୍ କଲେ ଏହାର ଗେଟ୍ ଖୋଲିଥାଏ । ଏଠାରେ ଯାତ୍ରୀମାନେ ବସିବା ପାଇଁ ଏକ ଆରାମଦାୟକ ଚେୟାର ରହିଛି ।ଖାଲି ସେତିକି ନୁହେଁ, ଏକ ବଟନ୍ ଦବାଇଲେ ଚେୟାରଟି ବେଡ୍ ପରି ହୋଇଯାଇଥାଏ । ଏଥିରେ ମୋବାଇଲ, ଲାପଟପ୍ ଚାର୍ଜ ହେବା ସହିତ ଇଣ୍ଟରନେଟ୍ର ମଧ୍ୟ ସୁବିଧା ରହିଛି । ଏହି ବିଶ୍ରାମକକ୍ଷରେ ଲଗେଜ୍ ରଖିବାରେ କୌଣସି ଅସୁବିଧା ହେବ ନାହିଁ । ଏହାବ୍ୟତୀତ ଫ୍ଲାଇଟ୍ ସମ୍ପର୍କରେ ଜାଣିବା ପାଇଁ ବାହାରକୁ ଯିବାକୁ ପଡ଼ିବନି । ନେଟ୍ ବ୍ୟବହାର କରିବା ସମୟରେ ଫ୍ଲାଇଟ୍ ସମ୍ପର୍କରେ ସମସ୍ତ ଅପ୍ଡେଟ୍ ଏହା ଭିତରେ ଜଣାପଡ଼ିଯିବ । ଏହି ବିଶ୍ରାମକକ୍ଷରେ ହାଇସ୍ପିଡ୍ ୱାଇଫାଇ ସହିତ ଏୟାର ଫ୍ରେଶନର, ଏୟାର କଣ୍ଡିଶନର ଏବଂ ପାୱାର ସକେଟ୍ ସୁବିଧା ମଧ୍ୟ ଉପଲବ୍ଧ ।


