କ୍ୱାରେଣ୍ଟାଇନ ଗୃହ ପରିସରକୁ ସଫା କଲେ ସରପଞ୍ଚ
ନାଉଗାଁ, (ୱାଇଏନ୍ଏସ୍): ପ୍ରବାସୀ ଓଡିଆମାନେ କରୋନା ଭୁତାଣୁରେ ସଂକ୍ରମିତ ଅଛନ୍ତି କି ନାହିଁ ଜଣିବା ପାଇଁ ସରକାରଙ୍କ ପକ୍ଷରୁ ୨୧ ଦିନ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଓ ୭ ଦିନ ହୋମ କ୍ୱାରେଂଟାନରେ ରହିବା ପାଇଁ ନିର୍ଦ୍ଦେଶ ରହିଛି । ପରବର୍ତି ସମୟରେ ସରକାରଙ୍କ ପକ୍ଷରୁ ଯେଉଁମାନଙ୍କର ସ୍ୱାବ ପରିକ୍ଷାରେ ନେଗେଟିଭ ଆସିବ ସେମାନେ ଚାହିଁଲେ ହୋମ କ୍ୱାରେଂଟାନରେ ରହିପାରିବେ ବୋଲି ମଧ୍ୟ ନିର୍ଦ୍ଦେଶଜାରୀ ହୋଇଛି । କିନ୍ତୁ ନାଉଗାଁ ବ୍ଲକର ଜୈନିକ ସରପଂଚଙ୍କର ସ୍ୱାବ ପରୀକ୍ଷା ନେଗେଟିଭ ଆସିବା ପରେ ମଧ୍ୟ ଅନ୍ୟ ଅନ୍ତେବାସୀଙ୍କ ସହିତ ୨୧ଦିନ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଛନ୍ତି । ଏପରିକି ଶିବିରକୁ ସଫାସୁତରା ରଖିବା ପାଇଁ ନିଜେ କୋଦାଳ ଧରୀ କାମ କରୁଥିବା ଦେଖାଯାଇଛି । ଯାହାକି ଅନ୍ୟ ଅନ୍ତେବାସୀଙ୍କ ପାଇଁ ଉଦାହରଣ ପାଲଟି ଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁସାରେ ନାଉଗାଁ ବ୍ଲକର ଜୈନିକ ସରପଂଚଙ୍କ ପରିବାର କଲିକତାରେ ରହୁଥିଲେ । ଦେଶରେ କରୋନା ସଂକ୍ରମଣ ବ୍ୟାପିବାରୁ ସଂପୃକ୍ତ ସରପଂଚ ନିଜ ପରିବାରକୁ ଆଣିବା ପାଇଁ କଲିକତା ଯାଇଥିଲେ । ସେହି ସମୟରେ ଦେଶରେ ଲକ ଡାଉନ ଘୋଷଣା ହୋଇଥିଲା । ଯାହାଫଳରେ ସେମାନେ ନିଜ ଗାଁକୁ ଆସି ପାରିନଥିଲେ । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଜ ରାଜ୍ୟକୁ ଆସିବା ପାଇଁ ପଂଜିକରଣ ବ୍ୟବସ୍ଥା ଲାଗୁ କରାଯାଇଥିଲା । ସଂପୃକ୍ତ ସରପଂଚ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମ ପଂଜିକରଣ କରି ନିଜ ଖର୍ଚ୍ଚରେ ଏକ ଗାଡିରେ ସରକାରୀ ନିୟମ ଅନୁସାରେ ଜଗତସିଂହପୁର ଜିଲ୍ଲାରେ ପହଁଚିଥିଲେ । ସେଠାରେ ସଂପୃକ୍ତ ସରପଂଚ ଓ ତାଙ୍କ ପରିବାରଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ନାଉଗାଁ ବ୍ଲକସ୍ଥିତ ବ୍ଲକସ୍ତରୀୟ ସ୍ୱତନ୍ତ୍ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ପଠାଇ ଦିଆଯାଇଥିଲା । ସଂପୃକ୍ତ ସରପଂଚ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ସରକାରଙ୍କ ନିୟମକୁ ମାନି ଉକ୍ତ ଶିବିରରେ ଦୁଇ ଦିନ ରହିଥିଲେ । ଦୁଇ ଦିନ ପରେ ସରପଂଚଙ୍କ ସହିତ ତାଙ୍କ ପରିବାରଙ୍କ ସମସ୍ତ ସଦସ୍ୟଙ୍କର ରିପୋର୍ଟ ନେଗେଟିଭ ଆସିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲେ ସଂପୃକ୍ତ ସରପଂଚ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଚାହିଁଥିଲେ ନିଜ ଘରେ ହୋମ କ୍ୱାରେଂଟାନ୍ ରହିପାରିଥାନ୍ତେ । କିନ୍ତୁ ସେମାନେ ନିଜ ଘରକୁ ନଯାଇ ଅନ୍ୟ ଅନ୍ତେବାସୀଙ୍କ ସହିତ ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହିଥିଲେ । ଏପରିକି ପ୍ରତିଦିନ ଶିବିରର ପରିସରକୁ ସଫାସୁତରା ରଖିବା ପାଇଁ ନିଜେ ସକାଳୁ କୋଦାଳ ଧରି ସଫା କରିବା ସହିତ ପରିସରରେ ଥିବା ଫୁଲ ଆଦି ଗଛରେ ପାଣି ଦେଉଥିବା ଦେଖାଯାଇଛି । ଯାହାକି ଅନ୍ୟ ଅନ୍ତେବାସୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।