କ.ନୂଆଗାଁ ବ୍ଲକରେ ଗରିବଙ୍କୁ ମିଳୁନି ଆବାସ ଯୋଜନା
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି l ଯୋଜନା ମାଧ୍ୟମରେ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦେଉଛନ୍ତି, ଏ ବାବଦରେ ରାଜ୍ୟ ସରକାରଙ୍କ ତହବିଲରୁ କୋଟିକୋଟି ଅର୍ଥ ବ୍ୟୟ ବରାଦ ହେଉଛି, କିନ୍ତୁ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା ପ୍ରତିଫଳନ ହେଉଛି l ପ୍ରକୃତ ହିତାଧିକାରୀ ଯୋଜନାରେ ଉପକୃତ ହେବାବଦଳେ ଧନୀକ ଶ୍ରେଣୀର ଲୋକେ ଏହାର ସୁବିଧା ହାତେଉଥିବା ଅଭିଯୋଗ ହେଉଛି ଏପରିକି ଟଙ୍କା ଲାଞ୍ଚ ନ ଦେଲେ କିଛି ବି ହେଉନି l ବ୍ଲକ ପ୍ରଶାସନର ପ୍ରିୟାପ୍ରୀତୀ ପୋଷଣ ହେଉକି ରାଜନୈତିକ ଇଛାଶକ୍ତିର ଅଭାବ ହେଉ ଅବା ଲାଞ୍ଚଖୋର ମନଭାବ ରୁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି l ଏହାରଏକ ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ମହାସିଙ୍ଗ ଗ୍ରାମ ପଞ୍ଚାୟତରେ l ଗତ ଫାଇଲିନରେ ଗୋଚ୍ଛାପଡା ଗାଁର ଜଗା କହଁର ଘର ଛପର ଉଡ଼ିଗଲା ପ୍ରଶାସନ କେବଳ ପାଲଖଣ୍ଡେ ଦେଇ ଚୁପ ବସିଛି, ଯାହା ଫଳରେ ଅର୍ଦ୍ଧ ଭଗ୍ନ ଛିଣ୍ଡା ପାଲତଳେ ବିତୁଛି ଦିନ, ବର୍ଷା ହେଲେ କଥା ସରିଲା ମୁଣ୍ଡଗୁଞ୍ଜିବାକୁ ଜାଗା ନାହିଁ l ବିପଦ ସଂକୁଳ ଅବସ୍ଥାରେ ଭଙ୍ଗା ଘରେ ଆଶ୍ରୟ ନେଉଥିବା ଜଣାପଡିଛି l ଘର ପାଇଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସକୁ ଦୌଡିଦୌଡି ନୟାନ୍ତ ହୋଇଛନ୍ତି, କିନ୍ତୁ ଘରଟିଏ ମିଳିନାହିଁ ବୋଲି ପ୍ରକାଶ କରିଛନ୍ତି ଜଗା କହଁର l ଏନେଇ ସରପଞ୍ଚ ନୀଳିମା କହଁର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କନାମ ନୂତନ ଭାବେ ସଂଯୋଗ କରାଯାଇଛି, ତାଲିକା ଅନୁଯାୟୀ ଗୃହ ଯୋଗାଇ ଦିଆଯିବ l ଏପଟେ ମହାସିଙ୍ଗ ପଞ୍ଚାୟତରେ ବହୁ ଧନୀକ ଶ୍ରେଣୀର ଲୋକେ ଗୃହ ହାତେଇ ଥିବାବେଳେ ପ୍ରକୃତ ହିତାଧିକାରୀଙ୍କୁ ଗୃହ ମିଳିବା ଅହେତୁକ ବିଳମ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି l କେବେ ଜଗା କହଁର କୁ ବାସ ଗୃହଖଣ୍ଡେ ମିଳୁଛି ଦେଖିବାକୁ ବାକିରହିଲା l