ଖଗେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂହସ୍ଥିତ ଖଗେଶ୍ୱର ସରକାରୀ ଉପ୍ରା ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍ଘାଟିତ ହୋଇଯାଇଛି । ୨ ଦିନ ଧରି ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବର ପ୍ରଥମ ଅଧିବେଶନରେ ପୁରାତନ ଛାତ୍ର ସଂସଦର ସଭାପତି ଉଦୟନାଥ ପଣ୍ଡା ସଭାପତିତ୍ୱ କରିଥିଲେ । ସାଂସଦ ମଞ୍ଜୁଲତା ମଣ୍ଡଳ ଉତ୍ସବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଯୋଗ ଦେଇ ଶିକ୍ଷା ହିଁ ଉନ୍ନତିର ମାନଦଣ୍ଡ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ମହିଳା ମାନେ ସମାଜର ଅଗ୍ରଣୀ ନାୟିକା ଏବଂ ସେମାନଙ୍କ ହାତରେ ପିଲା ମାନଙ୍କର ଭାଗ୍ୟ ରହିଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବେଦପିୟୁଷର ମୁଖ୍ୟ ସମ୍ପାଦକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ସରପଞ୍ଚ ସତ୍ୟଭାମା ଧଳ, ସମିତି ସଭ୍ୟା ନିରୁପମା ରାଉତ, କମଳାକାନ୍ତ ସାହୁ, ଗଣିଜାଙ୍ଗ ପଞ୍ଚାୟତର ସରପଞ୍ଚ ରଶ୍ମିତା ସେଠୀ, ପୂର୍ବତନ ସରପଞ୍ଚ ନିହାରିକା ରାଉତ, ବିଡିଓ ପ୍ରଦୀପ କୁମାର ସେଠୀ, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ପ୍ରତିଷ୍ଠାତା ସଭ୍ୟ ଗଣେଶ ଚନ୍ଦ୍ର ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁପରାମର୍ଶ ଦେଇଥିଲେ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ ଓ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଏକ ସ୍ମରଣୀକା ଉନ୍ମୋଚିତ ହୋଇଥିଲା । ପରେ ପ୍ରତିଷ୍ଠାତା ଗଣେଶ୍ୱର ପଣ୍ଡା, ଖଗେଶ୍ୱର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ପୁରୁଷୋତ୍ତମ ଦାସ, କମଳାକାନ୍ତ ସାହୁଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୨ୟ ଅଧିବେଶନରେ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଖଗେଶ୍ୱର ପଣ୍ଡା ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ । ପ୍ରଭୁକୃପା ଓଡିଶା କଲଚରାଲ ଏକାଡେମୀ, ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ ଓ ନୃତ୍ୟାଶା ଟ୍ରଷ୍ଟ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଗଣିଜାଙ୍ଗ ତାରିଣୀ ଛକ ଠାରୁ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଅତିଥି ମାନଙ୍କୁ ଏକ ବାଇକ୍ ଶୋଭାଯାତ୍ରାରେ ସଭାସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପୁରାତନ ଛାତ୍ରସଂସଦର ସଭ୍ୟ, ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ ।