ଖଣିଜ ପରିବହନରେ ଡ଼ମ୍ଫର ପରିବର୍ତେ ହାଇୱା ଚଳାଚଳକୁ ଟ୍ରକମାଲିକ ସଂଘର ବିରୋଧ
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ହେସାବେଡା ସ୍ଥିତ କାସଭି ଇଣ୍ଟରେନେସନାଲ ପ୍ରାଇଭେଟ ଲିମିଟେଡ ଖଣିରେ ଡମ୍ପର ମାଲିକ ମାନଙ୍କୁ ପରିବହନ କାର୍ଯ୍ୟରେ ଉପେକ୍ଷା କରାଯାଇ ବାହାର ଅଞ୍ଚଳର ହାଇୱା ଟ୍ରକ ମାଧ୍ୟମରେ ପରିବହନ କାର୍ଯ୍ୟ କରାଯାଉଥିବା ଅଭିଯୋଗ କରି ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ (ମାଟୋଆ) ପକ୍ଷରୁ ଖଣିରେ ଧାରଣା ଦିଆଯାଇଛି । ମାଟୋଆ ସଂଘର ସଭାପତି ଚତୁର୍ଭୁଜ ପଲେଇ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ଏହି ଟ୍ରକ ମାଲିକ ସଂଘ ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣିରେ କାର୍ଯ୍ୟ କରୁଥିବା ଟ୍ରକକୁ ନେଇ ଗଠନ କରାଯାଇଛି । ଏଥିରେ ୨୮୦୦ ସଦସ୍ୟ ଓ ଡମ୍ପର ପ୍ରାୟ ୪୫୦୦ରୁ ଉର୍ଦ୍ଧ୍ୱ ସଂଘରେ ଅଛନ୍ତି । ଖଣି ନିଲାମ ପ୍ରକ୍ରିୟାରେ ନୂତନ ଭାବେ ଖଣି ଲିଜ୍ ପାଇଥିବା ହେସାବେଡା ସ୍ଥିତ କାସଭି ଇଣ୍ଟରେନେସନାଲ ପ୍ରାଇଭେଟ ଲିମିଟେଡ କମ୍ପାନୀ ଖଣି କାର୍ଯ୍ୟ ଆରମ୍ଭ କରିବା ପରେ ଖଣିଜ ପରିବହନ କାର୍ଯ୍ୟ ପାଇଁ ସ୍ଥାନୀୟ ଟ୍ରକ ମାଲିକ ସଂଘକୁ ନଜଣାଇ ବାହାର ଅଞ୍ଚଳର ୧୪ ଓ ୧୬ ଚକିଆ ବିଶିଷ୍ଟ ହାଇୱା ଟ୍ରକ ଯୋଗେ ପରିବହନ କରୁଥିବା ଜାଣିପାରି ସଂଘର ସଦସ୍ୟ ମାନେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସ୍ଥାନୀୟ ଡମ୍ପର ଗୁଡିକୁ ଖଣିର ଖଣିଜ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଲିଖିତ ଭାବେ ଜଣାଇଥିଲେ । ମାତ୍ର ଖଣି କର୍ତ୍ତୃପକ୍ଷ ଏହାକୁ ହେଜ୍ଞାନ କରି ହାଇୱା ଟ୍ରକ ଯୋଗେ ପରିବହନ କାର୍ଯ୍ୟକୁ ଅନବରତ ଜାରି ରଖିଥିଲା । ପୁନର୍ବାର ସଂଘ ପକ୍ଷରୁ ଏନେଇ ଖଣି କର୍ତ୍ତୃପକ୍ଷ,ସ୍ଥାନୀୟ ଯୋଡା ଓ ବାମେବାରୀ ପୋଲିସ ଏବଂ ପ୍ରଶାସନକୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା । ଫଳରେ କାର୍ଯ୍ୟହରା ହୋଇଥିବା ଡମ୍ପର ମାଲିକ ମାନେ ପ୍ରଶାସନକୁ ଜଣାଇ କୋଭିଡ-୧୯ ନିୟମକୁ ପାଳନ କରି ଧାରଣା ଦେବାର ନିଷ୍ପତ୍ତି ନେଇ ସୋମବାର ପୂର୍ବାହ୍ନରେ ଖଣି ଲିଜ ପରିସର ଭିତରେ ଧାରଣାରେ ବସିଛନ୍ତି । ସଂଘର ସମ୍ପାଦକ ସତ୍ୟପ୍ରିୟ ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ପୂର୍ବରୁ ଖଣିରେ ହଜାର ହଜାର ଶ୍ରମିକ କାର୍ଯ୍ୟ କରୁଥିଲେ । ମାତ୍ର ଖଣି ଗୁଡିକ ସମ୍ପୂର୍ଣ୍ଣ ଯାନ୍ତ୍ରିକ କରିବା ପରେ ଶ୍ରମିକ ଛଟେଇ ହୋଇ କାର୍ଯ୍ୟହରା ହେଲେ । ଜମିବିକି ଋଣ କରି ଡମ୍ପର କ୍ରୟ କରି ଖଣିର ପରିବହନ କାର୍ଯ୍ୟରେ ନିୟୋଜିତ କରି ନିଜର ଜିବୀକା ନିର୍ବାହ କରୁଥିଲେ । ମାତ୍ର ନୂତନ ଲିଜ୍ ପାଇଥିବା ଖଣି ଲିଜଧାରୀ ମାନେ ଡମ୍ପର ସଂଘକୁ ବେଖାତିର କରି ଡମ୍ପର ପରିବର୍ତେ ୧୪ ଓ ୧୬ ଚକ ବିଶିଷ୍ଟ ବାହାର ଅଂଚଳର ହାଇୱା ଟ୍ରକକୁ ପରିବହନ କାର୍ଯ୍ୟ ଦେଉଛନ୍ତି । ଯାହାଫଳରେ ଡମ୍ପର ଗୁଡିକ କାର୍ଯ୍ୟହରା ହେଉଛନ୍ତି । ଏହି ଡମ୍ପର ଗୁଡିକ ଖଣି ଗୁଡିକରେ ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଗାଡି ମାଲିକଙ୍କ ପରିବାର ସମେତ ଏଥିରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଜଡିତ ଥିବା ଡ୍ରାଇଭର ଓ ହେଲପର ଏବଂ ସେମାନଙ୍କର ପରିବାର ଲୋକ ପ୍ରଭାବିତ ହେଉଛନ୍ତି । ଅଂଚଳର ବେରୋଜଗାର ବୃଦ୍ଧି ପାଇବା ସହିତ ସେମାନଙ୍କର ଜୀବନ ଓ ଜିବୀକା ଉପରେ ପ୍ରଭାବ ପଡୁଛି । ତେବେ ପ୍ରଶାସନ ଟ୍ରକ ମାଲିକଙ୍କର ଦାବି ପ୍ରତି ଦୃଷ୍ଟି ନଦେଲେ ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣ ଦିଆଯିବ ବୋଲି ସମ୍ପାଦକ ସତ୍ୟପ୍ରିୟ ବାରିକ ପ୍ରକାଶ କରିଛନ୍ତି । ଗୋଟିଏ ପକ୍ଷରେ ବହୁ ଅଧିକ ମୂଲ୍ୟ ନିଲାମ ଡାକ ଦେଇ ଖଣି ହାତେଇଥିବା କମ୍ପାନୀ ମାନେ ବିଭିନ୍ନ ଚଞ୍ଚକତା କରି ଧରାପଡୁଥିବା ବେଳେ ବର୍ତମାନ ପରିପ୍ରେକ୍ଷୀରେ ନିଜର କ୍ଷତି ଭରଣା କରିବା ପାଇଁ ପରିବହନ ଓ ଶ୍ରମିକ କ୍ଷେତ୍ରରେ ଏହି ଚଞ୍ଚକତାକୁ ବିନିଯୋଗ କରୁଛନ୍ତି ।