ଖଣିନିଗମ ଯାହାକୁ ଦଉଛ ଦିଅ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ଖଣି ନିଗମ ସରକାରଙ୍କର ଦୁଧିଆଳୀ ଗାଇ । ପ୍ରକୃତିଗତ ମାଟିତଳ ଅଜସ୍ର କ୍ରେମାଇଟ୍, ଲୁହାପଥର ପ୍ରମୁଖ ଖଣି ସମ୍ପଦକୁ ମନଇଛା ଖୋଳି ଦେଶବିଦେଶରେ ବିକି କୋଟି କୋଟି ଟଙ୍କା ଲାଭରପାହାଡ ଛିଡାକରାଇଛନ୍ତି । ଖଣି ବିଭାଗ ଏକପ୍ରକାର ସରକାରକୁ ଚଳେଇଛନ୍ତି । ଖଣି ନିଗମର ଅମାପମାପ ଧନରୁ ନେତା, ଅଫିସର, ଠିକାଦାର ଯିଏ ଯେତେ ପାଇଲେ ବୋହିନେଉଛନ୍ତି । ବେଶି ଦୂରକୁ ଯାଉନାହିଁ – ଏଇ ଗଲାବର୍ଷ ଖଣିନିଗମ ଜାଲିଆତି ଓ ବେଆଇନ୍ ଖଣି ଖନନ ପାଇଁଁ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ ଜୋରିମାନା ଦେଇଛି । ଏବେ ହକି ଖେଳକୁ ୪୩୪ କୋଟି ଟଙ୍କା ଦେବେ । ପ୍ରତିବର୍ଷ ଲାଭାଂଶରୁ ସରକାରଙ୍କୁ ୫୦୦ କୋଟିରୁ ଉର୍ଦ୍ଧ ଟଙ୍କା ପଇଠ କରୁଛନ୍ତି ଏବଂ ବିଭିନ୍ନ ଅନୁଷ୍ଠାନକୁ ମଧ୍ୟ କୋଟି କୋଟି ଟଙ୍କା ଦାନ କରୁଛନ୍ତି । ଖଣିନିଗମ ଏକ ଅର୍ଦ୍ଧସରକାରୀ ସଂସ୍ଥା । ସେମାନେ କେନ୍ଦ୍ର ସରକାରଙ୍କ ଖଣି ଆଇନ୍, ଶ୍ରମ ଆଇନ୍ ମାନିବାକୁ ବାଧ୍ୟ । କିନ୍ତୁ ୨୩ ବର୍ଷ ହେଲା ସୁକିନ୍ଦା ଉପତ୍ୟକାର କଲରଙ୍ଗୀ କ୍ରୋମାଇଟ୍ ଖଣିକୁ ବେଆଇନ୍ ଭାବେ ଖନନ ବନ୍ଦକରିଦେଇଛନ୍ତି । ଏଇ ଭୂଲ ପାଇଁ ଖଣି ନିଗମ ୩ ବର୍ଷର ବିନା କାମରେ ମଜୁରୀ/ଦରମା ଦେଇଆସୁଥିଲେ । ହଠାତ୍ ଏକ ଚକ୍ରାନ୍ତରେ ପଡି ୨୩ ବର୍ଷ ହେଲା ଖଣି ଶ୍ରମିକଙ୍କ ପାଖାପାଖି ୫୦ କୋଟିରୁ ଉର୍ଦ୍ଧ ଟଙ୍କା ଦେଉନାହାଁନ୍ତି । ଏ ସଂପର୍କରେ ୟୁନିଅନ୍ ପକ୍ଷରୁ ଓଡିଶା ହାଇକୋର୍ଟ କେନ୍ଦ୍ର ସରକାରଙ୍କ ପାଖରେ ଫେରାଦ ହୋଇଥିଲେ । ଏମାନେ ୨୧ ବର୍ଷ ତଳେ ଶୀଘ୍ର ୬ ମାସ ଭିତରେ ଖଣି ଖୋଲି ଶ୍ରମିକମାନଙ୍କୁ କାମ ଯୋଗାଇଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ନିଗମ ଖାତିର କଲାନାହିଁ । ଆମ ୟୁନିଅନ୍ ଦାବୀ ଠିକ୍ କି ଭୂଲ ଏପର୍ଯ୍ୟନ୍ତ ଖଣି ନିଗମ, ସରକାର, ମନ୍ତ୍ରୀ, କେନ୍ଦ୍ରୀୟ ଶ୍ରମ ବିଭାଗ କହିପାରୁନାହାଁନ୍ତି । କହିଲେ କାଳେ ଜିଭ କଟିଯିବ ସେଥିପାଇଁ ସେମାନେ ଗାଲେଇ ଦେଉଛନ୍ତି । ଏବେ ଦେଶର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଖଣି ନିଗମକୁ ସ୍ମାରକପତ୍ର ଦିଆଯାଇଛି । ଗତ ୨୩ ତାରିଖରେ ନିର୍ଯାତିତ, ଶୋଷିତ, ଅବହେଳିତ କଲରଙ୍ଗୀ ଖଣିଶ୍ରମିକମାନେ ଖଣିମନ୍ତ୍ରୀ, ମୁଖ୍ୟ ଶାସନ ସଚିବ କାମାକ୍ଷାନଗର, ଭୂବନକୁ ଯାଇ ପ୍ରାପ୍ୟ ଦେଇଦେବାପାଇଁ ନେହୁରାହୋଇ ଆସିଛନ୍ତି । ଦେଖାଯାଉ, ଖଣିନିଗମର ସଦ୍ବୁଦ୍ଧି କେବେ ହେବ ? ଓଡିଶା ଖଣିନିଗମ ତମେ ଟଙ୍କା ଯାହାକୁ ଦେଉଛ ଦିଅ – ଆମର କିଛି ଆପତ୍ତି ନାହିଁ । କିନ୍ତୁ କଲରଙ୍ଗୀ ଖଣିଶ୍ରମିକଙ୍କ ହକ୍ ପ୍ରାପ୍ୟ ୫୦ କୋଟି ଟଙ୍କା ତୁରନ୍ତ ଦିଅବୋଲି ବରିଷ୍ଠ ଶ୍ରମିକନେତା ମାୟାଧର ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି ।


