ଖଣିରେ ଦୁର୍ଘଟଣା, ତଦନ୍ତ ଶୂନ
ଯୋଡା (ସମିରକୁମାରଦାସ) : ଜିଲା ଯୋଡା ଖଣି ମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ଉଁଚ୍ଚବାଲୀସ୍ଥିତ ମହାପର୍ବତ ଖଣିରେ କାର୍ଯ୍ୟ କରୁଥିବା ବେଳେ ଏକ ଏସ୍କାଭେଟର୍ ମେସିନ୍ ଟି ମାଟି ଅତଡା ଧସି ଯିବାରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ , ମଙ୍ଗଳବାର ବିଳମ୍ବିତ ରାତିରେ ଖଣି କାର୍ଯ୍ୟ କରୁଥିବା ଉକ୍ତ ମେସିନ୍ ଟି ମାଟି ଅତଡା ଧସି ଯିବାରୁ ପ୍ରାୟ ୫୦ ମିଟର ତଳକୁ ଖସି ପଡିଥିଲା । ଫଳରେ ଉକ୍ତ ମେସିନ୍ ର ଅପରେଟର ପ୍ରବୀଣ ମୁଦୁଲି ଗୁରୁତର ଆହତ ହୋଇଥିଲେ । ତେବେ ଏହି ଦୁର୍ଘଟଣାରେ କାର୍ଯ୍ୟ କରୁଥିବା ଅନ୍ୟ କେତେଜଣ ଶ୍ରମିକ ଆହତ ହୋଇଥିବା ମଧ୍ୟ ଶ୍ରମିକମାନେ ଆଲୋଚନା କରୁଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଖଣି କର୍ତୁପକ୍ଷ ଲୁଚାଇବାକୁ ଚେଷ୍ଟା କରିଥିଲେ ହେଁ , ଘଟଣାଟି ଲୋକଲୋଚନକୁ ଆସିଥିଲା । ପ୍ରକାଶ ଯୋଗ୍ୟ କି, ରାତି ସମୟରେ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସୁରକ୍ଷା ସରଂଜାମ ନଦିଆଯିବା ସହିତ , ସେମାନଙ୍କର ସୁରକ୍ଷା ପ୍ରତି ଖଣି କର୍ତୁପକ୍ଷ ଦୃଷ୍ଟି ଦେଉନଥିବା ଶ୍ରମିକ ମହଲରେ ଚର୍ଚ୍ଚା ହୋଇଛି । ଏପରିକି ଖଣିରେ ଆବଶକୀୟ ଆଲୋକ ବ୍ୟବସ୍ଥା କରାଯାଇନଥିବାରୁ ବିଭିନ୍ନ ସମୟରେ ଏହିପରି ଦୁର୍ଘଟଣାମାନ ଘଟୁଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ବାମେବାରୀ ଥାନା ଓଆଇସି ଅମିତାବ ଦାସଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ କିଛି ଜାଣି ନଥିବା କହିବା ସହିତ ଘଟଣା ସମ୍ପର୍କରେ ଖଣି କମ୍ପାନୀ ପକ୍ଷରୁ କୌଣସି ରିପୋର୍ଟ କରାଯାଇନଥିବା କହିଥିଲେ ଏବଂ କମ୍ପାନୀ ପକ୍ଷରୁ ଥାନାରେ ରିପୋର୍ଟ କରାଗଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ଏପର୍ଯ୍ୟନ୍ତ ପୋଲିସ ନିଜ ଆଡୁ କୌଣସି ତଦନ୍ତ ଆରମ୍ଭ କରିନାହିଁ ।