ଖଣିର ପରିବହନ କାର୍ଯ୍ୟରେ ଡ଼ମ୍ପରମାଲିକଙ୍କୁ ଉପେକ୍ଷା;ସମାଧାନ ନହେଲେ ବିକଳ୍ପପନ୍ଥାର ଚେତାବନୀ

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲ୍ଲା ଯୋଡା ଖଣିମଣ୍ଡଳ ତଥା ବାମେବାରୀ ଥାନା ଅନ୍ତର୍ଗତ ହେଁସାବେଡା ସ୍ଥିତ କାସଭି ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ ଖଣି କମ୍ପାନୀ ଟ୍ରକ ମାଲିକ ସଂଘର ଦାବିକୁ ବେଖାତିର କରି ନିଜର ଖଣି କାର୍ଯ୍ୟ ଜାରି ରଖିଛି । ଖଣି ଲିଜ୍ ପରିସରରେ କାର୍ଯ୍ୟହରା ଡମ୍ପର ମାଲିକ ମାନେ ଖଣିର ପରିବହନ କାର୍ଯ୍ୟରେ ଡମ୍ପର ନିୟୋଜିତ କରିବା ଦାବିରେ ଦୀର୍ଘ ୫ ଦିନ ଧରି ଧାରଣାରେ ବସିଥିଲେ ହେଁ ଖଣି କର୍ତ୍ତୃପକ୍ଷ ନଦେଖିଲା ଭଳି ଉପେକ୍ଷା କରିଚାଲିଛି । ନୂତନ ଲିଜ ପାଇଥିବା କାସଭି ଇଣ୍ଟରନେସନାଲ ପ୍ରାଇଭେଟ ଲିମିଟେଡ ନିଜର ଖଣିଜ ପରିବହନ ପାଇଁ ବାହାର ଅଞ୍ଚଳର ଭାରୀଯାନ ଆଣି ପରିବହନ କରୁଥିବା ବେଳେ ସ୍ଥାନୀୟ ସଂଘର ଡମ୍ପରକୁ ପରିବହନ କାର୍ଯ୍ୟ ଦେଉନାହିଁ । ଏନେଇ ସଂଘ ପକ୍ଷରୁ ଖଣି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବରେ ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନପାଇବାରୁ ଗତ ତା ୫.୧୦.୨୦୨୦ରିଖ ପୂର୍ବାହ୍ନରେ ଧାରଣା ଦେଇଥିଲେ । ଏସମ୍ପର୍କରେ ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନର ସଭାପତି ଚତୁର୍ଭୁଜ ପଲେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ସଂଘ ସ୍ଥାନୀୟ ଖଣି ପ୍ରଭାବିତ ଅଞ୍ଚଳର ଡମ୍ପର ମାଲିକ ମାନଙ୍କୁ ନେଇ କାର୍ଯ୍ୟ କରି ଆସୁଅଛି । ପୂର୍ବରୁ କାର୍ଯ୍ୟ କରୁଥିବା ଖଣି ଲିଜଧାରୀ ମାନେ ନିଜର ପରିବହନ କାର୍ଯ୍ୟ ପାଇଁ ସଂଘରୁ ଡମ୍ପର ନେଇ ପରିବହନ କରୁଥିଲେ । ଯାହାଫଳରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବରେ ହଜାର ହଜାର ଲୋକ ଜିବୀକା ନିର୍ବାହ କରି ପାରୁଥିଲେ । ଉକ୍ତ ଖଣିର ପୂର୍ବ ଲିଜଧାରୀ ପଟ୍ଟନାୟକ ମିନେରାଲସ ପ୍ରାଇଭେଟ ଲିମିଟେଡ ଖଣିଜ ପରିବହନରେ ସ୍ଥାନୀୟ ସଂଘର ଡମ୍ପରକୁ ପରିବହନରେ ନିୟୋଜିତ କରୁଥିଲେ । ମାତ୍ର ବର୍ତ୍ତମାନ ନୂତନ ଲିଜଧାରୀ କାସଭି ଖଣି ସଂଘକୁ ହେୟଜ୍ଞାନ କରି ବାହାର ଅଞ୍ଚଳର ଶତାଧିକ ଭାରୀଯାନ ଆଣି ପରିବହନ କାର୍ଯ୍ୟ କରୁଛି । ଯାହାଫଳରେ ଅଞ୍ଚଳର ଖଣି ପ୍ରଭାବିତ ଗାଡି ମାଲିକ ମାନେ ଜିବୀକା ହରାଇ ହତାଶ ହୋଇପଡିଛନ୍ତି । ମାଟୋଆ ସମ୍ପାଦକ ସତ୍ୟପ୍ରିୟ ବାରିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବାରମ୍ବାର ଖଣି କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି । ଡମ୍ପର ମାଲିକ ମାନେ କାର୍ଯ୍ୟ ନପାଇ ବସି ରହିଛନ୍ତି । ସେମାନଙ୍କର ପରିବାର ପ୍ରତିପୋଷଣ କରିବା ମଧ୍ୟ କଷ୍ଟସାଧ୍ୟ ହେଲାଣି । କରୋନା ମହାମାରୀ ପରିସ୍ଥିତିରେ କୌଣସି କାର୍ଯ୍ୟ ନପାଇ ଡମ୍ପରରେ କାର୍ଯ୍ୟ କରୁଥିବା ଡ୍ରାଇଭର,ହେଲପର ଓ ସେମାନଙ୍କର ପରିବାର ବର୍ତ୍ତମାନ ଆର୍ôଥକ ସଂକଟରେ ଶିକାର ହେଲେଣି । ପରିବହନ କାର୍ଯ୍ୟ ହେତୁ ଅଞ୍ଚଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷରେ ନିର୍ଭରଶୀଳ ଥିବା ପ୍ରାୟ ଶତକଡା ୮୦ ପ୍ରତିଶତ ଲୋକ ପ୍ରଭାବିତ ହେଲେଣି । କୋଭିଡ-୧୯ ଗାଇଡ ଲାଇନ ରହିଥିବା ସତ୍ତ୍ୱେ ମଧ୍ୟ ଗାଡି ମାଲିକ ମାନେ ଏହି ନିୟମକୁ ପାଳନ କରି ଧାରଣାରେ ବସିଛନ୍ତି । ହେଲେ ଖଣି କର୍ତ୍ତୃପକ୍ଷ ୫ଦିନ ବିତିଯାଇଥିଲେ ହେଁ ଦାବି ପୂରଣ ନେଇ କୌଣସି ଆଲୋଚନା କରିବାକୁ ଆସିନଥିବା ସେ କହିଛନ୍ତି । ତେଣେ କାସଭି ଖଣିର ଜନୈକ ବରିଷ୍ଠ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କାସଭି ଖଣି ନିକଟସ୍ଥ ଜୁରୁଡି ଠାରେ ଥିବା ଜୁରୁଡି ଟ୍ରକ ମାଲିକ ମାନଙ୍କ ସହ ସେମାନେ ଆଲୋଚନା କରି ହାଇୱା ଟ୍ରକ ମାଧ୍ୟମରେ ଖଣିଜ ପରିବହନ କାର୍ଯ୍ୟ କରୁଛନ୍ତି । ଏନେଇ ଯୋଡା ଠାରେ ଥିବା ମାଇନିଂ ଏରିଆ ଟ୍ରକ ଓନର ଆସୋସିଏସନ (ମାଟୋଆ)ସହ କୌଣସି ଆଲୋଚନା କରିବା ଆବଶ୍ୟକତା ନାହିଁ ବୋଲି ସେ କହିଥିଲେ । ଅନ୍ୟପକ୍ଷରେ ମାଟୋଆର କର୍ମକର୍ତ୍ତା ମାନେ ଖଣି କର୍ତ୍ତୃପକ୍ଷ ସେମାନଙ୍କ ଦାବି ନେଇ ଆଲୋଚନା ନକଲେ ବିକଳ୍ପପନ୍ଥା ଅବଲୋମ୍ବନ କରିବେ ବୋଲି ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ