ଖଣି ଫାଟକ ସମୁଖରେ କମ୍ପାନୀ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ମାରପିଟ

ଯୋଡ଼ା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡିସ୍ଥିତ ଏସେଲ କମ୍ପାନୀର ପରିବହନ ଗେଟ୍ ସମୁଖରେ ସୁରକ୍ଷାକର୍ମୀ ଓ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ମାରପିଟ୍ ହୋଇ ୫ ଜଣ ଆହତ ହୋଇଥିବା ବେଳେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ବାମେବାରୀ ଥାନା ଓଆଇସି ଅମିତାବ୍ ଦାସଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଜୁରୁଡି ପେଣ୍ଠେଇ ବସ୍ତିର ଯୁବକ ଯୋଗେଶ୍ୱର ପେଣ୍ଠେଇ ତାଙ୍କ ସାଙ୍ଗ ମାନଙ୍କ ସହିତ ଏସେଲ ଖଣି ଫାଟକ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା କମ୍ପାନୀ ସୁରକ୍ଷାକର୍ମୀ ମାନେ ବାରଣ କରିଥିଲେ । ଏହି ଘଟଣାକୁ ନେଇ ସୁରକ୍ଷାକର୍ମୀ ଓ ଯୁବକମାନଙ୍କ ମଧ୍ୟରେ ବଚସା ହୋଇ ମାରପିଟ୍ ହୋଇଥିଲା । ଯୋଗେଶ୍ୱର ପେଣ୍ଠେଇଙ୍କ ପିତା ଚୈତନ୍ୟ ପେଣ୍ଠେଇ ଜୁରୁଡି ପେଣ୍ଠେଇ ବସ୍ତିର ଏକାଧିକ ଲୋକଙ୍କୁ ନେଇ, ଖଣି ଫାଟକ ନିକଟକୁ ଯାଇ ସେଠାରେ କାର୍ଯ୍ୟରତ ଥିବା କମ୍ପାନୀ ସୁରକ୍ଷାକର୍ମୀ ଇନଚାର୍ଯ୍ୟ ଶେଷଦେବ ବେହେରାଙ୍କ ସମେତ ୫ ଜଣ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ ଏବଂ ଫାଟକ ନିକଟରେ ଥିବା ସୁରକ୍ଷାକର୍ମୀଙ୍କ ଅଫିସ ଭିତରକୁ ପଶି ଭଙ୍ଗାରୁଜା କରିଥିଲେ । ଏନେଇ ବାମେବାରୀ ଥାନାରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେଶ୍ ନଂ ୧୧୪/୨୦୨୦ ଦଫା ୩୦୭ ସମେତ ୨୪ ଟି ବିଭିନ୍ନ ଦଫା ରୁଜୁ କରି ଅଭିଯୁକ୍ତ ଚୈତନ୍ୟ ପେଣ୍ଠେଇ, ଯୋଗେଶ୍ୱର ପେଣ୍ଠେଇ, ସୁମିତ ଗୁପ୍ତା ଓ ଘାସି ପେଣ୍ଠେଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତଙ୍କ ସମେତ ଅନ୍ୟ ୨୦ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଓଆଇସି ଦାସ ସୂଚନା ଦେଇଛନ୍ତି । ତେବେ ସୂଚନାଯୋଗ୍ୟ ଯେ, ଖଣିରେ ଥିବା ୨ ଗୋଟି ଫାଟକ ଦେଇ ସାଧାରଣ ଲୋକଙ୍କର ଯିବାସିବା ହୋଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ