ଖଣି ମାଫିଆ ଙ୍କ ପରିତ୍ୟକ୍ତ ଖଣିଜ ଗଦାରୁ ପୁଣି ଚୋରି
ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ ବେହେରା ହାଟିଂ ଠାରେ ଥିବା ଏକ ପରିତ୍ୟକ୍ତ କ୍ରସରରୁ ଗଦା ହୋଇ ପଡ଼ି ରହିଥିବା ଖଣିଜ କ୍ରମାଗତ ଭାବେ ଚୋରି ହୋଇ ଚାଲିଛି। ଗୁରୁବାର ବିଳମ୍ବିତ ରାତ୍ରି ସମୟରେ ଉକ୍ତ କ୍ରସରରୁ ଚୋରା ଖଣିଜ ପରିବହନ ପାଇଁ ଟ୍ରକ୍ ନିୟୋଜିତ ହୋଇଥିବା ସୂତ୍ରରୁ ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ଅତର୍କିତ ଚଢ଼ାଉ କରିଥିଲା। ପୋଲିସକୁ ଦେଖି ସେଠାରେ ଥିବା ଖଣିଜ ଚୋର ଦୌଡ଼ି ପଳାଇଥିବା ବେଳେ ଚୋରା ଖଣିଜ ବୋଝେଇ ହୋଇଥିବା ଟ୍ରକ୍ ଟିଏସ-୩୫ଟି-୩୩୩୯ ର ଡ୍ରାଇଭର ସେଠାରୁ ଦୃତ ଗତିରେ ଟ୍ରକ୍ ନେଇ ପଳାଉଥିବା ବେଳେ ଟ୍ରକଟି ଅନିୟନ୍ତ୍ରିତ ହୋଇ ଏକ ଗାତ ଭିତରେ ପଶି ଯାଇଥିଲାଏବଂ ଡ୍ରାଇଭର ସେଠାରୁ ଚମ୍ପଟ ମାରିଥିଲା। ଟ୍ରକଟିରେ ପ୍ରାୟ ୨୨ ମେଟ୍ରିକ୍ ଟନ୍ ଲୁହା ପଥର ବୋଝେଇ ହୋଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ସୂଚନା ଯୋଗ୍ୟ ଯେ,ଗତ ୩ ମାସ ଧରି ଏହି ପରିତ୍ୟକ୍ତ କ୍ରସରରୁ ଅନବରତ ଭାବେ ଖଣି ଚୋର ମାନେ ଚୋରା କାରବାର ଚଳାଇ ଆସୁଛନ୍ତି। ଗତ ଫେବୃଆରୀ ୧୭ରେ ଗୋଟିଏ ଟ୍ରକ୍ ଜବତ ହୋଇ ଥିବା ବେଳେ ଓ ୨୮ ତାରିଖ ଦିନ ୨ଗାଡ଼ି ଜବତ ହୋଇ ଥିବା ନକଲି ଚାଲାଣ ଜବତ କରିଥିଲା ପୋଲିସ । ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଗିରଫ ହୋଇ ପାରି ନାହାଁନ୍ତି। ଯୋଡ଼ାରୁ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟକୁ ଚୋରା ଖଣିଜ ପରିବହନ ହେଉଥିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଯୋଡ଼ା ଥାନା ଆଇଆଇସି ସୁଶାନ୍ତ ପ୍ରଧାନ କହିଛନ୍ତି ଯେ, ଖଣିଜ ଚୋରା କାରବାରରେ ସମ୍ପୃକ୍ତ ଥିବା ଚୋର ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି। ଚୋରା କାରବାର ନେଇ ସୁରାକ୍ ମିଳୁ ନ ଥିବାରୁ ଏହାର ଅଧିକ ଅନୁସନ୍ଧାନ ଚଳାଇଛି। ତେଣେ ସ୍ପଷ୍ଟ ପରିଲକ୍ଷିତ ହେଉଛି ଯେ ତିନି ଥର ଏହି ପରିତ୍ୟକ୍ତ କ୍ରସରରୁ ଖଣିଜ ଚୋରା କାରବାର ସମ୍ପର୍କରେ ଯୋଡ଼ା ଖଣି ଉପ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଖଣି ଅଧିକାରୀ ଦୀପକ କୁମାର ଧୁରୁଆ ଖଣି ନିରୀକ୍ଷକଙ୍କ ସହିତ ଆସି ସରଜମିନ ତଦନ୍ତ କରିଥିଲେ। ଏନେଇ ଉକ୍ତ କ୍ରସରର ମାଲିକଙ୍କୁ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟରୁ ସୁରକ୍ଷା କର୍ମୀ ନିୟୋଜିତ କରିବା ପାଇଁ କୁହା ଯାଇଥିବା ଖଣି ଉପ ନିର୍ଦ୍ଦେଶକ ଦିନେଶ ଅଗ୍ରୱାଲ କହିଥିଲେ। ପରବର୍ତ୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନଥିବାରୁ ପରିତ୍ୟକ୍ତ କ୍ରସରରେ ଗଦା ହୋଇଥିବା ମୂଲ୍ୟବାନ ଖଣିଜ ଚୋରି ହେବାରେ ଲାଗିଛି। ଏତଦ୍ ବ୍ୟତୀତ ସମ୍ପୃକ୍ତ କ୍ରସର ମାଲିକଙ୍କୁ ତଦନ୍ତ ପରିସର ଭୁକ୍ତ କରା ଯାଉନାହିଁ ଏବଂ କ୍ରସରରେ ଖଣିଜର ଓପନିଂ ଷ୍ଟକ ଓ ବାଲାନ୍ସ ଷ୍ଟକ୍ ଖଣି ବିଭାଗ ଦ୍ଵାରା ଯାଞ୍ଚ କରାଯାଉନାହିଁ। ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।


