ଖଣ୍ଡପଡ଼ାରେ ମତଦାନ ହାର ଜିଲ୍ଲାରେ ସର୍ବାଧିକ
ଭାପୁର (ଜୁଗାବ୍ଦ ନ୍ୟୁଜ୍): ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ତୃତୀୟ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଜିଲ୍ଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ମତଦାନ ହାର ସର୍ବାଧିକ ହୋଇଥିବା ଜଣାପଡ଼ିଛି । ପୂର୍ବାହ୍ନରେ ମତଦାନ ହାର ଦିନ ଗୋଟାଏ ପର୍ଯ୍ୟନ୍ତ କମ୍ ରହିଥିଲେ ହେଁ ଅପରାହ୍ନରେ ମତଦାନ ହାରତ ବୃଦ୍ଧି ପାଇ ୬୮ ପ୍ରତିଶତ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ଖଣ୍ଡପଡ଼ା ଓ ଭାପୁର ବ୍ଲକ୍ରେ ମୋଟ୍ ୨୧୭ଟି ବୁଥ୍ରେ ଶାନ୍ତିଶୃଙ୍ଖଳାର ସହ ଭୋଟ୍ ହେବାସହ ୪ ବିଧାନସଭା ଏବଂ ୭ ଲୋକସଭା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି । ସେମାନଙ୍କ ମଧ୍ୟରେ ବିଧାନସଭା ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ, ସିଦ୍ଧାର୍ଶ ଶେଖର ସିଂ, ବସନ୍ତ ମହାରଣା, ଦୁଷ୍ମନ୍ତ ସ୍ୱାଇଁ ଏବଂ ଲୋକସଭା ପ୍ରାର୍ଥୀ ପ୍ରକାଶ ମିଶ୍ର, ଭର୍ତ୍ତୃହରି ମହତାବ, ପଞ୍ଚାନନ କାନୁନଗୋଙ୍କ ପରି ହେଭିୱେଟ ପ୍ରାର୍ଥୀଙ୍କ ଭାଗ୍ୟ ଆସନ୍ତା ୨୩ତାରିଖରେ ଜଣାପଡ଼ିବ । ତେବେ ଶଙ୍ଖ ଚିହ୍ନ ପ୍ରତି ଅଧିକ ଭୋଟ୍ ଯାଇଥିବା ପୂର୍ବାନୁମାନ କରାଯାଇଛି । ଭାପୁର ବ୍ଲକ୍ ଶାଳପଡ଼ା ପଞ୍ଚାୟତର ମର୍ଦ୍ଦାବାଡ଼ି ବୁଥ୍ରେ ସକାଳୁ ଇଭିଏମ୍ରେ ତ୍ରୁଟି ଯୋଗୁଁ ୨ଘଣ୍ଟା ବିଳମ୍ବରେ ଭୋଟଦାନ ଆରମ୍ଭ ହୋଇଥିଲା । ଭାପୁର ବ୍ଲକ୍ରେ ଶାଳପଡ଼ା, ବିଜିପୁର, ଫତେଗଡ଼, କଇଁଫୁଲିଆ, ରାକମା, ଚକ୍ରଧରପ୍ରସାଦ, ନିମାଣୀ, ବାଉଁଶବାଟୀ, ଭଗବାନପୁର ଆଦି ପଞ୍ଚାୟତରେ ସର୍ବାଧିକ ମତଦାନ ହୋଇ ୭୭ପ୍ରତିଶତ ହୋଇଥିବାବେଳେ ଅନ୍ୟ ପଞ୍ଚାୟତଗୁଡ଼ିକରେ ଏହି ହାର କମ୍ ହୋଇଥିବା ଜଣାପଡ଼ିଛି । କିନ୍ତୁ ଅପରାହ୍ନରେ ମତଦାନ ବୃଦ୍ଧି ପାଇଥିଲା । ମାଜିଷ୍ଟେଟ୍ ଦାୟିତ୍ୱରେ ଥିବା ଭାପୁର ତହସିଲଦାର ସୁନିତା ଜେନାଙ୍କ ନିର୍ବାଚନ ପରିଚାଳନାରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାସହ ବୃଦ୍ଧବୃଦ୍ଧାଙ୍କ ପାଇଁ ଅଟୋର ବ୍ୟବସ୍ଥା କରାଯାଇଥିଲା । କେତେକ ବୁଥ୍ରେ ସଂଧ୍ୟା ସାଢ଼େ ୫ ଯାଏଁ ମତଦାନ ଚାଲିଥିଲା । ମେ ୨୩ରେ ଜଣାପଡ଼ିବ ଭୋଟର କାହାମୁଣ୍ଡରେ ସୁନାକଳସ ଢ଼ାଳିଛନ୍ତି ।