ଖଣ୍ଡା ଚୋଟ ରେ ଯୁବକ ଗୁରୁତର ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ଅଧିନ ବନ୍ଥପଲ୍ଲୀ ଗାଁ ପୁଣି ଅଶାନ୍ତ ହୋଇପଡିଛି।ରବିବାର ସକାଳ ପ୍ରାୟ ସାଢେ଼ ୯ ଟାରେ ଗାଁ ନିକଟ ସାପୁଆ ନାଳ କୁ ଗାଧୋଇ ଯାଇଥିବା ପଞ୍ଚୁ ଭୁୟାଁ ଙ୍କୁ ପୂର୍ବ ଯୋଜନା ପ୍ରକାରେ ବିଲମାଳ ରେ ଗୋଡ଼ାଇ ଗୋଡ଼ାଇ କିଛି ଦୁବୃର୍ତ୍ତ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିବା ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି।ଖଣ୍ଡା ଚୋଟ ରେ ଗୁରୁତର ଆହାତ ପଞ୍ଚୁ ଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗତ ୨୦୨୦ ଅକ୍ଟୋବର ୨୪ ତାରିଖରେ ଗାଁ ର ଜଣେ ଜଣାଶୁଣା ପେସାଦାର ଅପରାଧୀ ବଚ୍ଚନ ସ୍ବାଇଁ ଙ୍କୁ ଯୋଜନାବଦ୍ଧ ଭାବେ ଦିବାଲୋକରେ ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ପଞ୍ଚୁ ଙ୍କ ସମେତ ତାଙ୍କ ସମସ୍ତ ଭାଇ ଉକ୍ତ ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ନେଇ ବଚ୍ଚନ ଙ୍କ ପରିବାର ଲୋକେ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିଲେ। ଏତଲା କୁ ଭିତ୍ତିକରି ପୋଲିସ ଘଟଣାର ପରଦିନ ୨ ଅଭିଯୁକ୍ତ କଙ୍ଗୁରୁ ଭୂୟାଁ ,କାଳିଆ ଭୂୟାଁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ବର୍ତମାନ ଉଭୟ ଅଭିଯୁକ୍ତ ବ୍ରହ୍ମପୁର ଜେଲ ରେ ବିଚାରାଧୀନ ଅନ୍ତେବାସୀ ଭାବେ ଅଟକ ରହିଛନ୍ତି। ଘଟଣାର ୪ ମାସ ପରେ ମଧ୍ୟ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିନଥିବାରୁ ମୃତ ବଚ୍ଚନ ଙ୍କ ୨ ଭାଇ ଙ୍କ ସମେତ ତାଙ୍କ ସମର୍ଥକ ମାନେ ଉତ୍ତେଜିତ ହୋଇ ହତ୍ୟାକାଣ୍ଡ ର ପ୍ରତିଶୋଧ ନେବା ପାଇଁ ପଞ୍ଚୁ ଙ୍କୁ ହତ୍ୟା ଉଦ୍ୟମ କରିଥିବା କିଛି ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି। ଗତ କିଛିଦିନ ପୂର୍ବେ ପଞ୍ଚୁ ଙ୍କୁ ହତ୍ୟା କରିବା ନିମନ୍ତେ ବିସ୍ତୃତ ବ୍ଲୁ – ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ବୋଲି ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ କହିଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ରକ୍ତ ଭିଜା ମାଟି ସମେତ ଆନୁଷଙ୍ଗିକ କିଛି ବସ୍ତୁ ଜବତ କରି ପରୀକ୍ଷା ଗାର କୁ ପଠାଇଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା ଥାନାରେ କୌଣସି ଏତଲା ପଞ୍ଜିକୃତ ହୋଇନଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ ଜଣାଇଛନ୍ତି। ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି। ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ୍ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ ଅଭିଯାନ ଚାଲୁ ରଖିଛନ୍ତି। ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ ଡି ପି ଓ କହିଛନ୍ତି। ସୂଚନା ଯୋଗ୍ୟ ଏହିକି ଯେ, ଗତ ୨୦୧୪ ରେ ଗାଁ ର ରାମ ପାଢ଼ୀ ଙ୍କୁ ହତ୍ୟା କରାଯାଇଥିଲା।ଏହି ହତ୍ୟାକାଣ୍ଡ ରେ ବଚ୍ଚନ ଙ୍କ ଜଣେ ଭାଇ ପ୍ରମୁଖ ସାକ୍ଷୀ ଥିଲେ। ସେହିପରି ବଚ୍ଚନ ଙ୍କ ନାଁ ରେ ପୂର୍ବରୁ ଦିଗପହଣ୍ଡି ଥାନା ସମେତ ବ୍ରହ୍ମପୁର ସହରର ବିଭିନ୍ନ ଥାନା ରେ ୨୦ ରୁ ଉର୍ଦ୍ଧ୍ବ ସଙ୍ଗୀନ ଅପରାଧିକ ମାମଲା ରହିଥିବା ପୋଲିସ ରେକର୍ଡ ରୁ ଜଣାପଡିଛି।


