ଖଣ୍ଡୋକଟା ୩୨ତମ ଵିରାଟ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ
କୁଚିଣ୍ଡା, (ରିଙ୍କୁ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକର ସର୍ବ ପୂରାତନ ଖଣ୍ଡୋକଟା ଧନୁଯାତ୍ରା ପାଇଁ ବୁଧବାର ଶୁଭସ୍ତମ୍ଭ ସ୍ଥାପିତ ହୋଇଯାଇଛି।ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ହେବାକୁ ଥିବା ୩୨ତମ ବିରାଟ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ କରିଥିଲେ।ସେ ତାଙ୍କ ବକ୍ତବ୍ଯରେ କହିଥିଲେ ଯେ,ଏ ଅଞ୍ଚଳର କଳା ଓ ସଂସ୍କୃତିର ବିକାଶ ନିମନ୍ତେ ଖଣ୍ଡୋକଟା ଗ୍ରାମ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ୩୨ବର୍ଷ ପୂର୍ବେ ୧୯୯୩ରେ ଏହି ଧନୁଯାତ୍ରା ଆରମ୍ଭ ହୋଇଥିଲା।ଏହି ଧନୁଯାତ୍ରା ସଂସ୍କୃତି ତଥା ଅଞ୍ଚଳର କଳାକୁ ବିକଶିତ କରିବା ଉଦ୍ଦେଶ୍ୟରେ ଅନବରତ ଭାବେ ତାର ଉଦ୍ୟମ ଜାରି ରଖିଛି।ଫେବୃଆରୀ ୮ରୁ ମାଘ ପୂର୍ଣ୍ଣିମା ୧୨(କୃଷ୍ଣ ଜନ୍ମରୁ କଂସ ବଧ) ପର୍ଯ୍ୟନ୍ତ ୫ଦିନ ଧରି ହେବାକୁ ଥିବା ଖଣ୍ଡୋକଟା ଧନୁଯାତ୍ରା ପାଇଁ ସମଗ୍ର ଅଞ୍ଚଳ ମୁଖରିତ ହେବ।ତେଣୁ ଏହି ସଂସ୍କୃତି ଭିତ୍ତିକ ମହୋତ୍ସବରେ ସମସ୍ତ ଜନସାଧାରଣ ସହଯୋଗ କରିବାକୁ ମନ୍ତ୍ରୀ ନାଏକ ଅନୁରୋଧ କରିଛନ୍ତି।ଏହି ଅବସରରେ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶୁଭ ସ୍ତମ୍ଭକୁ ପୂଜାର୍ଚ୍ଚନା କରାଯାଇ ଏକ ବିରାଟ ଶୋଭାଯାତ୍ରାରେ ଧନୁଯାତ୍ରାସ୍ଥଳ କଂସ ମଣ୍ଡପକୁ ନିଆଯାଇଥିଲା।ଏଥିରେ ଶତାଧିକ ମହିଳାପୁରୁଷ ସାମିଲ ହୋଇଥିଲେ।ଶୋଭାଯାତ୍ରାରେ ଘଣ୍ଟ ଶଙ୍ଖ,ଦୁଲଦୁଲି ବାଦ୍ୟ ସହ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିବାରୁ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ପୂଜକ ପତିତପାବନ ପାଣିଗ୍ରାହୀ ଶିବଙ୍କ ଆରାଧନା କରି ଯଥାରୀତି ପୂଜାର୍ଚ୍ଚନା ପରେ ଶୁଭସ୍ତମ୍ଭର ସ୍ଥାପନ କରାଯାଇଥିଲା।ଧନୁଯାତ୍ରା ମହୋତ୍ସବ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପଟେଲ,ଉପସଭାପତି ସନ୍ତୋଷ ପୃଷେଠ, ସମ୍ପାଦକ ଧନିରାମ ନାୟକ,ସହସମ୍ପାଦକ ବିକାଶ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ ଚନ୍ଦ୍ରମଣି ନାଏକଙ୍କ ତତ୍ତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମ ପରିଚାଳନାରେ କଂସ ଭୂମିକାରେ ଅଭିନୟ କରୁଥିବା ପ୍ରତାପ ଧୂରୁଆ(ପିଣ୍ଟୁ),ଡିଲେଶ୍ୱର ସାହୁ, କିଶୋର ଚନ୍ଦ୍ର ସାହୁ,ବୀରେନ୍ଦ୍ର ପଟେଲ,କୃଷ୍ଣଚନ୍ଦ୍ର ନାୟକ, ଶ୍ରୀବତ୍ସ ମାକର, ପ୍ରଫୁଲ୍ଲ ପଟେଲ,ସୁମନ୍ତ ନାୟକ,ସନ୍ତୋଷ ପଟେଲ,ବେଦବ୍ୟାସ ପଟେଲ,ତୁଳାରାମ ସାହୁ, ମନୋଜ ପୃଷେଠଙ୍କ ସମେତ ଗ୍ରାମର ବହୁ ମାନ୍ଯଗଣ୍ଯ ବ୍ୟକ୍ତି ସହଯୋଗ କରିଥିଲେ।