ଖତ ଖାଉଛି ଆସିକା ଏନ୍‍ଏସିର ବ୍ୟାଟେରୀ ଚାଳିତ ଯାନ!

ଆସିକା, (ୱାଇଏନ୍‍ଏସ୍‍):ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆସିକା ସହରବାସୀଙ୍କ ସୁବିଧା ଲାଗି କ୍ରୟ କରାଯାଇଥିବା ୩ଟି ଯାତ୍ରୀବାହୀ ଓ ଗୋଟିଏ ଅଳିଆ ଆବର୍ଜନା ବୋଝେଇ ଯାନ ଦୀର୍ଘ ଦିନ ହେଲା ଯାନ୍ତ୍ରିକ ତୃଟି ଯୋଗୁଁ ଅଚଳ ହୋଇପଡିରହିଥିଲେ ମଧ୍ୟ ସେ ଗୁଡିକୁ ମରାମତି କରି କାର୍ଯ୍ୟକ୍ଷମ କରିବା ଦିଗରେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସଚେତନ ନାଗରିକ ଓ ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଚାଲିଥିଲା ବେଳେ ସହରର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ସମୟରେ ଧୋବ ଧାଉଳିଆ ଖୋଳ ପକାଇ ଭାଷଣାବାଜି ମାରୁଥିବା କେତେକ ରାଜନେତାଙ୍କ ନୀରବତାକୁ ନେଇ ମଧ୍ୟ ସାଧାରଣରେ ନାନା କଥା ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଉଛି । ଆସିକା ଏନ୍‍ଏସି କାର୍ଯ୍ୟାଳୟ ପରିସରର ବାହାରେ ଓ ଭିତରେ ୩ଟି ଯାତ୍ରୀବାହୀ ବ୍ୟାଟେରୀ ଚାଳିତ ଯାନ ଓ ହାଟପଦା ନିକଟସ୍ଥ ଅଣୁଜୈବ ଖତ ପ୍ରସ୍ତୁତି କେନ୍ଦ୍ର ଭିତରେ ଆସିକା ସହରର କେତେକ ଗଳିକନ୍ଦିର ସାହିବସ୍ତିରୁ ବାହାରୁଥିବା ଅଳିଆ ଆବର୍ଜନା ବୋହିବା ପାଇଁ ଉଦ୍ଦିଷ୍ଟ ଆଉ ଗୋଟିଏ ବ୍ୟାଟେରୀ ଚାଳିତ ଯାନ ଖତ ଖାଉଥିବା ଜଣାପଡିଛି । ଦୀର୍ଘ ଦିନ ହେଲା ୪ଟି ବ୍ୟାଟେରୀ ଚାଳିତ ଯାନ ବ୍ୟବହାର ନହୋଇ ଖତ ଖାଉଥିବା ବେଳେ ଦୀର୍ଘ ଦିନ ଧରି ଉକ୍ତ ବ୍ୟାଟେରୀ ଚାଳିତ ଯାନ ଗୁଡିକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ସ୍ୱଳ୍ପ ଦରମାରେ ଚାଳକ ରୂପେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିଆସୁଥିବା କେତେକ ମହିଳା ମଧ୍ୟ କାମଧନ୍ଦା ହରାଇ ବସିଥିବା ଜଣାପଡିଛି । ଅପର ପକ୍ଷରେ ଏହି ବ୍ୟାଟେରୀ ଚାଳିତ ଯାନ ଗୁଡିକ କ୍ରୟ ସମୟରେ ନାନା ପ୍ରକାର ଅନିୟମିତତା ପନ୍ଥା ଅବଲମ୍ବନ କରାଯାଇଥିବା ମଧ୍ୟ କେତେକ ମହଲରେ ମତ ପ୍ରକାଶ ପାଉଛି । ଯାନ୍ତ୍ରିକ ତୃôଟି ଯୋଗୁଁ ଦୀର୍ଘ ଦିନ ଧରି ୪ଟି ବ୍ୟାଟେରୀ ଚାଳିତ ଯାନ ଅଚଳ ହୋଇ ପଡି ରହିଥିଲେ ମଧ୍ୟ ସେ ଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆନଯିବା ଅନ୍ତରାଳରେ କି ରହସ୍ୟ ରହିଛି ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । କେଉଁ ନୀତି ନିୟମ ଆଧାରରେ ଆସିକା ଏନ୍‍ଏସିକୁ ବ୍ୟାଟେରୀ ଚାଳିତ ଯାନ ଯୋଗାଇ ଥିବା କମ୍ପାନୀ ଗାଡି ଗୁଡିକୁ ମରାମତି କରିବା ଦିଗରେ ନୀରବତା ଅବଲମ୍ବନ କରୁଛି ତାହା ବି ସଚେତନ ନାଗରିକ ମହଲରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଦୀର୍ଘ ଦିନ ଧରି ଆସିକା ଏନ୍‍ଏ ପକ୍ଷରୁ କ୍ରୟ କରାଯାଇଥିବା ବ୍ୟାଟେରୀ ଚାଳିତ ଯାନ ଗୁଡିକର କ୍ରୟ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ଯାଞ୍ଚ କରିବା ସାଙ୍ଗକୁ ଅଚଳ ହୋଇପଡିଥିବା ବ୍ୟାଟେରୀ ଚାଳିତ ଯାନ ଗୁଡିକୁ କାର୍ଯ୍ୟକ୍ଷମ କରି ସେଗୁଡିକ ଯେପରି ଜନସାଧାରଣଙ୍କ ସେବାରେ ଆସିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ