ଖତ ଖାଉଛି ‘ମୋ ସାଇକଲ’

ଭୁବନେଶ୍ୱର (ୱାଇଏନ୍‌ଏସ୍‌): ରାଜଧାନୀରେ ବିଏମସି ‘ମୋ ସାଇକଲ୍’ ଯୋଜନା ଆରମ୍ଭ କରିଥିଲା। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସାଇକଲ ଟ୍ରାକ୍ ଓ ଷ୍ଟାଣ୍ଡ ବସିଲା। ହେଲେ ଏବେ ଏହି ସାଇକଲ ଖତ ଖାଉଛି। ରାଜଧାନୀ ଉପକଣ୍ଠ ପାତ୍ରପଡ଼ା ନିକଟରେ ଥିବା ଏକ କବାଡ଼ି ଦୋକାନରେ ବହୁ ସଂଖ୍ୟାରେ ସାଇକଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେଥିରୁ କିଛି ସାଇକଲ୍ ଗଡ଼ିବା ସ୍ଥିତିରେ ଅଛି। କିନ୍ତୁ ଏମିତି ପରିତ୍ୟକ୍ତ ଅବସ୍ଥାରେ କାହିଁକି ପଡ଼ିଛି, ତାକୁ ନେଇ ଅନେକେଙ୍କ ମନରେ ପ୍ରଶ୍ନ। ଉକ୍ତ କବାଡ଼ି ଖାନାର ମାଲିକ କହିଛନ୍ତି ଯେ ସେ ଗୋଟାକୁ ୫ଶହ ଟଙ୍କା ହିସାବରେ ୨୫୦ଟି ସାଇକଲ ହ୍ୟାକ୍ସି ନାମକ କମ୍ପାନୀଠାରୁ କିଣିଛନ୍ତି। ସେଥିରୁ ଜିପିଏସ୍ ମେସିନ୍ ଖୋଲି କମ୍ପାନୀକୁ ଫେରାଇ ଦେବା ପରେ ବାକି ସବୁ ଅଂଶ ସ୍କ୍ରାପ୍ କରି ବିକ୍ରି କରୁଛନ୍ତି। ତେବେ ଗଦା ହୋଇଥିବା ସାଇକେଲରୁ ଅଧିକାଂଶ ଗଡ଼ିବା ସ୍ଥିତିରେ ରହିଛି। ତେଣୁ ସଚଳ ସାଇକଲ ସ୍କ୍ରାପିଂ ପାଇଁ ଦିଆଯିବା ନିଷ୍ପତ୍ତିକୁ କିନ୍ତୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜଧାନୀ ବାସିନ୍ଦା। ଏ ନେଇ ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ରାସ୍ତାରେ ସ୍ୱତନ୍ତ୍ର ସାଇକଲ ଟ୍ରାକ୍ ନିର୍ମାଣ ହେଲା। ହେଲେ ସାଇକଲ କିନ୍ତୁ କବାଡ଼ି ଖାନାରେ ପଡ଼ିଛି। ରାଜଧାନୀରେ ପ୍ରଥମେ ୧ ହଜାର ସାଇକଲ ପାଇଁ ବିଏମସି ସହ ଚୁକ୍ତି ହୋଇଥିଲା। କିନ୍ତୁ ପରେ ଚାହିଦା ବଢ଼ିବାରୁ ଆଉ ଅଧିକ ୪ଶହ ସାଇକେଲ କମ୍ପାନୀ କାମରେ ଲଗାଇଥିଲେ। ତେଣୁ ସେ ଅତିରିକ୍ତ ୪ଶହ ସାଇକେଲ ଭିତରୁ ଖରାପ ହୋଇଥିବା ସାଇକେଲ ଗୁଡିକୁ ଭାଙ୍ଗି ଦରକାରୀ ଯନ୍ତ୍ରାଂଶ ଗୁଡିକୁ ଅନ୍ୟ ସାଇକେଲରେ ବ୍ୟବହାର ପାଇଁ ନିଷ୍ପତ୍ତି ହୋଇଛି। ତେଣୁ ଖରାପ ସାଇକେଲ କବାଡ଼ି ବ୍ୟବସାୟୀଙ୍କୁ ଦିଆଯାଇଛି। ଅନ୍ୟପଟେ ପୂରା ଘଟଣାର ତଦନ୍ତ ପରେ କୌଣସି ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି ବିଏମସି କମିଶନର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ