ଖଦୀ ମାସ୍କ ବିକଶିତ କରିଛି କେଭିଆଇସି
ନୂଆଦିଲ୍ଲୀ : ଖଦୀ ଏବଂ ଗ୍ରାମୋଦ୍ୟୋଗ କମିଶନ (କେଭିଆଇସି) ସଫଳତାର ସହ ଦୁଇସ୍ତର ବିଶିଷ୍ଟ ଖଦୀ ମାସ୍କ ବିକଶିତ କରିଛି ଏବଂ ବିପୁଳ ପରିମାଣରେ ଏହିଭଳି ମାସ୍କ ଯୋଗାଇ ଦେବାକୁ ବରାଦ ପାଇଛି । ଏହି ସଫଳତା ଆଧାରରେ ଜମ୍ମୁ କଶ୍ମୀର ସରକାର ୭.୫ଲକ୍ଷ ମାସ୍କ ଯୋଗାଇ ଦେବାପାଇଁ କେଭିଆଇସିକୁ ବରାଦ ଦେଇଛନ୍ତି । ଜମ୍ମୁ ଜିଲ୍ଲାକୁ ୫ଲକ୍ଷ ମାସ୍କ, ପୁଲୱାମା ଜିଲ୍ଲାକୁ ଏକ ଲକ୍ଷ ଚାଳିଶ ହଜାର, ଉଦ୍ଧମପୁର ଜିଲ୍ଲାକୁ ଏକ ଲକ୍ଷ ଏବଂ କୁପୱାଡା ଜିଲ୍ଲାକୁ ଦଶ ହଜାର ମାସ୍କ ଯୋଗାଇ ଦେବାକୁ କୁହାଯାଇଛି । ଅପ୍ରେଲ ୨୦ତାରିଖ ସୁଦ୍ଧା ସହକାରୀ ଉନ୍ନୟନ କମିଶନରଙ୍କୁ ଏହି ମାସ୍କ ଯୋଗାଇ ଦେବାପାଇଁ କୁହାଯାଇଛି । କପଡ଼ାରେ ତିଆରି ପୁନଃ ବ୍ୟବହାର ଯୋଗ୍ୟ ଏହି ମାସ୍କର ଲମ୍ବ ୭ଇଞ୍ଚ ଏବଂ ଚଉଡା ୨ଇଞ୍ଚ ସହିତ ତିନି ପ୍ଲେଟ୍ସ ଆଧାରିତ ହେବ ଏବଂ ବାନ୍ଧିବା ପାଇଁ ଚାରି କୋଣରେ ଚାରୋଟି ବାନ୍ଧୁଣୀ ରହିବ । କେଭିଆଇସିର ଅଧ୍ୟକ୍ଷ ଭି. କେ. ସାକ୍ସେନା କହିଛନ୍ତି, କେଭିଆଇସି ସ୍ୱତନ୍ତ୍ର ଭାବେ ଖଦୀ କପଡ଼ାରେ ଏହି ଦୁଇ ସ୍ତରୀୟ ମାସ୍କ ଉତ୍ପାଦନ କରୁଛି । ଦୁଇ ସ୍ତର ମଧ୍ୟରେ ୭୦ପ୍ରତିଶତ ଆର୍ଦ୍ରତା ବଜାୟ ରଖିବା ସହିତ ସହଜରେ ବାୟୁ ଚଳାଚଳ କରିପାରିବ, ଏହା ସହଜରେ ଉପଲବ୍ଧ ହେବା ସହ ଅନ୍ୟାନ୍ୟ ମାସ୍କ ଅପେକ୍ଷା ବ୍ୟୟ ସାପେକ୍ଷ ହେବ । କହିଛନ୍ତି, ‘ଏହି ମାସ୍କ ଅଧିକ ସ୍ୱତନ୍ତ୍ର କାରଣ ଏହାକୁ ହାତ ବୁଣା ଖଦୀ ବସ୍ତ୍ରରୁ ପ୍ରସ୍ତୁତ କରାଯାଉଛି । ଏହା ମଧ୍ୟ ଦେଇ ଶ୍ୱାସକ୍ରିୟା ଭଲ ଭାବେ ସଂଚାଳିତ ହେବା ସହିତ ପୁନଃ ବ୍ୟବହାର ହୋଇ ପାରିବ, ସଫା କରାଯାଇ ପାରିବ ଏବଂ ଖରାପ ହେବାପରେ ସହଜରେ ମାଟିରେ ମିଶି ଯାଇ ପାରିବ । ସମ୍ପ୍ରତି ଜମ୍ମୁ ନିକଟରେ ଥିବା ନାଗ୍ରୋଟା ଖଦୀ ସିଲେଇ କେନ୍ଦ୍ରକୁ ମାସ୍କ ତିଆରି କେନ୍ଦ୍ରରେ ପରିଣତ କରାଯାଇଛି, ଯାହା ଦିନକୁ ୧୦,୦୦୦ମାସ୍କ ଉତ୍ପାଦନ କରୁଛି । ଅନ୍ୟ ପକ୍ଷରେ ଶ୍ରୀନଗର ଓ ଏହାର ଆଖପାଖ ଅଂଚଳରେ ଥିବା ଖଦୀ ଅନୁଷ୍ଠାନ ଏବଂ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜିସ) ଗୁଡ଼ିକୁ ମାସ୍କ ତିଆରି କରିବା ପାଇଁ ଅନ୍ୟାନ୍ୟ ବରାଦ ଦିଆଯାଇଛି । ଏକ ମିଟର ଖଦୀ କପଡ଼ାରେ ଦଶଟି ଦୁଇ ସ୍ତରୀୟ ମାସ୍କ ତିଆରି କରାଯାଇ ପାରିବ । ତେବେ ୭.୫ଲକ୍ଷ ମାସ୍କ ତିଆରି କରିବା ପାଇଁ ୭୫ହଜାର ମିଟର ଖଦୀ କପଡ଼ା ବ୍ୟବହାର କରାଯିବ, ଯାହାଦ୍ୱାରା ଖଦୀ ବୁଣାକାରଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରାଯାଇ ପାରିବ । ଯଦିଓ ଜମ୍ମୁ ଓ କଶ୍ମୀର ଖଦୀ ଅନୁଷ୍ଠାନଗୁଡ଼ିକ ପଶମ ବସ୍ତ୍ର ଉତ୍ପାଦନ କରୁଛନ୍ତି ତେବେ ହରିୟାଣା ଏବଂ ୟୁପି ଖଦୀ ଅନୁଷ୍ଠାନଗୁଡ଼ିକରେ ମାସ୍କ ତିଆରି ପାଇଁ କଟନ୍ କପଡ଼ା ଉତ୍ପାଦନ କରାଯାଉଛି । ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଅନୁମତି ପରେ ଏହିସବୁ କପଡ଼ା ସେଠାକୁ ପଠାଯାଇଛି । ଅନ୍ୟ ପକ୍ଷରେ ସାରା ଦେଶରେ ସ୍ଥାନୀୟ ପ୍ରଶାସନକୁ ସହାୟତା କରିବା ପାଇଁ କେଭିଆଇସିର ଅଧ୍ୟକ୍ଷ ସମସ୍ତ ଖଦୀ ଅନୁଷ୍ଠାନଗୁଡ଼ିକୁ ନିବେଦନ କରି ନିଜ ନିଜ ଅଂଚଳରେ ବ୍ୟବହାର ଓ ବିତରଣ ପାଇଁ ମାଗଣାରେ ଅତି କମରେ ୫୦୦ମାସ୍କ ଯୋଗାଇ ଦେବାକୁ କହିଛନ୍ତି । କେଭିଆଇସିର ୨୪୦୦ସକ୍ରିୟ ଖଦୀ ଅନୁଷ୍ଠାନ ରହିଛି ଏବଂ ଏହି କାର୍ଯ୍ୟକ୍ରମ ଦ୍ୱାରା ସାରା ଦେଶକୁ ୧୨ଲକ୍ଷ ମାସ୍କ ଯୋଗାଇ ଦିଆଯାଇ ପାରିବ । ଏହି ନିବେଦନ ପରେ ଅନେକ ଖଦୀ ପ୍ରତିଷ୍ଠାନଗୁଡିକ ଜିଲ୍ଲାପାଳମାନଙ୍କୁ ମାଗଣାରେ ୫୦୦ଲେଖାଏଁ ମାସ୍କ ଯୋଗାଇ ଦେବା ଆରମ୍ଭ କରି ଦେଇଛନ୍ତି । ‘କରୋନା ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢ଼େଇର ଜଟିଳ ସମୟରେ ମୁହଁରେ ପିନ୍ଧା ଯାଉଥିବା ମାସ୍କ ହିଁ ଏକମାତ୍ର ବଳିଷ୍ଠ ଉପକରଣ ବୋଲି ସାକ୍ସେନା କହିଛନ୍ତି । ଡାକ୍ତରୀ ନିର୍ଦ୍ଦେଶନାମା ଅନୁସାରେ ଡିଟି ଫାବ୍ରିକ୍ ଦ୍ୱାରା ପ୍ରସ୍ତୁତ କପଡ଼ାରୁ ତିଆରି ମାସ୍କ ଉନ୍ନତ ଗୁଣମାନର ତଥା ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ଏକମାତ୍ର ସମାଧାନ ବୋଲି ସେ ମତ ଦେଇଛନ୍ତି ।