ଖବରକାଗଜ ପିଡିଏଫ୍ ସେୟାର୍ କରିବା ବେଆଇନ୍
ନୂଆଦିଲ୍ଲୀ: ଇ-ପେପର୍ ପାଇରେସି ବା ଚୋରିକୁ ମୁଦ୍ରଣ ପ୍ରକାଶନର ଶୀର୍ଷ ସଂଗଠନ ‘ଇଣ୍ଡିଆନ୍ ନିଉଜ୍ ପେପର ସୋସାଇଟି’ ସମାଲୋଚନା କରିଛି। ମିଥ୍ୟା ସମ୍ବାଦ ପ୍ରସାରଣ ଭଳି ସମସ୍ୟା ସହ ଏହା ସମ୍ପୃକ୍ତ ପ୍ରକାଶକଙ୍କର ଆୟରେ ମଧ୍ୟ ବାଧା ସୃଷ୍ଟି କରିବ। ସୁପ୍ରିମ୍ କୋର୍ଟର ବରିଷ୍ଠ ଓକିଲ ପବନ ଡୁଗ୍ଗଲ୍ କହିଛନ୍ତି, ଏଥିରେ କେତେଗୁଡ଼ିଏ ଆଇନଗତ ଏବଂ ନୀତି ସମସ୍ୟା ରହିଛି। ଯଦି ସତ୍ବାଧିକାରୀଙ୍କ ଅନୁମତି ବିନା କୌଣସି ଡିଜିଟାଲ୍ ସଂସ୍କରଣ ପ୍ରସାରଣ କରାଯାଉଛି, ତେବେ ତାହା ସତ୍ବାଧିକାର ଆଇନ ଉଲ୍ଲଂଘନ। ଏ କଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୪୩ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।
ଇ-ପେପର୍ କିଂବା ଖବରକାଗଜ ପିଡିଏଫ୍ ଡାଉନ୍ଲୋଡ୍ କରି ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସେୟାର୍ କରିବା ଅନୈତିକ ଏବଂ ବେଆଇନ୍। ଏଥିରେ ପ୍ରକାଶିତ ବିଷୟବସ୍ତୁ ସବୁ ସତ୍ବାଧିକାରୀ ବା କପିରାଇଟ୍ ଓନର୍ମାନଙ୍କର ହୋଇଥିବାରୁ ଏହାକୁ କପି କରି ସେୟାର୍ କରିବା ଅର୍ଥ କପିରାଇଟ୍ ଆକ୍ଟ୍ ଉଲ୍ଲଂଘନ ବୋଲି ଓକିଲମାନେ କହିଛନ୍ତି। ଶିଳ୍ପ ବିଶେଷଜ୍ଞମାନଙ୍କ ମତରେ ଏହି ପିଡିଏଫ୍ ଫର୍ମାଟ୍ରେ ମିଥ୍ୟା ଖବର ଥାଇପାରେ କିମ୍ବା କୌଣସି ଖବରକୁ କମ୍ପ୍ୟୁଟର୍ ମାଧ୍ୟମରେ ବଦଳା ଯାଇଥାଇ ପାରେ। ଫଳରେ ବିଭିନ୍ନ ଆଇନଗତ ସମସ୍ୟା ଉପୁଜିପାରେ। ବରିଷ୍ଠ ଓକିଲ ଚନ୍ଦର ଲାଲ୍ କହନ୍ତି, ଏହା ହେଉଛି ସତ୍ବାଧିକାର ଆଇନ୍ର ସ୍ପଷ୍ଟ ଉଲ୍ଲଂଘନ। ମୋ ମତରେ, ଏହାକୁ ହ୍ବାଟ୍ସ୍ଆପ୍ରେ ମାସ ଫର୍ୱାର୍ଡ କରିବା, ବା ଆପଣଙ୍କ ୱେବ୍ସାଇଟ୍ରେ କ୍ଲିକ୍ ପାଇବାକୁ ତୃତୀୟ ପକ୍ଷର କଣ୍ଟେଣ୍ଟ୍ ଅପ୍ଲୋଡ୍ କରିବା ବ୍ୟକ୍ତିଗତ ବା ଘରୋଇ ବ୍ୟାପାର ନୁହେଁ।


