ଖବରକାଗଜ ବିତରକଙ୍କୁ ପରିଚୟପତ୍ର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା) :-ଖବରକାଗଜ ବିତରକମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା, ପରିଚୟପତ୍ର ସମେତ ଅନ୍ୟାନ୍ୟ ସୁବିଧା ପ୍ରଦାନ ଲାଗି ଓଡିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାକୁ ଗତ ୨୩/୧୨/୨୦୨୧ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ଅନୁମୋଦିତ ୪୭୧ଜଣ ଖବରକାଗଜ ବିତରକଙ୍କ ପରିଚୟପତ୍ର ପ୍ରସ୍ତୁତ କରାଯାଇଥିବା ବେଳେ ଆଜି ସେମାନଙ୍କୁ ପରିଚୟପତ୍ର ବଂଟନ ଆରମ୍ଭ ହୋଇଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଏହାର ଶୁଭାରମ୍ଭ କରିବା ସହିତ ଉପସ୍ଥିତ ଖବରକାଗଜ ବିତରକମାନଙ୍କୁ ପରିଚୟପତ୍ର ବଂଟନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଦୀପକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ୨୦ରୁ ଉର୍ଦ୍ଧ୍ୱ ଖବରକାଗଜ ବିତରକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଡ ପାଇବା ପରେ ବିତରକମାନେ ଖୁସି ବ୍ୟକ୍ତ କରିବା ସହିତ ଓଡିଶା ସରକାରଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି । ପଞ୍ଜୀକୃତ ହୋଇଥିବା ଅନ୍ୟ ବିତରକମାନେ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରୁ ପରିଚୟପତ୍ର ସଂଗ୍ରହ ପାଇଁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାହୁ ନିବେଦନ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ଅଧିକାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ ।


