ଖବରକାଗଜ ହକରମାନଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲୋକସଭାଭବନ ସମ୍ମିଳନୀ କକ୍ଷରେ ଓଡିଶାର ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । କୋଭିଡ ସମୟରେ ଖବରକାଗଜ ହକରମାନେ ନିଜ ଜୀବନକୁ ବିପନ୍ନ କରି ଘରକୁ ଘର ବୁଲି ଖବରକାଗଜ ବୀତରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିବା ସହ ସେମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାର ପ୍ରତିଶୃତି ବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ ହକରଙ୍କ ବ୍ୟାଙ୍କ ଆକାଉଂଣ୍ଟକୁ ୬ହଜାର ଟଙ୍କା ଅର୍ଥରାଶି ସିଧାସଳଖ ଭାବେ ପ୍ରଦାନ କରାଯିବ ବୋଲି ସେ କହିଥିଲେ । ସମଗ୍ର ରାଜ୍ୟରେ ପଞ୍ଜିକୃତ ୭୨୪୯ ଜଣ ଖବରକାଗଜ ହକର ଭାଇଭଉଣୀମାନଙ୍କ ଆକାଉଁଟକୁ ୪କୋଟି ୩୫ଲକ୍ଷ ୫୪ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଉଛି ବୋଲି ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ହକର ଭାଇଭଉଣୀମାନଙ୍କୁ ଦୂର୍ଘଟଣା ଜନିତ ମୃତ୍ୟୁ ପାଇଁ ୨ଲକ୍ଷ, ସ୍ୱାଭାବିକ ମୃତ୍ୟୁ ପାଇଁ ଏକଲକ୍ଷ, ଦୂର୍ଘଟଣାରେ ଆଂଶିକ ଅକ୍ରର୍ମଣ୍ୟ ପାଇଁ୧.୫ଲକ୍ଷ, ଦୂର୍ଘଟଣାରେ ୨ଟି ଅଙ୍ଗ ହରାଇଲେ ୮୦ ହଜାର, ଗୋଟିଏ ଅଙ୍ଗ ହରାଇଲେ ୪୦ହଜାର ଅର୍ଥରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ । ଚଳିତ ବର୍ଷ ନଭେମ୍ବର ୩୦ତାରିଖରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଅଭିନବ ପ୍ରୟାସକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଜଳସେଚନ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କେନ୍ଦ୍ରାପଡାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଉପଲକ୍ଷେ ଆୟୋଜିତ ଭିଡିଓକନଫରେନ୍ସିଂ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପିତାମ୍ବର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ହେମନ୍ତ କୁମାର ନାୟକ ଓ କେନ୍ଦ୍ରାପଡା ଜିଲ୍ଲାର ପଞ୍ଜିକୃତ ୨୯୭ଜଣ ହକରଙ୍କ ମଧ୍ୟରୁ ୨୦ଜଣ ହକର ଭାଇଭଉଣୀ ଉପସ୍ଥିତ ଥିଲେ ।