ଖବର ପ୍ରକାଶିତ ପରେ ଉପେକ୍ଷିତ ଆଦିତ୍ୟଙ୍କୁ ଭତ୍ତା ମଞ୍ଜୁର

ସମ୍ବଲପୁର, (ଲିପନ୍ ନାଏକ):ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ପଞ୍ଚାୟତ ଅନ୍ତର୍ଗତ ଜାମୁମାଲ ଗ୍ରାମର ଅକ୍ଷୟ ପଟେଲଙ୍କ ପୁଅ ଆଦିତ୍ୟଙ୍କୁ ଶେଷରେ ସରକାରଙ୍କ ନୂତନ ଭତ୍ତା ଯୋଜନାରେ ୩୫୦୦ ଟଙ୍କା ପ୍ରଦାନ ପାଇଁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଆଦିତ୍ୟଙ୍କ ଶାରୀରିକ ଅକ୍ଷମତା ନେଇ ସେ ଆଧାର କାର୍ଡ ଓ ଆଇ ସ୍କାନିଙ୍ଗ କରିପାରୁନଥିବା ଯୋଗୁଁ ସରକାରଙ୍କ ଏହି ଭିନ୍ନକ୍ଷମ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହିଥିଲେ । ଏହି ଯୋଜନାର ସୁଫଳ ପାଇବା ପାଇଁ ଆଦିତ୍ୟଙ୍କୁ ନେଇ ତାଙ୍କ ବାପା ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ପ୍ରଶାସନ ଠାରୁ ହତାଶ ହେବା ପରେ ଶେଷରେ ହୋଇ ଆଦିତ୍ୟଙ୍କ ବାପା ଅକ୍ଷୟ ଦୁଇ ଜଣ ଯୁବ ସାମ୍ବାଦିକଙ୍କୁ ନିଜର ଗୁହାରି ଜଣାଇଥିଲେ । ଆଦିତ୍ୟଙ୍କ ଶାରୀରିକ ଅକ୍ଷମତା ଓ ଅକ୍ଷୟଙ୍କ ପାରିବାରିକ ସମସ୍ଯା ଶୁଣିବା ପରେ ଭିନ୍ନକ୍ଷମ ଆଦିତ୍ୟଙ୍କୁ ନ୍ୟାୟ ଦେବା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା । ଦୁର୍ଗମ ଗ୍ରାମାଞ୍ଚଳର ଜଣେ ଶାରୀରିକ ବିକଳାଙ୍ଗର ବାସ୍ତବ ଚିତ୍ର ପଢିବା ପରେ ଶେଷରେ ପ୍ରଶାସନିକ ଅଧିକାରୀଙ୍କ ଚେତା ପଶିଥିଲା, ଓ ତୁରନ୍ତ ଉପେକ୍ଷିତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯିବା ପାଇଁ ଭତ୍ତା ମଞ୍ଜୁର କରି କୁଚିଣ୍ଡା ଉପଜିଲ୍ଲାପାଳ ଚିଠି ନମ୍ବର ୧୬୬୨ ରେ ଏହି ଆଦେଶ ଜାରି କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଆଦିତ୍ୟଙ୍କ ଭତ୍ତା ପାଇଁ ତାଙ୍କ ବାପା ଜମନକିରା ବ୍ଲକ ଭତ୍ତା ସେକ୍ସନରେ କାଗଜପତ୍ର ଦାଖଲ କରିଥିଲେ, ହେଲେ ଭତ୍ତା ସେକ୍ସନ ବିଏସଏସଓ ଏହାକୁ ଆଦୌ ଗୁରୁତ୍ବ ଦେଇନଥିଲେ ବୋଲି ଆଦିତ୍ୟଙ୍କ ବାପା ଅକ୍ଷୟ କ୍ଷୋଭର ସହ ପ୍ରକାଶ କରିଛନ୍ତି। କେବଳ ଆଦିତ୍ୟ ଏକା ନୁହଁନ୍ତି, ଆଦିତ୍ୟଙ୍କ ଭଳି ଅନେକ ଶାରୀରିକ ବିକଳାଙ୍ଗ ହିତାଧିକାରୀ ଅଛନ୍ତି ଯେଉଁମାନେ ଭତ୍ତା ପାଇବା ଯୋଗ୍ୟ, ହେଲେ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହିଛନ୍ତି । ଆଦିତ୍ୟ ଭତ୍ତା ପାଇବାକୁ ସରକାରୀ କାଗଜାତରେ ଯୋଗ୍ୟ ଘୋଷିତ ହେବାପରେ ପ୍ରଶାସନ ନୁହେଁ, ପ୍ରଥମେ ଏଥିପାଇଁ ନ୍ୟାୟ ପ୍ରଦାନ କରାଇଥିବା ଦୁଇ ଯୁବ ସାମ୍ବାଦିକଙ୍କୁ ଆଦିତ୍ଯଙ୍କ ବାପା ସାଧୁବାଦ ଜଣାଇବା ସହ କୃତଜ୍ଞତା ଜଣାଇଛନ୍ତି । ଏବେ ଦେଖିବାକୁ ରହିଲା କୁଚିଣ୍ଡା ଉପ ଜିଲ୍ଲାପାଳ ଦେଇଥିବା ଆଦେଶ କେବେ କାର୍ଯ୍ୟକାରୀ ହେଉଛି ଓ ଦୀର୍ଘ ଦିନର ଉପେକ୍ଷିତ ଆଦିତ୍ଯ କେବେ ପାଇବେ ସରକାରଙ୍କ ନୁତନ ଭତ୍ତା ଯୋଜନାର ସୁଫଳ । ଏ ସମ୍ପର୍କରେ କୁଚିଣ୍ଡା ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିବାରେ ‘ହିତାଧିକାରୀ ଗତ ୫ ତାରିଖରେ ମୋ ପାଖକୁ ଆସି ତାଙ୍କ କାଗଜ ପତ୍ର ପ୍ରଦାନ କରିଥିଲେ । ହିତାଧିକାରୀ ଯଥାଶୀଘ୍ର ଭତ୍ତା ପାଇବା ପାଇଁ ଆମେ ସମସ୍ତ ବ୍ଯବସ୍ଥା କରିଦେଇଛୁ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ