ଖବର ପ୍ରକାଶ ପାଇବାପରେ ମିଳିଲା ହରିଶ୍ଚନ୍ଦ୍ର ସହାୟତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଷଡଙ୍ଗ ପଞ୍ଚାୟତରେ ୮ମାସ ହେଲା ହରିଶ୍ଚନ୍ଦ୍ର ସହାୟତା ମିଳିନଥିବା ନେଇ ଖବର ପ୍ରକାଶ ପାଇବାପରେ ଆଜି ପଞ୍ଚାୟତ ପକ୍ଷରୁ ସେହିସବୁ ହିତାଧିକାରୀ ମାନଙ୍କୁ ହରିଶ୍ଚନ୍ଦ୍ର ସହାୟତା ପ୍ରଦାନ କରାଯାଇଛି । ଷଡଙ୍ଗ ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ତିନିଜଣ ହିତାଧିକାରୀ ହରିଶ୍ଚନ୍ଦ୍ର ସହାୟତା ପାଇବାପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କୁ ସହାୟତା ଦିଆଯାଉନଥିଲା । ଗ୍ରାମର ଗଙ୍ଗାଧର ସାହୁ ଗତ ଏପ୍ରିଲ ୧୪ତାରିଖରେ ମୃତୁ୍ୟବରଣ କରିଥିବାବେଳେ ତାଙ୍କ ପରିବାରକୁ ହରିଶ୍ଚନ୍ଦ୍ର ସହାୟତା ଦିଆଯାଇନଥିଲା । ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ଧାରକରଜ କରି ସଂସ୍କାର କାର୍ଯ୍ୟ କରିଥିଲେବି ଆଜି ଦେବୁ କାଲି ଦେବୁୁ ବୋଲି ପଞ୍ଚାୟତ କର୍ତ୍ତୁପକ୍ଷ ଠକୁଛନ୍ତିି ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ସେହିପରି ଗ୍ରାମର ଶୁକ ନାୟକ ଓ ଅଖଜି ସାହୁ ଗତ ଜୁନ ମାସରେ ମୃତୁ୍ୟବରଣ କରିଥିବାବେଳେ ତାଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ ହରିଶ୍ଚନ୍ଦ୍ର ସହାୟତା ମିଳିିନଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ପଞ୍ଚାୟତ କର୍ତ୍ତୁପକ୍ଷ ତତ୍ପରତା ଦେଖାଇ ଆଜି ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ପିଇଓ ମହେଶ୍ୱର ସାହୁ, ଜିଆରଏସ ଗଣେଶ୍ୱର ସାହୁ ପ୍ରମୁଖ ମଙ୍ଗରାଜପୁରରେ ୫ଜଣ, ଷଡଙ୍ଗରେ ୨ଜଣ, ସରମଙ୍ଗାରେ ୫ଜଣ, ନସିରିପୁରରେ ୫ଜଣ, ମତାବାଜରେ ୨ଜଣ, ଅଢ଼େଇଦ୍ୱାରରେ ୨ଜଣଙ୍କୁ ସହାୟତା ପ୍ରଦାନ କରିଛନ୍ତି ।


