ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
ଭଞ୍ଜନଗର,( ଯୁଗାବ୍ଦ ନ୍ୟୁଜ୍): ମଙ୍ଗଳବାର ଦିନ ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟର ଅନ୍ତର୍ଗତ ଖମାରେଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀ ବିଜୟକୁମାର ବିଷୋୟୀ ସଭାପତିତ୍ବ କରିଥିବା ବେଳେ ,ସି.ଆର୍.ସି.ସି ଶ୍ରୀ ତ୍ରିନାଥ ବେହେରା ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ପାଠ ସହିତ ସହ- ପାଠ୍ୟ ଦକ୍ଷତା ଓ ବ୍ୟକ୍ତିଗତ ଗୁଣାବଳୀ ର ବିକାଶ ସାଧନ ନିମିତ୍ତ ବାର୍ଷିକ ଉତ୍ସବର ଆବଶ୍ୟକତା ରହିଛି ଏଣୁ ପ୍ରତିଟି ବିଦ୍ୟାଳୟ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ସାଧନ ପାଇଁ ଏହି ଉତ୍ସବ ଆୟୋଜନ କରିବା ଉଚିତ ବୋଲି ସି.ଆର୍.ସି.ସି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ କୁ ସଜାଡି ପିଲାଙ୍କ ଶିକ୍ଷଣରେ ବ୍ରତୀ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରସନ୍ନ କୁମାର ପ୍ରଧାନ,ସହକାରୀ ଶିକ୍ଷକଗଣ ଯଥା ନୀଳାଞ୍ଚଳ ପାଣିଗ୍ରାହୀ,ଗଣେଶ ନାୟକ,ମଦନ ନାୟକ,କାଳୀ ଚରଣ ନାୟକ,ବିଜୟ ବିଷୋୟୀ ,ଗୌରହରୀ ପଣ୍ଡା ପ୍ରମୁଖଙ୍କୁ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଓ ସି.ଆର୍.ସି.ସି ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ୧୦୫ ଜଣ କୃତୀ ଶିକ୍ଷାର୍ଥୀଙ୍କୁ ମଧ୍ୟ ବିଭିନ୍ନ ପ୍ରତିଯୋଗୀତାରେ ସଫଳତା ପାଇଁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ସି.ଆର୍.ସି.ସି ଶ୍ରୀ ବେହେରାଙ୍କୁ ବିଦ୍ୟାଳୟ ତରଫରୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବହୁ ଛାତ୍ର ଛାତ୍ରୀ ନିଜର ଦକ୍ଷତା କୁ ଚିତ୍ତାକର୍ଷକ ରୂପେ ପରିବେଷଣ କରିଥିଲେ ନୃତ୍ୟ,ଗୀତ ଓ ଅଭିନୟରେ ଯାହା ସମବେତ ଜନତାଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା ାଶେଷରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବା ସହ କାର୍ଯ୍ୟକ୍ରମର ସମାପ୍ତି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଖମାରେଡୀ ତଥା ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜିବୀ, ଅଭିଭାବକ,ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ,ସଦସ୍ୟାଗଣ ଉପସ୍ଥିତ ରହି ସହଯୋଗ କରିଥିଲେ।


