ଖରସ୍ରୋତାରେ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକାରୀ – ପୋଲିସ ମୁହାଁମୁହିଁ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ରାଜକନିକାର ଭାରିଗଦାସ୍ଥିତ ଖରସ୍ରୋତା ନଦୀରୁ ଭଦ୍ରକ ଜିଲ୍ଲାକୁ ପାଣି ନେବାକୁ ନେଇ କୁହୁଳୁ ଥିବା ଜନ ଅସନ୍ତୋଷ ଗୁରୁବାର ତ୍ରୀବ୍ରରୂପ ଧାରଣ କରିଛି । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ୩ଦିନ ଧରି ଲାଗି ରହିଥିବା ଜନ ଅସନ୍ତାଷ ଉଗରୂପ ଧାରଣ କରିଛି । ଜିଲ୍ଲା ପ୍ରଶାସନ ଯେଉଁ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା ସେହି ଅଞ୍ଚଳକୁ ଧସେଇ ପସିଥିଲେ ଆନ୍ଦୋଳନକାରୀ । ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ୧୪୪ ଧାରାକୁ ଅବମାନନା କରି ଆନ୍ଦୋଳନକାରୀମାନେ ପ୍ରକଳ୍ପ ନିର୍ମାଣ ପାଇଁ ଆସିଥିବା କମ୍ପାନୀର କେତେକ ମେସିନ, ଗାଡି ଓ ଆସବାବପତ୍ରକୁ ଭଙ୍ଗାରୂଜି ଦେଇଥିଲେ । ଏଥିସହ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେଉରାଙ୍କୁ ମଧ୍ୟ ଆନ୍ଦୋଳନକାରୀମାନେ ମାଡ଼ମାରି ଆହତ କରିଦେଇଥିଲେ । ଘଟଣା ସ୍ଥଳରେ ମୃତୟନ ହୋଇଥିବା ପୋଲିସ ଅଧିକାରୀ ଓ ୧୧ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲେ ମଧ୍ୟ ନୀରବଦ୍ରଷ୍ଟା ସାଜିଥିବାର ଦେଖାଯାଇଥିଲା । ପୋଲିସ ଆନ୍ଦୋଳନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଆନ୍ଦୋଳନକାରୀ ସଂପୃକ୍ତ ନିର୍ମାଣ କମ୍ପାନୀ ଉପରେ ରାଗ ସୁଝାଇଥିଲେ । ଘଟଣାସ୍ଥଳ ଠାରୁ ପ୍ରାୟ ଏକଶହ ମିଟର ଦୂରରେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଏସ୍‌ପି ସନ୍ଦୀପ ସମ୍ପଦ ମଡ଼କର ଥିଲେ ସୁଧା ସେମାନେ କେବଳ ନୀରବ ହୋଇ ବସିରହିଥିଲେ । ଆନ୍ଦୋଳନକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାହସ କରି ନଥିଲେ । ଆନ୍ଦୋଳନକାରୀଙ୍କ ନେତୃତ୍ୱ ନେଇଥିଲେ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଖରସ୍ରୋତା ବଞ୍ଚାଓ କମିଟିର ସଭାପତି ଦୁୁର୍ଯ୍ୟୋଧନ ମହାନ୍ତି, ସମ୍ପାଦକ ବିଧାନ ଦାସ ଓ ଶରତ ରାଉତ ପ୍ରମୁଖ । ରାଜକନିକାର ଦୁଇଟି ପଞ୍ଚାୟତ ଭାରିଗଦା ଓ ବରୁଣାଡିଆ, ଆଳି ବ୍ଲକର ବାଳକାଟିରେ ୧୪୪ ଜାରି କରାଯାଇଥିଲେ ମଧ୍ୟ ତାହାକୁ ଆନ୍ଦୋଳନକାରୀ ଖାତିର କରି ନ ଥିଲେ । ଦେବେନ୍ଦ୍ର ଶର୍ମା ଓ ଅନ୍ୟାନ୍ୟ ନେତୃୃବୃନ୍ଦଙ୍କ ସହ ଆନ୍ଦୋଳନକାରୀମାନେ ଘଟଣା ସ୍ଥଳକୁ ଆସି ୧୪୪ ଧାରାକୁ ଉଲଙ୍ଘନ କରିଥିଲେ । ଆନ୍ଦୋଳନକାରୀ କମ୍ପାନୀର ଗାଡିମୋଟରକୁ ଭଙ୍ଗାରୁଜା କରୁଥିବା ସମ୍ପର୍କରେ ଖବର ପ୍ରଶାସନ ଓ ପୋଲିସର ଼ ବରିଷ୍ଠ ଅଧିକାରୀମାନେ ପାଇଥିଲେ ସୁଦ୍ଧା ଜୀବନ ବିକଳରେ କେହି ଘଟଣା ସ୍ଥଳକୁ ଯାଇ ନଥିଲେ । ଆଜି ପୂର୍ବାହ୍ଣ ପ୍ରାୟ ୧୦ଟାରୁ ୩ ହଜାରରୁ ଅଧିକ ଆନ୍ଦୋଳନକାରୀମାନେ ପ୍ରକଳ୍ପ ସ୍ଥଳକୁ ଯିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ବାରିକେଡ ଦେଇ ଅବରୋଧ କରି ରଖିଥିଲା । ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କୁ ପୋଲିସ କଟକ-ଚାନ୍ଦବାଲି ରାସ୍ତାର ବରୁଣାଡିହା ରାସ୍ତାରେ ଅଟକ ରଖିଥିଲା । କିନ୍ତୁ ଆନ୍ଦୋଳନକାରୀ ଆବାଳ ବୃଦ୍ଧ ବନିତା ଚର୍ତୁପାଶ୍ୱର୍ରୁ ପ୍ରକଳ୍ପ ସ୍ଥଳକୁ ଯିବା ପାଇଁ ତଥା ନିଜର ମା ଖରସ୍ରୋତା ନଦୀକୁ ବଞ୍ଚାଇବା ପାଇଁ ପ୍ରକଳ୍ପ ସ୍ଥଳକୁ ଧସେଇ ପଶିଥିଲେ । ତେଣୁ ପୋଲିସ ସେମାନଙ୍କୁ ଅଟକାଇବାରେ ସକ୍ଷମ ହୋଇ ନଥିଲା । ଆନ୍ଦୋଳନକାରୀ କମ୍ପାନୀର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ କରିଥିଲେ । ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୧୦ରୁ ଅଧିକ ଥାନାର ଅଧିକାରୀ, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ଏସ୍‌ଡିପିଓଙ୍କ ସମେତ ୧୩ ପ୍ଲାଟୁନ୍ ପୋଲିସ ଫୋର୍ସ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ନଦୀ ପାଶ୍ୱର୍ରୁ କାଳେ ଆନ୍ଦୋଳନକାରୀ ପ୍ରକଳ୍ପ ସ୍ଥଳକୁ ପ୍ରବେଶ କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବେ ସେ ଆଶଙ୍କାରେ ଓଡ୍ରାଫ ଟିମ୍ ମଧ୍ୟ ମୁତୟନ ହୋଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ମେଗା ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ ଖରସ୍ରୋତା ନଦୀରୁ ଜଳ ଭଦ୍ରକକୁ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ସହ ୮୫୨ କୋଟି ଟଙ୍କାର ଚୁକ୍ତି କରିଛି । ଅପରପକ୍ଷରେ ଅଞ୍ଚଳର ଲୋକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଏହି ପାଣି ନେଇ ଆଦାନୀକୁ ବିକିବେ । ଭଦ୍ରକ ଜିଲ୍ଲାବାସୀଙ୍କୁ ପାନୀୟ ଜଳ ଯୋଗାଇଦେବାକୁ କହି ଭୁଆଁ ବୁଲାଉଛନ୍ତି । ଯଦି ଏଠାରୁ ପାଣି ନିଆଯାଏ ତେବେ ଖରସ୍ରୋତା ନଦୀର କିଛି ଦୂରରେ ଏକ ବ୍ୟାରେଜ ନିର୍ମାଣ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ । ଯେପର୍ଯ୍ୟନ୍ତ ବ୍ୟାରେଜ ନିର୍ମାଣ ହୋଇ ନାହିଁ ସେ ପର୍ଯ୍ୟନ୍ତ ପାଣି ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି । ଆନ୍ଦୋଳନକାରୀ ନାରା ଦେଇଥିଲେ ଖରସ୍ରୋତାରେ ଯେତିକି ଜଳ ପ୍ରବାହିତ ହେଉଛି ତାହା ଆମ ପାଇଁ ପର୍ଯ୍ୟାପ୍ତ ନୁହେଁ । ଏହି ନଦୀ ଯୋଗୁଁ ଆମ ଜିଲ୍ଲାର ଚାଷ କାର୍ଯ୍ୟ ସମ୍ଭବ ହେଉଛି । ତଥାପି ଚାଷ କାର୍ଯ୍ୟ ପାଇଁ ଜଳ ପର୍ଯ୍ୟାପ୍ତ ହେଉନାହିଁ । ତେଣୁ ଆମ ଜିଲ୍ଲାରେ ଚାଷୀମାନେ ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ କ’ଣ ପାଇଁ ଆମେ ଭଦ୍ରକ ଜିଲ୍ଲାକୁ ଜଳ ଦେବୁ ବୋଲି ପ୍ରଶ୍ନ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ, ଖରସ୍ରୋତାରୁ ଜଳ ଘରୋଇ କମ୍ପାନୀ ନେଇ ଗଲେ ନଦୀ ଶୁଖିଯିବ । ଏଥି ନିମନ୍ତେ କେହି ଦାୟୀ ରହିବେ ନାହିଁ । ପ୍ରକଳ୍ପ ସ୍ଥଳରେ ଗତ ୨ ଦିନ ତଳୁ ୧୪୪ ଧାରା ଜାରି କରାଯାଇଥିଲା । ଏହି ଧାରା ଆସନ୍ତା ୨ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ପ୍ରଶାସନର ଏହି ଘୋଷଣାକୁ ଆନ୍ଦୋଳନକାରୀ ଖାତିର କରି ନ ଥିଲେ । ତେଣୁ ସେମାନେ ପ୍ରକଳ୍ପ ସ୍ଥଳକୁ ଧଶେଇ ପଶିଥିଲେ । ଏହି ସମୟରେ ଆନ୍ଦୋଳନକାରୀଙ୍କ ସହ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଉଭୟ ଆନ୍ଦୋଳନକାରୀ ଓ ପୋଲିସ ଆହତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ