ଖରସ୍ରୋତା ମେଘା ପାନୀୟ ଜଳ ପ୍ରକଳ୍ପ, କେନ୍ଦ୍ରାପଡାର ପ୍ରାକୃତିକ ଭିତିଭୂମି ବିଧ୍ୱଂସ ପାଇଁ ଷଡଯନ୍ତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ୧୮୬୬ ମସିହାରେ ଓଡିଶାର ନଅଙ୍କ ଦୁର୍ଭିକ୍ଷ ସମଗ୍ର ଦେଶରେ ଏକ ଆଲୋଡନ ସୃଷ୍ଟି କରିଥିଲା । ଜନ ଜୀବନରେ ଜଳ କଷ୍ଟ କିଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରେ, ପାଣି ବିନା ମଣିଷ ଜୀବନ କେତେ ଦୁର୍ବିସହ ହୋଇପଡେ ତାହା ସେ ସମୟରେ ଜଣାପଡିଥିଲା । ତାହାର ପୁନରାବୃତ୍ତି ଏବେ କେନ୍ଦ୍ରାପଡା ଜିଲ୍ଲାରୁ ଆରମ୍ଭ ହୋଇ ସମଗ୍ର ଉପକୂଳ ଓଡିଶାରେ ହେବାକୁ ଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲାର ୪ଟି ବ୍ଲକ ପାଇଁ ଦୈନିକ ୧୪୨ ବିଲିୟନ ଲିଟର ପଣି ଉତ୍ତୋଳନ କରାଯିବ । ଯାହାର ପରିଣାମରେ ଖରସ୍ରୋତା ନଦୀ ଅବବାହିକାର ଜନଜୀବନ, କୃଷି ଓ ଉପକୂଳ ପରିବେଶର ସନ୍ତୁଳନ ରକ୍ଷାକରୁଥିବା ଭିତରକନିକାର ଜାତୀୟ ଉଦ୍ୟାନ ଉପରେ ଯଥେଷ୍ଟ ପ୍ରଭାବ ପକେଇବ । ଏହା ସେ ଅଂଚଳର ପରିବେଶକୁ ଏକ ବିଧ୍ୱଂସ ଆଡକୁ ଠେଲିଦେବ । ଖରସ୍ରୋତା ଓ ଏହାର ମୂଳ ଉତ୍ସ ବ୍ରାହ୍ମଣୀ ନଦୀର ଜଳ ଏକ ସଙ୍କଟାପର୍ଣ୍ଣ ସ୍ଥିତିରେ ଅଛି । ନଦୀ ଗୁଡିକ ପୋତି ହୋଇ ଏହାର ଜଳ ଧାରଣ କ୍ଷମତା ସଙ୍କୁୁଚିତ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଏକ ତୃତୀୟାଂଶ ଆବଶ୍ୟକତାକୁ ପୁରଣ ଦିଗରେ ନଦୀର ଜଳ ପ୍ରବାହ ସମର୍ଥ ହେଉନାହିଁ । ଏ ସଂପର୍କରେ ଜିଲ୍ଲା କୃଷି ବିଭାଗ, ଜିଲ୍ଲା ଜଳ ସଂମ୍ପଦ ବିଭାଗ, କେନ୍ଦ୍ର ଭୂତଳ ଜଳ ବୋର୍ଡର ରିପୋର୍ଟ ସହିତ ଗତ ନଭେମ୍ବର ମାସରେ ରାଜନଗର ବନଖଣ୍ଡ ଅଧିନରେ ଅନୁଷ୍ଠିତ ଏକ କର୍ମଶାଳାରେ ବିଶେଷଜ୍ଞମାନେ ଉଦବେଗ ପ୍ରକାଶ କରିଛନ୍ତି । କର୍ମଶାଳାରେ ବିଶେଷଜ୍ଞମାନଙ୍କ ସୂଚନା ଅନୁଯାୟୀ ଜାତୀୟ ଉଦ୍ୟାନ ଭିତରକନିକାର ଆଦ୍ରଭୂମି ମାନ ଜାରି ରଖିବା ପାଇଁ ୭୦ ପ୍ରତିଶତ ମଧୁର ଜଳ ଆବଶ୍ୟକ ଥିବା ସ୍ଥଳେ ଏହା ଏବେ କମିଯାଇ ମୈାସୁମୀରେ ୫୫ ପ୍ରତିଶତ ଓ ଅଣମୈାସୁମୀରେ ଏହା ୧୫ ପ୍ରତିଶତରେ ପହଁଚିଛି । ୨୦୧୬ ମସିହାରେ ଜିଲ୍ଲା କୃଷି ବିଭାଗ ଆକଳନ ଅନୁଯାୟୀ ଆଂଚଳିକ କୃଷି ପାଇଁ ଆବଶ୍ୟକ ଥିବା ଜଳରୁ ମାତ୍ର ଏକତୃତୀୟାଂଶ ନଦୀ ଜଳ ପ୍ରବାହରୁ ମିଳିପାରୁଛି । କେନ୍ଦ୍ର ଭୂତଳ ଜଳ ବୋର୍ଡର ସର୍ଭେ ଅନୁଯାୟୀ ଜିଲ୍ଲାର ରାଜକନିକା, ଆଳି, ରାଜନଗର, ମହାକାଳପଡା ଓ ଗରଦପୁର ବ୍ଲକ ଅଂଚଳରେ ଭୂତଳ ଜଳ ଲୁଣି ହୋଇସାରିଛି । ସେହିପରି ଜଳ ସମ୍ପଦ ବିଭାଗ ତଥ୍ୟ ଅନୁଯାୟୀ ସୂଜଳ ଆବଂଟନ ଓ ଆଦ୍ରଭୂମି ପରିଚାଳନା ପାଇଁ ଖରସ୍ରୋତା ନଦୀରେ ଅଧିକ ଜଳ ପ୍ରବାହର ଆବଶ୍ୟକତା ରହିଛି । କେନ୍ଦ୍ରାପଡା ଜିଲ୍ଲା ଭୂତଳ ଜଳର ସ୍ଥିତି ସାରା ଓଡିଶାରେ ସର୍ବାଧିକ ସଙ୍କଟଜନକ ସ୍ଥିତିରେ ରହିଥିବାରୁ ସେଥି ନିମନ୍ତେ କେନ୍ଦ୍ର ଜଳ ଶକ୍ତି ବିଭାଗ ପକ୍ଷରୁ ୨୦୧୯ମସିହାରୁ ଜିଲ୍ଲା ଜଳ ସଂରକ୍ଷଣ ଅଭିଯାନ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ଜଳ ସଙ୍କଟ ଏବେ ଖରସ୍ରୋତା ମଧ୍ୟରେ ସୀମିତ ନାହିଁ । ବ୍ରାହ୍ମଣୀ ସିଷ୍ଟମ ସଂଲଗ୍ନ ସମୁଦାୟ ଜଳ ଉତ୍ସ ଯେତିକି ପ୍ରଦ୍ୟୁଷିତ ତତୋଧିକ ଶୁଷ୍କ । ରେଙ୍ଗାଲି ବ୍ୟାରେଜ୍ ବ୍ରାହ୍ମଣୀ ଜଳ ଧାରାକୁ ରୋକିବା ସହିତ ଯାଜପୁର ଜିଲ୍ଲାର ୧୧ଟି ବୃହତ ଶିଳ୍ପ ଅବଶିଷ୍ଟ ଜଳକୁ ଉପଯୋଗ କରିବା ପରେ ଦାନଗଦି ଯାଜପୁର, ବିଞ୍ଝାରପୁର, ରସୁଲପୁର ଆଦି ୬ଟି ବ୍ଲକ ଅଂଚଳ ପାଇଁ ମେଗା ପାନୀୟ ଜଳ ପ୍ରକଳ୍ପ ଘୋଷଣା ପରେ ବ୍ରାହ୍ମଣୀ ଓ ଖରସ୍ରୋତାର ସ୍ୱାଭାବିକ ଜଳ ପ୍ରବାହର ଅସ୍ତିତ୍ୱରେ ପ୍ରଶ୍ନ ଲାଗିଛି । ପୁଣି ତଳମୁଣ୍ଡର ଆଳି, କନିକା ପାଇଁ ଆଉ ଦୁଇଟି ନୂଆ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଆବଶ୍ୟକୀୟ ଜଳ ଖରସ୍ରୋତା ଗର୍ଭରେ ଥିବ ତ ? ଯେଉଁ ପ୍ରକୃତିକ ଜୈବ ବିବିଧତାର ବିଭବ ପାଇଁ ସାରା ପୃଥିବୀ କେନ୍ଦ୍ରାପଡାକୁ ଆକର୍ଷିତ ହୁଏ, ପୃଥିବୀର ବିଭିନ୍ନ କୋଣରୁ ମାଛ, କଇଁଛ, ବିଭିନ୍ନ ଜାତିର ପକ୍ଷୀମାନେ ଆକର୍ଷିତ ହୋଇ ଆସନ୍ତି ତାହାର ଅସ୍ତିତ୍ୱରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଧୁର ଜଳ ନ ଥିଲେ ଆଦ୍ରଭୂମି ରହିବ ନାହିଁ । ଆଦ୍ରଭୂମି ନଥିଲେ ହେନ୍ତାଳ ଜଙ୍ଗଲ ରହିବ ନାହିଁ । ଜଙ୍ଗଲ ନଥିଲେ ଏହା ଉପରେ ନିର୍ଭର କରୁଥିବା ଓ ସେଠାରେ ସୃଷ୍ଟି ହେଉଥିବା ଜୀବଜନ୍ତୁ, ସରିସୃପମାନେ ରହିବେ ନାହିଁ । ଫଳରେ ଏହା ଏକ ବିଧ୍ୱଂସ ସମୁଦ୍ର ଉପକୂଳରେ ପରିଣତ ହେବ । ଅପରପକ୍ଷରେ ନଦୀ ଜଳର ପ୍ରବାହ ହ୍ରାସ ପାଇ ସମୁଦ୍ରର ଲୁଣା ଜଳ ମୁହାଣର ଉପରକୁ ଉଠିଯିବ । ନଦୀର ଜଳସ୍ତର ହ୍ରାସ ପାଇଲେ ଭୂତଳ ଜଳସ୍ତର ନିମ୍ନଗାମୀ ହେବ । ଏହା ସବୁବେଳେ ଧିର ଭାବରେ ପେଣ୍ଠ, ସାତଭାୟା, ସୁନିତୀ ଅଂଚଳକୁ ସମୁଦ୍ର ଲୁଣା ଜଳରେ କେବଳ ପ୍ଲାବିତ କରିବ ନାହିଁ ବରଂ ସୁନାମୀ ପରି ମହା ବିଧ୍ୱଂସ ବା ପ୍ରଳୟର କାରଣ ହେବ । କିଛି ମୁଷ୍ଟିମେୟଲୋକଙ୍କ ସୀମିତ ସ୍ୱାର୍ଥ ଓ ଅଂହକାରକୁ ପୂରଣ କରିବାକୁ ଯାଇ ସହସ୍ର ବର୍ଷର ସଭ୍ୟତା ଧ୍ୱଂସ ହେବ ଓ ଜନ ଜୀବନ ଅସ୍ତିତ୍ୱ ହରାଇବ । ନୈାବାଣିଜ୍ୟ ଜୀବିକା ପରି ପରମ୍ପରା ଓ ଲୋକ ସଂସ୍କୃତି ଇତିହାସ ଗର୍ଭରେ ବିଲୀନ ହେବ । ଏହି ପ୍ରସଙ୍ଗକୁ ସ୍ଥାନୀୟ ଏକ ଛୋଟ ଘଟଣା ରୂପେ ବିଚାର ନ କରି ଖରସ୍ରୋତାର ବରୁଣାଡିହା ଠାରୁ ଆରମ୍ଭ କରାଯାଇଥିବା ଭବିଷ୍ୟତ ବିପର୍ଯ୍ୟୟ କାରଣ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଅବିଳମ୍ବେ ବାତିଲ କରାଯାଉ । ବୈଷୟିକ ବିଜ୍ଞାନୀମାନଙ୍କୁ ନେଇ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଉ । ସେମାନଙ୍କ ପରାମର୍ଶ ଆଧାରରେ ଉପକୂଳ ଜଳଜୀବନ ଓ ପର୍ଯ୍ୟାବରଣ ସନ୍ତୁଳନକୁ ପ୍ରାଥମିକତା ଦେଇ ସ୍ଥାନୀୟ ପରିବେଶର ସୁରକ୍ଷା କବଚ ଓ ପ୍ରାକୃତିକ ସଂମ୍ପଦ ଭିତରକନିକା ସୁରକ୍ଷା ଆଧାରରେ ସାମଗ୍ରିକ ଜଳ ପରିଚାଳନା ସମ୍ବନ୍ଧୀୟ କ୍ୟାବିନେଟ୍ ସ୍ତରୀୟ ଶପଥ ପତ୍ର ଉପସ୍ଥାପନା କରାଯିବା ଏବଂ ସେହି ଅନୁସାରେ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାର ମାନବ ସଭ୍ୟତା ଭବିଷ୍ୟତକୁ ସୁରକ୍ଷିତ କରାଯାଉ । ଜୀବନ, ଜୀବିକା, ଜଳ ଓ ଜଳବାୟୁ – ଆମର ହକ୍ । ତାହାକୁ ଆମ ଠାରୁ ଛଡାଇ ନିଆନଯାଉ ବୋଲି ଜିଲ୍ଲା ଜନ ଅଧିକାର ଅଭିଯାନର ସଭାପତି ଭୂବନ ମୋହନ ଜେନା, ସଂଞ୍ଜୟ କୁମାର ବେଉରା, ଗଗନ ବିହାରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଗଣେଷ ଚନ୍ଦ୍ର ସାମଲ, କ୍ଷିତିଶ୍ ରୋଷନ ସିଂ, ସରୋଜ କୁମାର ମହାନ୍ତି, ହେମନ୍ତ ପରିଡା, କରୁଣାକର ସାହୁ, ଅମୃତ ମହାନ୍ତି, ପବିତ୍ର ପରିଡା, ପ୍ରଶନ୍ନ ପରିଡା, ଭୂବନ ସିଂ, ନଗେନ୍ଦ୍ର ବେହେରା, ମନିନ୍ଦ୍ର ରାଉତ, ହେମନ୍ତ କୁମାର ବେହେରା, ଗୋବିନ୍ଦ ଦାସ, ଭୀମ ମାଇତି, ସୁଦାମ ବାରିକ, ପ୍ରଭାତ ସ୍ୱାଇଁ ଓ ଭିକାରୀ ପାତ୍ର ପ୍ରମୂଖ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ