ଖରାଦିନିଆ ବେପାର ସମ୍ପୁର୍ଣ୍ଣ ଠପ୍ କରୋନା କଟକଣା ପରେ ମୌସୁମୀ ଦାଉ ସାଧିଲା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ ): ଗ୍ରୀଷ୍ମଋତୁ ଅସିଲେ ଘରୁ ବାହାରକୁ ବାହାରିବା ସମୟରେ ଖୋଜା ପଡ଼େ ଚଷମା ଓ ଟୋପି । ଏହି ସମୟରେ ଏସବୁ ଜିିନିଷର ଚାହିଦା ମଧ୍ୟ ଖୁବ୍ ବଢିଯାଇଥାଏ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବହୁ ପୁର୍ବରୁ ଖରାଦିନିଆ ସାମଗ୍ରୀ ଆଣି ମହଜୁଦ ରଖନ୍ତି ବେପାରୀ । ଖାସ୍ କରି ଏ ସବୁ ସାମଗ୍ରୀ କିଣିବା ସକାଶେ ଦୋକାନ ଗୁଡ଼ିକରେ ଯୁବପିଢିଙ୍କ ଭିଡ଼ ଲାଗି ରହିଥାଏ । ଏଥି ସହ ବିଭିନ୍ନ କିସମର ଥଣ୍ଡା ପାନୀୟ, ଜୁସ୍, ଫଳରସ, ଆଖୁରସ ଭଳି ଦୋକାନ ଗୁଡ଼ିକରେ ସକାଳ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ଭିଡ଼ ଲାଗି ରହିଥାଏ । କିନ୍ତୁ ଚଳିତ ବର୍ଷ ସ୍ଥିତି ସମ୍ପୁର୍ଣ୍ଣ ଓଲଟା । ମୌସୁମୀ ବର୍ଷା ପୂର୍ବାପେକ୍ଷା ଚଳିତ ବର୍ଷ ଶୀଘ୍ର ଆସିଥିବା ବେଳେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଗ୍ରୀଷ୍ମର ପ୍ରକୋପ ସେତେଟା ନାହିଁ କହିଲେ ଚଳେ । ଆଉ ଏ ସବୁ ଜିନିଷର ଯେଉଁ ସମୟରେ ବେପାର ଜମିବା କଥା ଠିକ୍ ସେହି ସମୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଲଗିଲା କଟକଣା । ବର୍ଷ ସାରା ଗ୍ରୀଷ୍ମଋତୁକୁ ଅପେକ୍ଷା କରି ରହୁଥିବା ଏଭଳି ସାମଗ୍ରୀର କ୍ଷୁଦ୍ର ବେପାରୀ ମାନେ ହାତ ବାନ୍ଧି ବସିଛନ୍ତି । ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳର ବହୁ ଫ୍ୟାନ୍ସି ବ୍ୟବସାୟୀ ପେବୃୟାରୀ ମାସରୁ ହିଁ କଲିକତା, ମୁମ୍ବାଇ ସମେତ ରାଜ୍ୟର କଟକ ପ୍ରମୁଖ ବଡ଼ ବଡ଼ ସହରରୁ ଖରାଦିନିଆ ବ୍ୟବହାର ଉପଯୋଗୀ ସାମଗ୍ରୀ କିଣି ଆଣି ବ୍ୟବସାୟ ସକାଶେ ପ୍ରସ୍ତୁତ ହୋଇଥାନ୍ତି । ଏଭଳି ସମାଗ୍ରୀର ପ୍ରମୁଖ ଗ୍ରାହକ କଲେଜ ପଢୁଆ ଛାତ୍ର ଓ ଯୁବଗୋଷ୍ଠୀ ହୋଇଥାନ୍ତି । ବର୍ତମାନ ପରିସ୍ଥିତିରେ କଲେଜ ଗୁଡ଼ିକ ବନ୍ଦ ରହିବା ସହ ଏଭଳି ସମାଗ୍ରୀର ଦୋକାନ ବଜାର ଗୁଡ଼ିକ ମାତ୍ର ସ୍ୱଳ୍ପ ସମୟ ପାଇଁ ଖୋଲା ରହୁଥିବାରୁ ବେପାର ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଅନ୍ୟପକ୍ଷରେ ଗ୍ରୀଷ୍ମଋତୁରେ ସବୁଠାରୁ ଆଦୃତ ଆଇସକ୍ରିମ୍, ଫଳରସ, ଆଖୁରସ ସମେତ ବିଭିନ୍ନ ଠେଲା ଗଶନରେ ବିକ୍ରି କରୁଥିବା ବିଭିନ୍ନ ରକମର ଥଣ୍ଡା ପାନୀୟ ବିକ୍ରି କରୁଥିବା କ୍ଷୁଦ୍ର ବେପାରୀ ମାନଙ୍କଅବସ୍ଥା କହିଲେ ନଚଳେ । ଏମାନଙ୍କ ଅବସ୍ଥା ସମ୍ପୁର୍ଣ୍ଣ ଶୋଚନୀୟ ହୋଇପଡ଼ିଛି । ପ୍ରାୟତଃ ଏହି ଋତୁର ବ୍ୟବସାୟ କରି ସଂପୃକ୍ତ କ୍ଷୁଦ୍ର ବେପାରୀ ମାନେ ସାରା ବର୍ଷ ପରିବାର ପ୍ରତିପୋଷଣ ସକାଶେ ନିର୍ଭର କରି ଚଳି ଆସୁଥିଲେ । ଚଳିତ ବର୍ଷର କରୋନା କଟକଣା ସାଙ୍ଗକୁ ପୂର୍ବାପେକ୍ଷା ଶୀଘ୍ର ମୌସୁମୀ ଆଗମନ ସେମାନଙ୍କ ମେରୁ ଦଣ୍ଡ ଭାଙ୍ଗି ଦେଇଛି । ଥଣ୍ଡା ପାନୀୟ ବିକ୍ରି କରୁଥିବା ବେପାରୀ ରାମକୃଷ୍ଣ ପଟ୍ଟନାୟକ କହିଛନ୍ତି ଖରାଦିନେ ଦୈନିକ ୧ ହଜାର ରୁ ୧୫ଶହ ଟଙ୍କା ବିକ୍ରି ହେଉଥିବାେ ବେଳେ ବର୍ତମାନ ଦେଅନିକ ୨ ଶହ ଟଙ୍କାର ମଧ୍ୟ ଥଣ୍ଡା ପାନୀୟ ବିକ୍ରି ହେଉନାହିଁ । ଆଇସକ୍ରିମ ବେପାରୀ ନିଶିକାନ୍ତ ପଣ୍ଡା କହିଛନ୍ତି ଖରାଦିନେ ଯାହା କିଛି ବେପାର ହେଉଥିଲା ବର୍ଷର ଅଧା ସମୟ ଚଳିବାକୁ ହୋଇ ଯାଉଥିଲା ହେଲେ ଚଳିତ ବର୍ଷ ବେପାର ଜମାରୁ ନାହିଁ, ପରିବାର ପ୍ରତିପୋଷଣ କିପରି କରିବେ ସେ ନେଇ କୌଣସି ବୁଦ୍ଧି ବାଟ ଦେଖା ଯାଉନାହିଁ ଏଭଳି ପରିସ୍ଥିତିରେ ଭଗବାନ ହିଁ ସାହା ବୋଲି କହିଛନ୍ତି । ଫ୍ୟାନ୍ସି ଆଇଟମ ବ୍ୟବସାୟୀ ପିଂଟୁ କହିଛନ୍ତି କରୋନା ଯୋଗୁଁ ଚଳିତ ବର୍ଷର ବ୍ୟବସାୟ ସମ୍ପୁଣ୍ଁ ଠପ୍ ହୋଇଯାଇଛି । ଧାର ଉଧାର କରି କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରିବାକୁ ପଡ଼ୁଛି ।