ଖରାଦିନ ପୁର୍ବରୁ ଜଳକଷ୍ଟ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଦୀର୍ଘ ଦିନରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅନେକ ଓ୍ବାର୍ଡରେ ଜଳ ସଂକଟ ଲାଗି ରହିଛି । ହେଲେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜଳ ଯୋଗାଣ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନେକ ଓ୍ବାର୍ଡରେ ପାଇପ୍ ଲାଇନ୍ ସଂଯୋଗ ହୋଇଥିବା ସତ୍ତ୍ଵେ ଲୋକଙ୍କୁ ପାଣି ମିଳୁନଥିବା ବେଳେ କେତେକ ସ୍ଥାନରେ ପାଣି ଅଯଥା ରେ ଅପଚୟ ହେଉ ଥିବା ବେଳେ ଏବେ ବି ଅନେକ ଓ୍ବାର୍ଡରେ ଲୋକଙ୍କ ଘରକୁ ପାଇପ୍ ପାଣି ସଂଯୋଗ ହୋଇନଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି । ରାଜ୍ୟ ସରକାର ଗାଁ ଠୁ ସହର ସବୁ ଅଞ୍ଚଳରେ ଘରକୁ ଘର ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ଅନେକ ପରିବାର ଏଥିରୁ ବଞ୍ଚିତ ଅଛନ୍ତି । ତେବେ ଗ୍ରାମାଞ୍ଚଳରେ କଣ ବ୍ୟବସ୍ଥା ଥିବ ଏଥିରୁ ସ୍ପଷ୍ଟ ଅନୁମେୟ । କିନ୍ତୁ ଜଳ ଯୋଗାଣ ପ୍ରକଳ୍ପ ଦାୟିତ୍ଵରେ ଥିବା ସଂସ୍ଥା କର୍ମଚାରୀଙ୍କୁ ଘରକୁ ଘର ପଠାଇ ହିତାଧିକାରୀଙ୍କ ଠିକଣା ଯୋଗାଡ଼ କରୁଥିବା ବେଳେ ଜନସାଧାରଣଙ୍କୁ ଉପଯୁକ୍ତ ଜଳ ଯୋଗାଣ ନକରି ହିତାଧିକାରୀଙ୍କ ନିକଟରୁ ବିଭାଗ ପକ୍ଷରୁ ଟିକସ ଆଦାୟ ପାଇଁ ଜୁଲୁମ୍ କରାଯାଉଛି । ବାଲିଗୁଡ଼ାରେ ସହରାଞ୍ଚଳ ଜଳଯୋଗାଣ କାର୍ଯ୍ୟାଳୟ ନଥିବା ହେତୁ ଲୋକେ ନିଜ ସମସ୍ୟା ବିଷୟରେ କାହାକୁ ଜଣାଇ ପାରୁନାହାନ୍ତି । ଅନ୍ୟପଟେ ବିଜ୍ଞାପିତ ଅଞ୍ଚଳ ପରିଷଦ ସହରର ସମସ୍ତ ସୁବିଧା ଅସୁବିଧା ବୁଝିବା କଥା କିନ୍ତୁ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଜଣେ ଅନ୍ୟ ଜଣକ ମୁଣ୍ଡରେ ଦୋଷ ଲଦି ଚାଲିଛନ୍ତି କିନ୍ତୁ ଅଞ୍ଚଳବାସୀଙ୍କ ସମସ୍ୟାକୁ କେହି ଧ୍ୟାନ ଦେଉନାହାନ୍ତି । ଏବେ ଖରାଦିନ ଆସିଲାଣି । ରାଜ୍ୟ ସରକାର ପ୍ରତି ଘରକୁ ଦିନ ରାତି ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି । ହେଲେ ଆମେ କ’ଣ ପାଇଁ ସରକାରୀ ଯୋଜନାରୁ ବଞ୍ଚିତ ରହିବୁ ବୋଲି ଲୋକେ ପ୍ରଶ୍ନ କଲେଣି । ଯଦି ଏଥିରେ ବ୍ୟତିକ୍ରମ ଘଟେ ତେବେ ଜନ ଆନ୍ଦୋଳନ ହେବ ଏବଂ ଏଥିପାଇଁ ବିଭାଗୀୟ ଅଧିକାରୀ ସମ୍ପୂର୍ଣ୍ଣ ଦାୟୀ ରହିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ