ଖରିଫ,୨୦୨୨ ନିମନ୍ତେ ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ଖରିଫ ୨୦୨୨ ପାଇଁ ବାଲେଶ୍ୱର ଜିଲ୍ଲା କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଆଜି ଅପରାହ୍ନରେ ସ୍ଥାନୀୟ “ସଦଭାବନା ସଭାଗୃହ”ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨୦୨୧-୨୨ ରବି ଋତୁର ଲକ୍ଷ୍ୟ ହାସଲ ଏବଂ ଚଳିତ ଖରିଫ ଋତୁ ପାଇଁ ବିଭିନ୍ନ ଫସଲ ଏବଂ ନିର୍ଦ୍ଧାରିତ କୃଷି କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ବୈଠକ ପ୍ରାରମ୍ଭରେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଜିଲ୍ଲାପାଳ ଶ୍ରୀ ଶିନ୍ଦେଙ୍କୁ ସ୍ୱାଗତ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ନିକୁଞ୍ଜ କିଶୋର ରାଉତ ଖରିଫ ଋତୁ ପାଇଁ ଧାର୍ଯ୍ୟ ବିଭିନ୍ନ ଲକ୍ଷ୍ୟ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଗୃହରେ ଉପସ୍ଥିତ ସହକାରୀ କୃଷି ଅଧିକାରୀ ଏବଂ ବ୍ଲକ ତଥା ଜିଲ୍ଲାସ୍ତରୀୟ କୃଷି ଅଧିକାରୀମାନେ ଜିଲ୍ଲାର ବିଭିନ୍ନ ଅଂଚଳ ଓ ବ୍ଲକରେ ଚାଷ ଓ ଉତ୍ପାଦିତ ଶସ୍ୟର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଶସ୍ୟ ବିବିଧିକରଣ, ଉତ୍ପାଦିତ ଶସ୍ୟକୁ ମୂଲ୍ୟ ଯୁକ୍ତ ସାମଗ୍ରୀରେ ପରିଣତ କରି କୃଷକମାନଙ୍କୁ ଆୟକୁ ବଢାଇବା ଏବଂ କୃିଷିଭିତିକ ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରିଥିଲେ । ପରମ୍ପରାଗତ ଭାବେ ଜିଲ୍ଲାରେ ଧାନଚାଷକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହା କୃଷକମାନଙ୍କ ଆୟକୁ ବଢାଇବା ପାଇଁ ସକ୍ଷମ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ଏଣୁ ଡାଲିଜାତୀୟ ଶସ୍ୟ, ମକା, ପରିବା, ଆଖୁ, ଝୋଟ, ହଳଦୀ, ଅଦା ଓ ଲଙ୍କା ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବାକୁ ସେ କୃଷି ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସେ ଅଧିକାରୀମାନଙ୍କ ପାଇଁ ନୂତନ ଲକ୍ଷ୍ୟ ଧାର୍ଯ୍ୟ କରି ତାହା ହାସଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ନିମନ୍ତେ ସୁନିୟୋଜିତ ଭାବେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଅନୁଧ୍ୟାନ କରି କେଉଁ ଅଂଚଳ କେଉଁ ଚାଷ ପାଇଁ ପ୍ରକୃଷ୍ଟ ତାହା ଚିହ୍ନଟ କରିବା ଏବଂ ସ୍ୱତନ୍ତ୍ର କୃଷି କ୍ଲଷ୍ଟର ପ୍ରସ୍ତୁତ କରିବାକୁ ସେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ କହିଥିଲେ । ଅନୁରୂପ ଭାବେ ବଳରାମ ଯୋଜନାର ସଫଳ ରୂପାୟନ ପାଇଁ ନାବାର୍ଡ ସହାୟତାରେ ମିଳିତ ଦାୟିତ୍ୱ ଗୋଷ୍ଠୀ ତିଆରି କରିବା, ମୃତିକା ସ୍ୱାସ୍ଥ୍ୟ ପତ୍ରିକା ବଂଟନ, କୃଷି ଯାନ୍ତ୍ରିକୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରଣୀ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସବସିଡିରେ ସେମାନଙ୍କୁ ଟ୍ରାକ୍ଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ଯୋଗାଇ ଦେବା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ କାର୍ଯ୍ୟକାରୀ କରି କୃଷିଭିତିକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରିବା, କୃଷକମାନଙ୍କୁ କମ ସୁଧ ଏବଂ ସୁବିଧାରେ ଋଣ ପ୍ରଦାନ କରିବା, ସାର ଓ ବିହନ ଯୋଗାଇ ଦେବା, ବର୍ଷା ଓ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରିବା, ଉତ୍ପାଦିତ ସାମଗ୍ରୀର ବିପଣନ ପାଇଁ ପଦକ୍ଷେପ ନେବା ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଉଦ୍ୟାନ କୃଷି କ୍ଷେତ୍ରରେ କ୍ଷୁଦ୍ର ଚାଷୀ ତଥା ସ୍ଥାନୀୟ ଅଂଚଳବାସୀଙ୍କୁ ଆକୃଷ୍ଟି କରି ସେମାନଙ୍କୁ ସହାୟତା ଯୋଗାଇଦେବାକୁ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । କ୍ଷେତ୍ର ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରି କୃଷି ଓ କୃଷକମାନଙ୍କ ସାମୂହିକ ହିତ ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଚଳିତ ଖରିଫ ଋତୁରେ କୃଷି ବିଭାଗ ତରଫରୁ ୧ ଲକ୍ଷ ୯୭ହଜାର ୫୦୦ ହେକ୍ଟର ଜମିରେ ଧାନ ଫସଲ ଏବଂ ୨୨,୦୭୦ ହେକ୍ଟର ଜମିରେ ଅଣଧାନ ଫସଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବୈଠକରେ ଡିଡିଏମ ନାବାର୍ଡ ଶ୍ରୀ ତାପସ ରଞ୍ଜନ ପ୍ରଧାନ, ଉଦ୍ୟାନକୃଷି ଉପନିର୍ଦ୍ଦେଶକ ତପନ କୁମାର ମହାନ୍ତି, ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ବନମାଳୀ ସାହୁ ପ୍ରମୁଖ ମଂଚାସୀନ ଥିବା ବେଳେ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଗୃହକୁ ଅବଗତ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ