ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ସୋମବାର ଅପରାହ୍ନରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୌଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ୨୦୧୮-୧୯ ବର୍ଷରେ ୧୮ହଜାର ୫୫୦ଜଣ ଚାଷୀଙ୍କ ଠାରୁ ୧୧୫ଟି ପ୍ୟାକ୍ସ ମାଧ୍ୟମରେ ୭୮୭୧୦.୩୮୫ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା । ଜିଲ୍ଲାର ୨୫ଜଣ ମିଲରଙ୍କ ସମେତ ବାହାର ଜିଲ୍ଲାର ୬ଜଣ ମିଲର ମଣ୍ଡିରୁ ସେହି ଧାନ ସଂଗ୍ରହ କରିଥିଲେ । ଚଳିତବର୍ଷ ଡିସେମ୍ବର ଶେଷ କିମ୍ବା ଜାନୁଆରୀ ପ୍ରଥମ ସପ୍ତାହରୁ ଧାନ ସଂଗ୍ରହ ପାଇଁ ଦିନ ଧାର୍ଯ୍ୟ କରାଯିବ । ସାଧାରଣ ଧାନ କ୍ୱିଂଟାଲ ପିଛା ୧୮୧୫ ଟଙ୍କା ଓ ଗ୍ରେଡ ‘ଏ’ ଧାନ କ୍ୱିଂଟାଲ ପିଛା ୧୮୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୪ହଜାର ୨୦୫ଜଣ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି । ୧୧୬ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ । ଚଳିତ ବର୍ଷ ଚାଷୀର ଧାନ ଜମିର ପରିମାଣ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ଚିହ୍ନଟ କରାଯିବ । ଚାଷୀର ପାସବୁକ ତନଖି କରାଯିବ । ମଣ୍ଡି ଗୁଡିକୁ ଯନ୍ତ୍ରାଂଶ ଯୋଗାଇ ଦିଆଯାଇ ଧାନର ଗ୍ରେଡ ଆର.ଏମ.ସି.ଦ୍ୱାରା ପରୀକ୍ଷଣ କରାଯିବ । ଧାନମଣ୍ଡିରେ ରଖିବା ପାଇଁ ଆବଶ୍ୟକୀୟ ପଲିଥିନ ବ୍ୟବସ୍ଥା କରାଯିବ । ଚାଷୀ ଯେପରି ମଣ୍ଡିରେ ଧାନ ଦେବା ଓ ପ୍ରାପ୍ୟ ପାଇବାରେ ଅସୁବିଧାର ସମ୍ମୁଖିନ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ କରିଦେଇଥିଲେ । ଧାନ ସଂଗ୍ରହ ସମ୍ପର୍କରେ ଆର.ଏମ.ସି. ପକ୍ଷରୁ ସାରା ଜିଲ୍ଲାରେ ମାଇକ ଯୋଗେ ପ୍ରଚାର କରାଯିବ । ଆଳି ରେ ୧୧ଟି ଓ ରାଜକନିକାରେ ୧୬ଟି ପ୍ୟାକ୍ସ ଥିବା ବେଳେ ମାତ୍ର ୯ଶହ ଚାଷୀ ଗତବର୍ଷ ଧାନ ବିକ୍ରୀ କରିଥିବା ଘଟଣାକୁ ନେଇ ସେ ଅଂଚଳରେ ଚାଷୀ ଧାନ ବିକ୍ରୀ କରିବାକୁ ଆସୁନଥିବା ସମ୍ପର୍କରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ ସଭାର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହିତ ଚାଷଜମି ଓ ଚାଷୀଙ୍କୁ ନେଇ ପ୍ରତ୍ୟେକ ପ୍ୟାକ୍ସ ନିମନ୍ତେ ଧାନ କିଣିବାର ଲକ୍ଷ୍ୟ ଧାର୍ଯ୍ୟ କରାଯିବାକୁ ଆଳି ବିଧାୟକ ଶ୍ରୀ ଦେବ କହିଥିଲେ । କେନ୍ଦ୍ରାପଡା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଯୋଜନାରେ ଧାନକିଣାରେ ସ୍ୱଛତା ରକ୍ଷା କରାଯିବାକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ପରାମର୍ଶ ଦେଇଥିଲେ । ଚଳିତବର୍ଷ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏବଂ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ୨ଟି ସ୍କ୍ୱାର୍ଡ ଧାନ ସଂଗ୍ରହରେ ଅନୀୟମିତତାକୁ ଦେଖିବା ପାଇଁ ଗଠନ କରାଯାଇଛି । ମିଲରମାନେ ଠିକ ସମୟରେ ମଣ୍ଡିରୁ ଧାନ ନଉଠାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚାଷୀଙ୍କ ଠାରୁ ଧାନ କିଣାରେ ଜିରୋ ଟଲେରାନ୍ସ ରକ୍ଷା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେ । ଏତଦଭିନ୍ନ ମିଥ୍ୟାଚାଷୀଙ୍କ ନାମ ପଞ୍ଜିକରଣ ଓ ଧାନକିଣାରେ ଦୁର୍ନିତୀ କ୍ଷେତ୍ରରେ ଫୈାଜଦାରୀ ଅପରାଧ ଭାବେ ବିବେଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍କାପାଳ ଚେତାଇ ଦେଇଥିଲେ । ବେଷାମରିକ ଯୋଗାଣ ଅଧିକାରୀ ର୍ୟାଣ୍ଡମ ବେସିସରେ ଯେଉଁ ମଣ୍ଡିରୁ ଯେଉଁ ମିଲର ଧାନ କିଣିବେ ତାହା ସ୍ଥିର କରିବେ ,ଏଥିରେ ବ୍ୟତିକ୍ରମ ଯେଭଳି ନହୁଏ ବୋଲି ଜିଲ୍ଲାପାଳ ତାଗିଦ କରିଦେଇଥିଲେ । ଏହି ବୈଠକରେ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସଞ୍ଜୟ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର, ବେଷାମରିକ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ କୁମାର ଦାସ, ଏ.ଆର.ସି.ଏସ.ଅଶୋକ କୁମାର ବେହେରା, ଏସପିଙ୍କ ପ୍ରତିନିଧି ଡି.ଏସ.ପି.କାର୍ତ୍ତିକ ମଲ୍ଲିକ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଚାଷୀ ଓ ମିଲରଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।