ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ବାରା ଅବକାରୀ ଚଢାଉ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୨୦ ତାରିଖ ଦିନ ୧୯-ଆସ୍କା ଲୋକସଭା ଏବଂ ୮ଗୋଟି ବିଧାନସଭା ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନଟି ଶାନ୍ତି ଶୃଙ୍ଖଳାର ସହିତ ଅବାଧ, ମୁକ୍ତ ହେବ, ସେଥିପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ବାରା ପର୍ଯ୍ୟବେକ୍ଷକଗଣ ଜିଲ୍ଲାରେ ନିଯୁକ୍ତ ଅଛନ୍ତି । ସେମାନେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଚଢାଉକାର୍ଯ୍ୟ ତଦାରଖ କରିବା ଏବଂ ଶାନ୍ତି ଶୃଙ୍ଖଳାର ସହିତ ନୀତି ନିୟମ ପ୍ରକାରେ ନିର୍ବାଚନ ହେବ ସେଥି ସକାଶେ ତତ୍ପର ଅଛନ୍ତି । ୧୯-ଆସ୍କା ଲୋକସଭା ନିମନ୍ତେ ନିଯୁକ୍ତ ଥିବା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଜି. ଇଲାମୁରୁଗୁ ଅଚାନକ ଜିଲ୍ଲାର ୧୯-ଆସ୍କା ଲୋକସଭା ଅଞ୍ଚଳ ଗସ୍ତକରି ଯାଂଚ୍ କାର୍ଯ୍ୟ ତଦାରଖ କରୁଛନ୍ତି । ଏହି ଅବସରରେ ଶ୍ରୀ ଇଲାମୁରୁଗୁ ଆସ୍କା, ବୁଗୁଡା, ପୋଲସରା, ଖଲ୍ଲିକୋଟ ଅଞ୍ଚଳର କେତେକ ବିଦେଶୀ ମଦଦୋକାନ ଚଢାଉ କରି ସେମାନଙ୍କ ଷ୍ଟକ ପୋଜିସନ୍ ଏବଂ ପ୍ରଚୁର ପରିମାଣରେ ମଦବିକ୍ରିକୁ ରୋକିବା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୪ ଘଣ୍ଟିଆ ଯାନବାହନ ଯାଂଚ୍ କାର୍ଯ୍ୟ କେମିତି ଚାଲିଛି ତାହା ମଧ୍ୟ ଫ୍ଲାଇଂ ସ୍କ୍ବାଡ ଦଳ, ସର୍ଭେଲାନ୍ସ ସ୍କ୍ବାଡ ଦଳ ର ଚଢାଉକୁ ତଦାରଖ କରୁଛନ୍ତି । ଜଣେ ବ୍ୟକ୍ତିଙ୍କୁ ଅତ୍ୟଧିକ ପରିମାଣରେ ମଦବିକ୍ରି କରିବାକୁ ନେଇ ମଧ୍ୟ ସନ୍ଦେହ ଜାତ ହେବାରୁ ଅବକାରୀ ବିଭାଗକୁ ଏ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦାଖଲ କରିବା ସକାଶେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।